ବିଜେଡ଼ି ସାଙ୍ଗଠନିକ ନିର୍ବାଚନ : ଯୁବ, ଛାତ୍ର ବିଜେଡ଼ି କର୍ମକର୍ତା ମନୋନୀତ ବ୍ଳକ ଓ ନଗର ସଭାପତି ପାଇଁ ଆଶାୟୀଙ୍କ ଉତ୍କଣ୍ଠା
ହିଂଜିଳିକାଟୁ, (ଶେଷଦେବ ସାହୁ) : ଚଳିତ ସପ୍ତାହରେ ଶାସକ ବିଜୁ ଜନତା ଦଳର ସାଙ୍ଗଠନିକ ପଦ ପଦବି ଘୋଷଣା ହେବାରେ ଲାଗିଛି । ଦଳୀୟ ଛାମୁଆ ସଙ୍ଗଠନ, ଛାତ୍ର, ଯୁବ ବିଜେଡ଼ି ସହିତ ଡ଼ିଜିଟାଲ ସଂଗଠନର କର୍ମକର୍ତାଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବ୍ଳକ ଓ ନଗର ସଭାପତିଙ୍କ ନାମ ଏଯାବତ୍ ଘୋଷଣା କରାଯାଇନାହିଁ । ଆସନ୍ତା ୨/୩ ଦିନ ମଧ୍ୟରେ ଗଂଜାମ ଜିଲ୍ଲାର ସମସ୍ତ ବ୍ଳକ ଓ ସହରାଂଚଳରେ ନଗର ସଭାପତିଙ୍କ ନାମ ଘୋଷଣା କରାଯିବ ବୋଲି ଦଳୀୟ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ହିଂଜିଳିକାଟୁ ବ୍ଳକ ଓ ପୌରାଂଚଳର ସଭାପତି କିଏ ହେବ ସେ ନେଇ ଆଶାୟୀ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ଭରି ରହିଛି । ହିଂଜିଳିକାଟୁ ବ୍ଳକ ଓ ନଗର ସଭାପତିଙ୍କ ସ୍ୱତନ୍ତ୍ର ଦବ୍ଦବା ରହି ଆସୁଥିବା ଯୋଗୁଁ ସଂପୃକ୍ତ ପଦବି ସକାଶେ ବହୁ ଆଶାୟୀ ରହିଥିବା ଜଣାପଡ଼ିଛି । ଆଶାୟୀ ପ୍ରାର୍ଥୀ ମାନେ ଭିନ୍ନ ଭିନ୍ନ ଉପାୟରେ ଲବି କରି ଆସୁଥିବା ଜଣାପଡ଼ିଛି । ତେବେ ନିଜ ନିର୍ବାଚନ ମଣ୍ଡଳୀର ଉଭୟ ବ୍ଳକ ଓ ନଗର ସଭାପତି ପଦବି ସକାଶେ ନିଷ୍ପତି କେବଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ । ଆଗକୁ ପୌର ଓ ତ୍ରୀସ୍ତରୀୟ ନିର୍ବାଚନ ରହିଥିବା ବେଳେ ଉଭୟ ବ୍ଳକ ଓ ନଗର ସଭାପତି ଆଶାୟୀଙ୍କ ସଂଖ୍ୟା ଲମ୍ବି ଥିବା ଜଣାପଡ଼ିଛି । ଚଳିତ ବର୍ଷ ଯୁବ ବିଜେଡ଼ି ବ୍ଳକ ସଭାପତି ଭାବେ ମନୋଜ ସାବତ ଓ ପୌରାଂଚଳ ସଭାପତି ଭାବେ ସଂଜୟ କୁମାର ପଣ୍ଡା ପୁର୍ନବାର ମନୋନୀତ ହୋଇଥିବା ବେଳେ ଛାତ୍ର ବିଜେଡ଼ି ସଭାପତି ଓ ସମ୍ପାଦକ ପଦବି ପରିବର୍ତନ କରାଯାଇଛି ପୂର୍ବରୁ ହିଂଜିଳିକାଟୁ ବ୍ଳକ ବିଜେଡ଼ି ସଭାପତି ଭାବେ ସୁରେନ୍ଦ୍ର ପ୍ରଧାନ ଓ ପୌରାଂଚଳ ବିଜେଡ଼ି ସଭାପତି ଭାବେ ଭୀମସେନ ବେହେରା ରହି ଆସୁଥିବା ବେଳେ ଚଳିତ ଥର ମଧ୍ୟ ସେମାନେ ହିଁ ରହିବେ ନା ପରିବର୍ତନ ହେବ ସେ ନେଇ ଆଶାୟୀ କର୍ମୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି । ତେବେ ସଂପୃକ୍ତ ପଦବି ସକାଶେ କହାର ନାମ ଘୋଷଣା କରାଯାଉଛି ଦେଖିବାକୁ ବାକି ରହିଛି ।


