ବିଜେଡିର ଅଫିସ୍ ଗୃହ ଉଦ୍ଘାଟିତ, ଦଳରେ ମିଶିଲେ ଶହସ୍ରାଧିକ ଗ୍ରାମବାସୀ
ଯୋଡା, (ସମୀର କୁମାର ଦାସ): ଯୋଡା ବ୍ଲକ ଜୁରୁଡି ଠାରେ ବିଜେଡି ଦଳର ଏକ ନୂତନ ଅଫିସ ଗୃହ ଆନୁଷ୍ଠାନିକ ଭାବେ ଚମ୍ପୁଆ ବିଧାୟୀକା ମିନାକ୍ଷୀ ମହାନ୍ତଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ପଳସା, ଜଜାଙ୍ଗ, ଜଲହରି, ଜୁରୁଡି ପନ୍ଚାୟତର ହଜାର ହଜାର ଗ୍ରାମବାସୀ ଆନୁଷ୍ଠାନିକ ଭାବେ ବିଜେଡି ଦଳରେ ସାମିଲ ହୋଇଥିଲେ । ଏକ ଜନସଭାରେ ବିଧାୟୀକା ମହାନ୍ତଙ୍କ ସମେତ କେନ୍ଦୁଝର ଜିଲା ଯୁବ ସଭାପତି ରାକେଶ ରାମ, ଜିଲା ବିଜେଡି ଉପସଭାପତି ସଞ୍ଜିବ ପଲେଇ, ଯୋଡା ପୂର୍ବତନ ନଗରପାଳ ରବିନ୍ଦ୍ର କୁମାର ଦାସ ପ୍ରମୁଖ ଯୋଗଦେଇ ବିଜେଡି ଦଳର ଜନହିତକର କାର୍ଯ୍ୟ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ଅବଗତ କରାଇଥିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ କିପରି ସ୍ଥାନୀୟ ଲୋକଙ୍କ ନିକଟରେ ପହଁଚି ପାରିବ ଏ ନେଇ ଦଳ ତୃଣମୁଳ ସ୍ତରରୁ କାର୍ଯ୍ୟ କରିବା ଉଚିତ ବୋଲି କର୍ମୀ ମାନଙ୍କୁ ବିଧାୟୀକା ମହାନ୍ତ ଆହ୍ୱାନ ଦେଇଥିଲେ । ତେଣେ ବିଜେଡି ଦଳର କନ୍ଦଳ ମଧ୍ୟ ସେଠାରେ ଦେଖିବାକୁ ମିଳିଥିଲା । ବିଜେଡି ଦଳର ପୂର୍ବତନ ଯୋଡା ନଗର ସଭାପତି ନିରଞ୍ଜନ ବହିଦାର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଦଳରେ ନୂତନ କର୍ମୀ ସାମିଲ ହେବା ଶୁଭଙ୍କର, ଏହାକୁ ସ୍ୱାଗତ କରାଯିବା ଉଚିତ୍ ହେଲେ ପୁରୁଣା କର୍ମୀଙ୍କୁ ଅଣଦେଖା କରାଯିବା ଉଚିତ ନୁହେଁ । ଦଳର ପୁରୁଣା ଓ ପୁରୁଖା ନେତାମାନେ ସେଠାରେ ଅନୁପସ୍ଥିତ ଥିବାବେଳେ କିଛି ବରିଷ୍ଠ ନେତା ନାମକୁ ଗୋପନରେ ରଖି ସେମାନଙ୍କୁ ଦଳୀୟ କାର୍ଯ୍ୟକ୍ରମ ବିଷୟରେ ଅବଗତ କରାଯାଇନଥିବା କହିଥିଲେ । କିଛି ଅସାଧୁ ଖଣି ବ୍ୟବସାୟୀ ନିଜ ସ୍ୱାର୍ଥ ହାସଲ କରିବାପାଇଁ ବିଜେଡି ଦଳରେ ସାମିଲ ହୋଇ ନିଜର ସ୍ୱାର୍ଥ ସାଧନ କରୁଛନ୍ତି ବୋଲି ବରିଷ୍ଠ ଓ ତୁଙ୍ଗ ନେତାମାନେ ଆଲୋଚନା କରୁଛନ୍ତି ।