ବିଜେପିରେ ଟିକଟ ବଣ୍ଟାକୁ ବିରୋଧ କରି ବିଜେପି ଶତାଧିକ କର୍ମୀ ଓ କର୍ମକର୍ତ୍ତାଙ୍କ ଇସ୍ତଫା
ବାଲେଶ୍ୱର,ଯୁଗାବ୍ଦ ନ୍ୟୁଜ ) : ଚଳିତ ବିଧାନସଭା ନିର୍ବାଚନରେ ଟିକଟ ବଣ୍ଟନକୁ କେନ୍ଦ୍ର କରି ବସ୍ତା ବିଜେପିରେ ବିଦ୍ରୋହ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ବିଜେପିର ବରିଷ୍ଠ ନେତା ତଥା ରଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ୟାମାପ୍ରସାଦ ବେହେରା ବସ୍ତା ନିର୍ବାଚନ ମଣ୍ଡଳୀରେ ତୃଣମୂଳ ସ୍ତରରୁ ୩୬ ବର୍ଷ ଧରି ସଂଗଠନ କରିଆସିଥିଲେ । ଖାରବେଳ ସ୍ୱାଇଁ ୨୦୦୯ ମସିହାରେ ଦଳକୁ ଧ୍ୱଂସ କରି ଚାଲିଯିବା ପରେ ଶୂନ୍ୟରୁ ସଫଳତା ଆଡକୁ ଦଳକୁ ପହଞ୍ଚାଇଥିବା ଶ୍ରୀ ବେହେରାଙ୍କୁ ବସ୍ତା ଆସନରେ ବିଜେପି ଟିକଟରୁ ବଞ୍ଚିତ କରାଯାଇଥିବା ଯୋଗୁଁ ଶ୍ରୀ ବେହେରାଙ୍କ ସମେତ ବିଭିନ୍ନ ମଣ୍ଡଳ ସଭାପତି, ସରପଞ୍ଚ, ସମିତି ସଭ୍ୟ, ନାଏବ ସରପଞ୍ଚ, ସମବାୟ ସମିତି ସଭାପତି, ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, କଲେଜ ଛାତ୍ର ସଂସଦ ସଭାପତି ପ୍ରମୁଖ ଭାରତୀୟ ଜନତା ପାର୍ଟିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ଅଭିଯୋଗ ଯେ, ଯେଉଁ ରଘୁନାଥ ମହାନ୍ତି ବିଭିନ୍ନ ଅପରାଧିକ ମାମଲାରେ ଜେଲରୁ ଫେରିଛନ୍ତି, ବଧୂ ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତ ହେବା ସହ ତାଙ୍କ ଉପରେ ଏବେ ବି ଖଣି ଦୁର୍ନିତୀର ଖଣ୍ଡା ଝୁଲୁଛି । କେବଳ ସେତିକି ନୁହେଁ ଶ୍ରୀ ମହାନ୍ତି ବିଜେପିକୁ ସାଂପ୍ରଦାୟିକ ଦଳ କହି କଟୁ ସମାଲୋଚନା କରିଥିବା, ଓଡିଶାରେ ଅମିତ ଶାହାଙ୍କ ୧୨୦+ ମିଶନକୁ ତାଚ୍ଛଲ୍ୟ କରି ମାତ୍ର ୧୨ଟି ଆସନ ମିଳିବ ବୋଲି ଥଟ୍ଟା କରିବା ସହ ତାଙ୍କର ରାଜନୀତିକ ଜୀବନରେ କଂଗ୍ରେସ ଅପେକ୍ଷା ବିଜେପି କର୍ମୀଙ୍କୁ ପ୍ରବଳ ଉତ୍ପୀଡନ କରଥିଲେ ଏବଂ ବିଜେପିକୁ ଧୂଳିସାତ୍ କରିବାକୁ ଚେଷ୍ଟା କରିଥିଲେ । ବିଜୁ ଜନତା ଦଳରୁ ଜଳେଶ୍ୱର ଓ ବସ୍ତା ଆସନରୁ ଟିକଟ ଦୌଡରେ ନିରାଶ ହୋଇଥିବା ଜଣେ ଏଭଳି ପ୍ରତ୍ୟାଖ୍ୟାତ ନେତା ରଘୁବାବୁଙ୍କୁ ବିଜେପି ତରଫରୁ ପ୍ରାର୍ଥୀ ଭାବରେ ଲଦି ଦିଆଯିବାର ଚକ୍ରାନ୍ତକୁ ବିଜେପି କର୍ମୀମାନେ ବରଦାସ୍ତ ନକରି ଆଜି ସାମୂହିକ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି ଏବଂ ଏହି ଚକ୍ରାନ୍ତରେ ସାମିଲ ଥିବା ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଓ ମଦନ ମୋହନ ଦତ୍ତ ପୂର୍ବତନ ମନ୍ତ୍ରୀ ଶ୍ରୀ ମହାନ୍ତିଙ୍କ ଖଣିଟଙ୍କା ଆଗରେ ବସ୍ତା ବିଜେପିକୁ ନିଲାମ କରି ଦିଆଯାଉଛି ବୋଲି ଏହି କର୍ମୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି ।


