ବିଚ୍ଛିନ୍ନାଞ୍ଚଳ ରାମପୁର ଗାଁ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ସ୍ୱାଧିନତାର ୭୪ବର୍ଷ ପରେ ମଧ୍ୟ ଉପକୂଳ ଓଡିଶାରେ ବିଚ୍ଛିନ୍ନାଞ୍ଚଳର ଚିତ୍ର ଦେଖିବାକୁ ମିଳୁଛି । ସଦର ମହକୂମା ଠାରୁ ମାତ୍ର ୭କି.ମି. ଭିତରେ ଥିବା ସ୍ଥାନ ଯେ ଯାତାୟତ ସମସ୍ୟା ଯୋଗୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛନ୍ତି ତାହା ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଏମିତି ଏକ ସ୍ଥାନ ହେଉଛି ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଅନ୍ତର୍ଗତ ରାମପୁର ଗାଁ । ୧୪ମୂଳ ପରିବାରକୁ ନେଇ ବର୍ତ୍ତମାନ ସୁଦ୍ଧା ୨୬ପରିବାର ଉକ୍ତ ଗାଁରେ ବସବାସ କରୁଛନ୍ତି । ଲୋକମାନଙ୍କର ମୁଖ୍ୟ ରୋଜଗାର କହିଲେ କେବଳ ଭାଗଚାଷ ହିଁ ଭରସା ପାଲଟିଛି । ଏହାଛଡା ଗାଁର କିଛି ଯୁବକ ମଧ୍ୟ ବାହାର ରାଜ୍ୟ ଯାଇ ରୋଜଗାର କ୍ଷମ ହୋଇ ପରିବାରର ଆର୍ଥିକ ସ୍ଥିତିକୁ କିଛିମାତ୍ରାରେ ସୁଦୃଢ କରିପାରିଛନ୍ତି । ସେ ଯାହାବି ହେଉ ପଞ୍ଚାୟତ ଗଠନ ବେଳେ ସାନମାଳଦା ଓ ଚତୁର୍ଭୁଜପୁରର କିଛି ପରିବାର ସହିତ ରାମପୁରର ୨୬ପରିବାରକୁ ନେଇ ୬ନଂ ୱାର୍ଡ ଗଠନ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଉକ୍ତ ରାମପୁର ଗାଁଟି ରହଣିଆ ପଞ୍ଚାୟତ ଦେଉଳପଦୀ ଗ୍ରାମକୁ ସଂଲଗ୍ନ ରହିଥିବାବେଳେ ମାଳଦା ପଞ୍ଚାୟତ କାର୍ଯ୍ୟାଳୟ ଓ ୱାର୍ଡ ସଂଲଗ୍ନ ଦୁଇଗୋଟି ଗାଁ ଠାରୁ ସଡକପଥରେ ପ୍ରାୟ ୯କି.ମି. ଦୂରରେ ରହିଛି । ବିକାଶର କଥାଯଦି କୁହାଯାଏ ସରକାରୀ ସାହାର୍ଯ୍ୟ ଭାବେ ସେଠାକାର ପରିବାରକୁ କିଛି ଇନ୍ଦିରାବାସ ଯୋଗାଯାଇଥିବା ବେଳେ ପାନୀୟ ଜଳ ପାଇଁ ଚାରିଟା ନଳକୂପ, ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଯୋଜନାରେ ବିଦ୍ୟୁତ ଯୋଗାଣ ଓ ରାସନ କାର୍ଡ ପ୍ରଦାନ କରାଯାଇଛି । ଏହା ସତ୍ତ୍ୱେ ଲୋକମାନଙ୍କର ଦୀର୍ଘବର୍ଷର ସମସ୍ୟା ଯାହାକି ତାଙ୍କୁ ଭୌଗଳିକ ଚିତ୍ରରେ ଦୁଇଗୋଟି ପଞ୍ଚାୟତରୁ ଅଲଗା