ବିଜେପିରେ ଦାର୍ଜିଲିଂର ୧୭ କାଉନ୍ସିଲର
ନୂଆଦିଲ୍ଲୀ(ଏଜେନ୍ସି): ଦାର୍ଜିଲିଂ ପୌରନିଗମର ୧୭ଜଣ କାଉନ୍ସିଲର (ପାରିଷଦ) ଆଶ୍ଚର୍ଯ୍ୟଜନକ ଭାବେ ଶନିବାର ବିଜେପିରେ ଯୋଗଦେଇଛନ୍ତି । ଫଳରେ ଦାର୍ଜିଲିଂ ପୌରନିଗମରେ ଏବେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିଯାଇଛି । ବିଜେପି ନେତା ମୁକୁଲ ରାୟ ଏହି ୧୭ପାରିଷଦଙ୍କୁ ଔପଚାରିକ ଭାବେ ଦଳକୁ ସ୍ୱାଗତ କରିଛନ୍ତି । ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏସମ୍ପର୍କରେ ସୂଚନା ଦେଇ ଶ୍ରୀ ରାୟ କହିଛନ୍ତି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ ସହାୟତାରେ ଜନ ପ୍ରତିନିଧି ଏବଂ ସେମାନଙ୍କ ସମର୍ଥକଙ୍କୁ ହଇରାଣ ହରକତ କରୁଛନ୍ତି । ସମ୍ପୃକ୍ତ ୧୭ ପାରିଷଦ ପୂର୍ବରୁ ଗୋର୍ଖା ଜନମୁକ୍ତି ମୋର୍ଚ୍ଚାରେ ଯୋଗ ଦେଇଥିଲେ । କିନ୍ତୁ ଏବେ ଏମାନେ ବିଜେପିକୁ ବାଛିଛନ୍ତି । ମୁକୁଲ ରାୟଙ୍କ କହିବାନୁସାରେ ରାଜ୍ୟରେ ଲୋକତନ୍ତ୍ରର ମୂଲ୍ୟବୋଧ ବଞ୍ଚେଇ ରଖିବା ପାଇଁ ଲଢେଇ ଜାରି ରହିବ । ୨ଠ୧୯ ଲୋକସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତାଙ୍କ ବିରୁଦ୍ଧରେ ଲୋକମତ ଯାଇଥିବାରୁ ସେ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକମାନଙ୍କୁ ପୁଲିସ ଦ୍ୱାରା ହଇରାଣ କରି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ପ୍ରକାଶ ଯେ, ୩୨ ଆସନ ବିଶିଷ୍ଟ ଦାର୍ଜିଲିଂ ନଗର ନିଗମରେ ଏବେ ବି ଦୁଇଟି ଆସନ ଖାଲି ରହିଥିବା ବେଳେ ବିଜେପିକୁ ସଂଖ୍ୟା ଗରିଷ୍ଠତା ମିଳିବା ଶାସକ ଦଳ ପାଇଁ ଚିନ୍ତାର କାରଣ ସାଜିଛି ।