ବିକ୍ରିପାଇଁ ନାହିଁ ବଜାର ସୁବିଧା ମିଳୁନି ଉପଯୁକ୍ତ ପ୍ରାପ୍ୟ

ହାଟଡ଼ିହି, ୮ । ୧ : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ହାଟଡିହି ଗ୍ରାମର ବାଉଁଶ କାରିଗର ମାନେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି । ଆଜିର ପ୍ଲାଷ୍ଟିକ ଯୁଗରେ ବାଉଁଶ ତିଆରି ସାମଗ୍ରୀର ବିକ୍ରୀ ବଟା ପାଇଁ କୌଣସି ବଜାର ସୁବିଧା ନଥିବାରୁ କାରିଗର ମାନେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀକୁ ଉପଯୁକ୍ତ ମୁଲ୍ୟରେ ବିକ୍ରୀ କରିନପାରି ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ହାଟଡିହି ଗ୍ରାମର ମଣ୍ଡଳ ସାହି । ସାହିରେ ବାସ କରନ୍ତି ୧୦୦ରୁ ଉର୍ଦ୍ଧ ପରିବାର । ସମସଙ୍କର ମୁଖ୍ୟ ବେଉଷା ହେଲା ବାଉଁଶ କାରିଗର । ଛୁଆଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ବାଉଁଶ ତିଆରୀ ସାମଗ୍ରୀ କରିବାରେ ବ୍ୟସ୍ତ । ଏହା ସେମାନେ ବାପ ଗୋସବାପ ଅମଳରୁ କରି ଆସୁଛନ୍ତି । ବାଉଁରେ ପାଛିଆ, ଡଲା, କୁଲା, ନାଳିଆ, ଖଇଚଲା ଭଳି ଅନେକ ଗୃହକରଣା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ସେମାନେ ଫକିରପୁର, ସୋସୋ, କାନପୁର, ଆଗରପଡା, ମୁଗୁପୁର, ପ୍ରଭୃତି ଦୁରଦୁରାନ୍ତରୁ ବାଉଁଶ ସଂଗ୍ରହ କରି ଆଣି ଏହି ସାମଗ୍ରୀ ତିଆରି କରୁଛନ୍ତି । ପ୍ରଥମେ ବାଉଁଶକୁ ଚିରି ଛୋଟ ଛୋଟ ପାତିଆରେ ପରିଣତ କରିବାପରେ ସେଥିରୁ କୁଲା, ନାଳିଆ, ଡାଲା ଆଦି ପ୍ରସ୍ତୁତ କରିଥାନ୍ତି । ଏପରିକି ଗ୍ରାହକ ମାନଙ୍କୁ ଆକୃଷ୍ଟ କରିବାପାଇଁ ବାଉଁଶ ପାତିଆକୁ ରଙ୍ଗ ବେରଙ୍ଗ କରି ସାମଗ୍ରୀ ମାନ ପ୍ରସ୍ତୁତ କରିଥାନ୍ତି । ଏହି ବାଉଁଶ ପ୍ରସ୍ତୁତ ସାମଗ୍ରୀକୁ ସେମାନେ ଗାଁ ଗାଁ ଧରି ବୁଲି ବୁଲି ବିକ୍ରୀ କରିଥାନ୍ତି । ସେମାନଙ୍କ ମତରେ ଗୋଟିଏ ଗୋଟିଏ କୁଲା କିମ୍ବା ନାଳିଆକୁ ପ୍ରସ୍ତୁତ କରିବାକୁ ଗୋଟିଏ ଗୋଟିଏ ଦିନ ଲାଗି ଯାଉଥିବାବେଳେ ତାହାକୁ ସେମାନେ ମାତ୍ର ୫୦ଟଙ୍କାରେ ବିକ୍ରୀ କରିଥାନ୍ତି । ଯାହାକି ସେମାନଙ୍କ ଗୁଜୁରାଣ ମେଣ୍ଟବା ସମ୍ଭବପର ହେଉ ନାହିଁ । ବିଶେଷକରି କେନ୍ଦୁଝର, ବାଲେଶ୍ୱର, ମୟୁରଭଞ୍ଜ ଓ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ମେଳା ମଉଛବ ମାନଙ୍କରେ ଏମାନେ ନେଇ ବିକ୍ରିବଟା କରିଥାନ୍ତି । ଶହଶହ ବର୍ଷ ତଳୁ ସେମାନେ ଏହି ବାଉଁଶ କାରିଗରି କାମ କରି ଆସିôତଲେବି ସେମାନଙ୍କ ପାଇଁ କୌଣସି ସରକାରୀ ପ୍ରୋତ୍ସାହନ ମିଳି