ରଖିଛି ତାହେଲା ରାସ୍ତା । ଗାଁ ଭିତରେ ଗୋଟିଏ ବିରାଟ ପୋଖରୀ ଥିବାବେଳେ ପୋଖରୀ ଆଡି ସଂଯୁକ୍ତ ମାତ୍ର କେଇମିଟର ପକ୍କାରାସ୍ତା ନିର୍ମାଣ ହୋଇଛି । ଗାଁ ମଧ୍ୟସ୍ଥଳୀରୁ ରହଣିଆ ପଞ୍ଚାୟତ ଦେଉଳପଦୀ ଯାଏଁ ଏକ ପାଦଚଲା ମାଟିରାସ୍ତା ଥିଲେ ସୁଦ୍ଧା ତାହା ଯାତାୟତ ପାଇଁ ସୁଗମ ନୁହେଁ । ଖରାଦିନେ ସାଇକେଲ ଓ ମୋଟସାଇକେଲ କଥା ଛାଡ ପାଦରେ ଚାଲିଚାଲି ଯିବା ଉକ୍ତ ସଂକୀର୍ଣ୍ଣ ରାସ୍ତାରେ କଷ୍ଟକର ହେଉଥିବାବେଳେ ବର୍ଷାଦିନ କଥା ନକହିବା ଭଲ । ବିଡମ୍ବନାର ବିଷୟ ବୈତରଣୀରେ ବନ୍ୟା ଆସିଲେ ରାମପୁର ବାସୀଙ୍କ ନିଦ ହଜିଯାଏ । କାରଣ ଏହା ଖାଲୁଆ ଅଞ୍ଚଳ ହୋଇଥିବାବେଳେ ଥରେ ବନ୍ୟାପାଣି ମାଡିଲେ ସାତଦିନ ଯାଏଁ ଲୋକେ ପାଣି ଘେରରେ ରହିଥାଆନ୍ତି । ରାସ୍ତା ନଥିବାରୁ ପ୍ରସୂତୀ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ରୋଗୀକୁ ତତ୍କାଳ ମେଡିକାଲ ନେବା ମଧ୍ୟ ଲୋକମାନଙ୍କ ପାଇଁ କଷ୍ଟକର ହୋଇପଡେ । ଭଲ ରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀମାନେ ବାରମ୍ବାର ଦୀର୍ଘବର୍ଷ ହେବ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଧାୟକ, ସାଂସଦ ଓ ପ୍ରଶାସନ ଯାଏଁ ଗୁହାରୀ କରୁଥିଲେ ସୁଦ୍ଧା କେହି ଶୁଣୁନାହାଁନ୍ତି । କେବଳ ନିର୍ବାଚନ ବେଳେ ମାଳମାଳ ନେତା ଗାଁକୁ ଆସି ରାସ୍ତା ନିର୍ମାଣ ପାଇଁ ପ୍ରତିଶୃତି ପରେ ପ୍ରତିଶୃତି ଦେଇ ଯାଉଥିଲେ ସୁଦ୍ଧା ତାହା ଦୀର୍ଘବର୍ଷ ହେବ କାର୍ଯ୍ୟରେ ପରିଣତ ହୋଇପାରିନାହିଁ । ଯାହାକି ଗଣତାନ୍ତ୍ରିକ ବ୍ୟବସ୍ଥାର ଶାସନ ପଦ୍ଧତିକୁ ଅଟ୍ଟହାସ୍ୟ କରୁଛି । ଯେହେତୁ ଦୁଇ ପଞ୍ଚାୟତ ସୀମାରେ ଉକ୍ତ ଗାଁଟି ରହୁଛି ତେଣୁ ଗମନାଗମନ ପାଇଁ କୌଣସି ପଞ୍ଚାୟତ ଆନ୍ତରିକତା ପ୍ରକାଶ କରୁନଥିବା ଜଣାପଡିଛି । ଏପରିସ୍ଥଳେ ଉକ୍ତ ଗାଁର ସମସ୍ୟାକୁ ଠିକ ଭାବେ ବିଚାର କରାଯାଇ କେଉଁ ପଦ୍ଧତିରେ ରାସ୍ତା ନିର୍ମାଣ ହୋଇପାରିଲେ ଲୋକମାନେ ଉପକୃତ ହୋଇପାରିବେ ସେ ଉପରେ ପ୍ରଶାସନ ଦୃଷ୍ଟିଦେବା ଉଚିତ ।


