ବିଜେଡ଼ିର ଜନସମ୍ପର୍କ ପଦଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର-ମଧ୍ୟ ନିର୍ବାଚନ ମଣ୍ଡଳୀର ୩୦ ନମ୍ବର ୱାର୍ଡ଼ରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମାନ୍ୟବର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଏହି ପଦଯାତ୍ରାର ନେତୃତ୍ୱ ନେଇ ରାଜ୍ୟ ସରକାରଙ୍କ ସବୁ ଜନହିତକର ଯୋଜନା ଓ ବିଜେଡ଼ିର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଲୋକମାନଙ୍କୁ ସୂଚନା ଦେଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହେଉଥିବା ବିଭିନ୍ନ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ବାର୍ତ୍ତା ଘରେ ଘରେ ପହଞ୍ଚାଇବା ପାଇଁ ଗାନ୍ଧୀ ଜୟନ୍ତୀ ଠାରୁ ସାରା ରାଜ୍ୟରେ ବିଜେଡ଼ିର ପଦଯାତ୍ରା କାର୍ଯ୍ୟକ୍ରମ ଚାଲି ଆସୁଅଛି । ସମସ୍ତେ ସବୁ ସରକାରୀ ଯୋଜନାର ଲାଭ ପାଆନ୍ତୁ ଓ ସମସ୍ତେ ମିଶି ଆମ ପ୍ରିୟ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ କରି ଭାରତବର୍ଷରେ ନୂତନ ରେକର୍ଡ଼ କରିବାକୁ ସଂକଳ୍ପ ନେବା ପାଇଁ ମାନ୍ୟବର ବିଧାୟକ ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ୩୦ ନମ୍ବର ୱାର୍ଡ଼ କର୍ପୋରେଟର ଶ୍ରୀ ରାଜକିଶୋର ଦାସଙ୍କ ପୌରହିତ୍ୟରେ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସହିଦ ନଗର କଲ୍ୟାଣ ମଣ୍ଡପଠାରୁ ବାହାରି ବାଣୀବିହାର ରେଳ ଷ୍ଟେସନ ପାଖ ଅଞ୍ଚଳ, ତେଲୁଗୁ ବସ୍ତି, ବିର୍ସାମୁଣ୍ଡା ବସ୍ତ (କ), ବିର୍ସାମୁଣ୍ଡା ବସ୍ତି (ଖ), ସହିଦ ନଗର ହାଟ, ସହିଦ ସ୍ପୋର୍ଟିଂ କ୍ଲବ ଦେଇ ସାଇ ମନ୍ଦିର ପର୍ଯ୍ୟନ୍ତ ପରିକ୍ରମା କରିଥିଲା । ଏହି ପଦଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ବିଏମସି ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, କର୍ପୋରେଟର କବିତା ସ୍ୱାଇଁ, କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ, କର୍ପୋରେଟର କୁମାରେନ୍ଦ୍ର ମହାପାତ୍ର, ଜିଲ୍ଲା ବିଜେଡ଼ି ଉପଦେଷ୍ଟା ସରୋଜ ପାତ୍ର, ଅନ୍ୟତମ ଉପଦେଷ୍ଟା ସୁଧାଂଶୁ ତ୍ରିପାଠୀ, ଯୁବ ବିିଜେଡ଼ି ଅଭିଜ୍ଞାନ ପ୍ରସାଦ ନାୟକ, ଦୂରଦର୍ଶୀ ପତ୍ରିକାର ସମ୍ପାଦକ ଦୁର୍ଗା ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । ଭୁବନେଶ୍ୱରର ସବୁ ବସ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୨୪ ଘଣ୍ଟିଆ ପିଇବା ପାଣି, ଫେବର ବ୍ଲକ ରାସ୍ତା ଓ ଆଲୋକୀକରଣର ସୁବିଧା ଯୋଗାଇ ଦଆଯାଉଥିବା କଥା ମେୟର ସୁଲୋଚନା ଦାସ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଏହି ପଦଯାତ୍ରା ସମୟରେ ସହିଦ ନଗର ଅଞ୍ଚଳରେ ଥିବା ଗୋଟିଏ ବଡ଼ ଡ୍ରେନର ସମ୍ପୂର୍ଣ୍ଣ ମରାମତି ପାଇଁ ୬୮ ଲକ୍ଷ ଟଙ୍କା ଓ ମୁକ୍ତା ଯୋଜନାରେ ୧୧ଟି ଏସ୍ଏଚ୍ଜି ଗ୍ରୁପ୍କୁ ୱାର୍କଅର୍ଡର ଦେଇଥିବା ଜଣାପଡ଼ିଛି । ପଦଯାତ୍ରାରେ ବହୁ ସଂଖ୍ୟାରେ ବିଜେଡ଼ିର ଯୁବ, ଛାତ୍ର ଓ ମହିଳାମାନେ ଯୋଗ ଦେଇଥିଲେ ।