ବିଜେପି ପକ୍ଷରୁ କୋଣାର୍କ ଯାତ୍ରିନିବାସ ଠାରେ କଳା ଦିବସ ପାଳିତ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଶାସନ ସମୟରେ ଦେଶରେ ଲାଗୁ କରାଯାଇଥିବା ଜରୁରୀକାଳୀନ ପରିସ୍ଥିତିର ପଚାଶ ବର୍ଷ ପୂର୍ତ୍ତି ଅବସରରେ ବିଜେପି ପକ୍ଷରୁ ଆଜିର ଦିନକୁ ଦେଶ ସାରା କଳା ଦିବସ ଭାବେ ପାଳନ କରାଯାଉଥିବା ବେଳେ ପୁରୀ ଜିଲାରେ କୋଣାର୍କ ଯାତ୍ରୀ ନିବାସ ଠାରେ ବିଜେପି ପକ୍ଷରୁ ଜିଲ୍ଲା ସ୍ତରୀୟ କଳା ଦିବସ ପାଳିତ ହୋଇଯାଇଛି । ନିଜର ଶାସନ ଗାଦିକୁ ବଞ୍ଚାଇ ରଖିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରା ଗାନ୍ଧୀ ୧୯୭୫ ମସିହା ଜୁନ ୨୫ତାରିଖରେ ୩୫୨ଧାରା ଅନୁଯାୟୀ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ। ତତ୍କାଳୀନ କଂଗ୍ରେସ ସରକାର ଦୀର୍ଘ ୧୯ମାସ ଧରି ସାରା ଦେଶରେ ସ୍ୱେଛଚାରୀ ଶାସନ କରିବା ସହ ବିଭିନ୍ନ ବର୍ଗର ନେତା, ସାମ୍ବାଦିକ ମାନଙ୍କୁ ଜେଲରେ ଭର୍ତ୍ତି କରିଥିଲେ। ଏହି ଦିନକୁ ବିଜେପି ପକ୍ଷରୁ କଳା ଦିବସରୁପେ ପାଳନ କରିଆସୁଛି। ଆଜି ଏହି ଜରୁରୀକାଳୀନ ପରିସ୍ଥିତିକୁ ୫୦ବର୍ଷ ପୂର୍ତ୍ତି ଅବସରରେ ପୁରୀ ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଅଛି। କୋଣାର୍କ ଯାତ୍ରୀ ନିବାସ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକାର୍ତ୍ତା ତଥା ଶ୍ରୁତି ଖବରକାଗଜର ସମ୍ପାଦକ ସର୍ବେଶ୍ୱର ମିଶ୍ର , ବିଜେପିର ବରିଷ୍ଠ ନେତା ଶଙ୍କର ପରିଡା, ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦେବେନ୍ଦ୍ର ତରାଇ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ, ଜୟନ୍ତ ଷଡ଼ଙ୍ଗୀ, ବାଇଧର ମଲ୍ଲିକ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଜୟନ୍ତ ଦାସ ପ୍ରମୁଖ ଯୋଗଦେଇ ଜରୁରୀକାଳୀନ ସ୍ଥିତି ସମୟରେ କଂଗ୍ରେସ ସରକାରଙ୍କ ବର୍ବରତା ଓ ସାମ୍ବିଧାନିକ ସଙ୍କଟ ସମ୍ପର୍କରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମଣ୍ଡଳ ସଭାପତି ଓ ଜିଲ୍ଲା ସ୍ତରୀୟ କାର୍ଯ୍ୟକାର୍ତ୍ତାଙ୍କ ସମେତ କୋଣାର୍କ ମଣ୍ଡଳ ସଭାପତି ସୁକାନ୍ତ ନାୟକ, ସୁରେନ ପାଲ୍,ରଶ୍ମିରଞ୍ଜନ ବିଶ୍ଵାଳ, ରଞ୍ଜିତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିବାବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଓଝା ମଞ୍ଚ ପରିଚାଳନା କରିଥିଲେ। ଆସନ୍ତା ୨୭ ତାରିଖ ଠାରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ମତଦାତା ଦିବସ ପାଳନ କରାଯିବ ବୋଲି ଦଳ ପକ୍ଷରୁ ପ୍ରକାଶ କରାଯାଇଅଛି ।