ପାରିନି । ଏହି ସାମାନ୍ୟତମ ଆୟରେ ସେମାନେ ପରିବାର ଚଳାଇବା କଷ୍ଟକର ହୋଇ ପଡୁଛି । ଏଠାରେ ସେମାନଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରୀ ପାଇଁ କୌଣସି ବଜାର ସୁବିଧା ନଥିବାବେଳେ ସରକାର ଏମାନଙ୍କୁ ଉନ୍ନତ ମାନର ସାମଗ୍ରୀ ନିର୍ମାଣ ପାଇଁ କୌଣସି ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରିନଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ସେହିପରି ଏମାନେ ବହୁବର୍ଷ ଧରି ଅବହେଳିତ ହୋଇ ରହି ଆସୁଥିବାବେଳେ ରହିବାପାଇଁ ଭଲ ଘର ଖଣ୍ଡିଏବି ନଥିବା ବେଳେ ଗତ ବର୍ଷ ୪୦ଭାଗ ଲୋକ ସରକାରଙ୍କ ବାସଗୃହ ଯୋଜନାରେ ସାମିଲ ହୋଇ ଘର ଖଣ୍ଡିଏ ଲେଖାଏଁ ପାଇଛନ୍ତି ଯେ ତାହା ପୁର୍ଣ୍ଣାଙ୍ଗ ହୋଇପାରି ନି । ଜିଲ୍ଲା ପ୍ରଶାସନ ଏମାନଙ୍କୁ ସହଯୋଗର ହାତ ବଢ଼ାଇଲେ ଏମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ଉପଯୁକ୍ତ ବିକ୍ରୀବଟା ହେବା ସହ ସେମାନଙ୍କ ନୈପୁଣ୍ୟତା ପରିବ୍ୟାପ୍ତ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି । ଏବେ ପ୍ଲାଷ୍ଟିକ ସାମଗ୍ରୀର ବହୁଳ ବ୍ୟବହାର ଆମର ହାତ ବାନ୍ଧି ଦେଇଛି । ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ଯୋଗୁଁ ଗ୍ରାହକମାନେ ଆମ ସାମଗ୍ରୀକୁ ଆଗ୍ରହ ଦେଖାଉ ନାହାନ୍ତି । ଗାଁ ଗାଁ ବୁଲି ଆମେ ଏହି ସାମଗ୍ରୀକୁ ଏକପ୍ରକାର ମାଗଣା ଯାଚଣାରେ ଦେଉଥିବାରୁ ପରିବାର ଚଳାଇବା କଷ୍ଟକର ହୋଇପଡୁଛି । ଯଦି ସରକାର ଆମକୁ ପ୍ରୋତ୍ସାହନ ଯୋଗାଇ ଦିଅନ୍ତେ ଓ ଏହାର ବିକ୍ରୀ ନମିନ୍ତେ କୌଣସି ବ୍ୟବସ୍ଥା କରନ୍ତେ ତେବେ ଆମେ ଉପକୃତ ହୋଇପାରନ୍ତୁ ବୋଲି କାରିଗର ନାଣ୍ଡି ମଣ୍ଡଳ ପ୍ରକାଶ କରିଛନ୍ତି । ଏ ସମ୍ପର୍କରେ ହାଟଡିହି ସରପଞ୍ଚ ଅନୁସୟା ସେଠୀଙ୍କ କହିବା କଥା ଯେ ହାଟଡିହିର ଶତାଧିକ ପରିବାର କେବଳ ବାଉଁଶ କାରିଗରି କାମ କରି ପେଟ ପୋଷନ୍ତି । ସେମାନଙ୍କ ପାଇଁ କୌଣସି ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ନାହିଁ । ଜିଲ୍ଲା ପ୍ରଶାସନ ସେମାନଙ୍କୁ ସହାୟତାର ହାତ ବଢ଼ାଇଲେ ସେମାନଙ୍କୁ ବିଭିନ୍ନ ଗୃହୋପକରଣର ସାଜସଜା ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ପ୍ରଶିକ୍ଷଣ ଯୋଗାଇଦେଲେ ସେମାନଙ୍କ ସାମଗ୍ରୀର ଚାହିଦା ବୃଦ୍ଧି ପାଆନ୍ତା ଓ ସେମାନଙ୍କ ଆର୍ôଥକ ଉନ୍ନତି ସମ୍ଭବ ହୋଇପାରନ୍ତା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