‘ବିଜୁ ଶ୍ରମିକ ବନ୍ଧୁ’ସମ୍ମାନପ୍ରାପ୍ତ ଗୌରାଙ୍ଗ ପାଣିଗ୍ରାହୀଙ୍କୁ ଜିଲାରେ ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା): ‘ଏଆଇଟିୟୁସି’ ରାଜ୍ୟ ଉପ-ସଭାପତି ଓ ବାଲେଶ୍ୱରର ବରିଷ୍ଠ ଶ୍ରମିକନେତା ଗୌରାଙ୍ଗ ପାଣିଗ୍ରାହୀଙ୍କୁ ଏଆଇଟିୟୁସି ଜିଲା କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଗତ ମଇ ପହିଲା ଶ୍ରମିକ ଦିବସରେ ରାଜ୍ୟ ସରକାର ଶ୍ରୀ ପାଣିଗ୍ରାହୀଙ୍କୁ ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନରେ ସମ୍ମାନିତ କରିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜିଲା କମିଟି ପକ୍ଷରୁ ଉଠାଜଳସେଚନ କର୍ମଚାରୀ ଭବନରେ ରବିବାର ଏକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହୋଇଥିଲା । ଜିଲା କମିଟି ସଭାପତି ଭାଗବତ ପ୍ରତିହାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ପାଣିଗ୍ରାହୀଙ୍କୁ ଏଆଇଟିୟୁସି ସମେତ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସାମାଜିକ ସଂଗଠନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ସିପିଆଇ ରାଜ୍ୟ ସଂପାଦକ ଅଭୟ ସାହୁଙ୍କ ସମେତ ସଂପାଦକ ମଣ୍ଡଳୀ ସଭ୍ୟ ଡା. ପ୍ରଶାନ୍ତ ମିଶ୍ର, କ୍ଷୀରୋଦ ସିଂହଦେଓ, ଏଆଇଟିୟୁସି ରାଜ୍ୟ ସାଧାରଣ ସଂପାଦକ ବିଜୟ ଜେନା ଓ ଜାତୀୟ ପରିଷଦ ସଭ୍ୟ ଜୟନ୍ତ ଦାସ, ସଂପାଦକ ମାୟାଧର ନାୟକ ପ୍ରମୁଖ ଯୋଗଦେଇ ଶ୍ରୀ ପାଣିଗ୍ରାହୀଙ୍କ ବହୁବିଧ ପ୍ରତିଭା ଓ କାର୍ଯ୍ୟଧାରାର ଭୂୟସୀ ପ୍ରଶଂସା କରିଥିଲେ । କେନ୍ଦ୍ରୀୟ ଶ୍ରମିକ ସଂଗଠନ ଆଇଏନ୍ଟିୟୁସି ଜିଲା ସଭାପତି ସୁରେଶ ଚନ୍ଦ୍ର ବେହେରା ଓ ବିକାଶ ଦାସ, ସିଆଇଟିୟୁ ପକ୍ଷରୁ ଜୀବନ ବୀମା କର୍ମଚାରୀ ନେତା ଶ୍ୟାମସୁନ୍ଦର ଜେନା, ପ୍ରତିରକ୍ଷା କର୍ମଚାରୀ ସମନ୍ୱୟ ସମିତି ପକ୍ଷରୁ ଜଗଦୀଶ ବାରିକ, ରବିନାରାୟଣ ମିଶ୍ର, ଡାକ କର୍ମଚାରୀ ନେତା ନିରଞ୍ଜନ ରାଉତ ଓ ଅକ୍ଷୟ କୁମାର ତ୍ରିପାଠୀ, ପାୱାର ଏମ୍ପ୍ଲୟିଜ୍ ୟୁନିୟନ୍ ସଭାପତି ଜଗଦୀଶ ବେହେରା ଓ ଭରତ ଚନ୍ଦ୍ର ସେଠୀ, ଅଙ୍ଗନୱାଡ଼ି କର୍ମୀ ସଂଘର ନେତ୍ରୀ ଆରତୀ ଦାସମହାପାତ୍ର, ମେଡିକାଲ୍ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ବାଲେଶ୍ୱର ସିଭିଲ୍ ସୋସାଇଟି ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ, ଉଠାଜଳ ସେଚନ କର୍ମଚାରୀ ସଂଘର ସହ ସଂପାଦକ ଶରତ ଚନ୍ଦ୍ର ଦଳାଇ, ଶଶଧର ପରିଡ଼ା, ଓଡ଼ିଶା ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଶଶିକାନ୍ତ ବେହେରା ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଶ୍ରୀ ପାଣିଗ୍ରାହୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ଏଆଇଟିୟୁସି ଜିଲା ସଂପାଦକ ଶ୍ୟାମସୁନ୍ଦର ଜେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଅନୁରୂପ ଭାବେ ପୂର୍ବାହ୍ନରେ ବରିଷ୍ଠ ନାଗରିକ ମଞ୍ଚ, ସିଭିଲ୍ ସୋସାଇଟି, ‘ସହାୟକ’ ସମେତ ବ୍ରାହ୍ମଣ ସମିତି ପକ୍ଷରୁ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ୧୯୭୪ ମସିହାରୁ ଶ୍ରୀ ପାଣିଗ୍ରାହୀ ଉଠା ଜଳସେଚନ କର୍ମଚାରୀଙ୍କୁ ସଂଗଠିତ କରି ରାଜ୍ୟ ଫେଡେରେସନ୍ ଗଠନ କରିଥିଲେ । ୧୯୭୫ ମସିହାରେ ବିଭିନ୍ନ ଶ୍ରମିକ ସଂଗଠନଙ୍କୁ ନେଇ ମିଳିତ ମଞ୍ଚ ଟିୟୁଏସିସି ପ୍ରତଷ୍ଠାରେ ତାଙ୍କର ଭୂମିକା ସର୍ବାଧିକ ଥିଲା । ଉଠାଜଳସେଚନ ନିଗମର କର୍ମଚାରୀ ଛଟେଇକୁ ବିରୋଧ କରି ସେ ୧୯୭୬ ମସିହାରେ ଜେଲ ଯିବା ସହ ବିଭିନ୍ନ ଜନଦାବିରେ ପ୍ରାୟ ୫ ଥର ଜେଲ୍ ବରଣ କରିଥିଲେ । ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେବାପରେ ସେ ବହୁ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ଏବେ ଜଡ଼ିତ ଅଛନ୍ତି ।