ବିଦ୍ୟାଳୟରେ ଅଛନ୍ତି ପ୍ରବାସୀ ପିଲାଙ୍କ ନାମଲେଖାକୁ ନେଇ ଅନିଶ୍ଚିତତା

କୋଦଳା, (ଗୁଲସନ୍ କୁମାର କର):ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀଙ୍କ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୁନ୍ ୮ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି ନାମଲେଖା ଚାଲିବ ବୋଲି କୁହାଯାଇଛି। ତେବେ ଏହାକୁ ନେଇ ବିଭିନ୍ନ ବ୍ଲକରେ ଏବେ ଆଶା ଆଶଙ୍କା ଦେଖା ଦେଇଛି। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ୨୩ ଟି ପଞ୍ଚାୟତର ୧୨୨ ଟି ସ୍କୁଲରେ ପ୍ରବାସୀ ମାନଙ୍କ ପାଇଁ ସଂଘରୋଧ ଗୃହ କରାଯାଇଛି ଏବଂ ସବୁଠି ପ୍ରବାସୀ ମାନେ ରହିଥିବା ଜଣାପଡ଼ିଛି ।ନାମଲେଖା ସମୟରେ ଦୈନିକ ୫ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯାଇ ପାରିବେ ବୋଲି କୁହାଯାଇଛି। ତେବେ ସଂଘରୋଧ ଗୃହକୁ କୁନି କୁନି ପିଲା, ଅଭିଭାବକ କିପରି ଯାଇ ନାମ ଲେଖାଇବେ ତାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂଘରୋଧ କେନ୍ଦ୍ରରେ ଥିବା ପ୍ରବାସୀ ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇ ବିଦ୍ୟାଳୟ ଗୁଡିକୁ ବିଶୋଧନ କରାଗଲା ପରେ ନାମଲେଖା ପ୍ରକ୍ରିୟା ଆରମ୍ଭ କରାଯିବାକୁ ଅଭିଭାବକ ମାନେ ମତ ପ୍ରକାଶ କରିଛନ୍ତି। କରୋନା ମହାମାରୀ ପରି ଏକ ଜାତୀୟ ବିପତ୍ତି ସମୟରେ ଗଣଶିକ୍ଷା ମନ୍ତ୍ରୀଙ୍କ ଏଭଳି ଖାମଖିଆଲି କାର୍ଯ୍ୟକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ମଧ୍ୟ ନାପସନ୍ଦ କରିଛନ୍ତି। ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏବେ କରୋନା ଡ୍ୟୁଟିରେ ରହୁ ଥିବାରୁ ନାମଲେଖା କାର୍ଯ୍ୟ କିଭଳି ହେବ ଓ ସେମାନେ କିପରି ନିଜ ସ୍କୁଲରେ ଉପସ୍ଥିତ ରହି ନାମଲେଖା ଓ ବିଦ୍ୟାଳୟ ପରିତ୍ୟାଗ ସାର୍ଟିଫିକେଟ ପ୍ରଦାନ କରିବେ ବୋଲି ପ୍ରଶ୍ନ କରିଛନ୍ତି ସମାଜସେବୀ ସୁଶାନ୍ତ କୁମାର ପଟ୍ଟନାୟକ। ଏଣୁ ଏଭଳି ନିଷ୍ପତ୍ତିକୁ ହାଲକା ଭାବେ ନ ନେଇ ପୁନର୍ବାର ଚିନ୍ତା କରି ବିଦ୍ୟାଳୟ ଗୁଡିକର ଉପଯୁକ୍ତ ବିଶୋଧନ ପରେ ହିଁ ନାମଲେଖା କାର୍ଯ୍ୟ ଆରମ୍ଭ ପାଇଁ ଦାବି କରାଯାଇଛି। ତେବେ ଯେଉଁ ସଂଘରୋଧ ଗୃହ ତଥା ସ୍କୁଲରେ ସମ୍ଭବ ହୋଇ ପାରୁଛି ସେଠାରେ ଆଡମିସନ ଆରମ୍ଭ ହୋଇଛି ଏବଂ ଯେଉଁଠି ସମ୍ଭବପର ନୁହେଁ ସେଠାରେ ଆଡମିସନ ସ୍ଥଗିତ ରଖାଯାଇଛି ବୋଲି କହିଛନ୍ତି ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଶିକ୍ଷା ଅଧିକାରୀ କମଳାକାନ୍ତ ସାହୁ ।ପିଲାମାନଙ୍କୁ ଆସିବାକୁ ସମ୍ପୁର୍ଣ୍ଣ ଭାବରେ ବାରଣ କରାଯାଇ ଅଭିଭାବକ ମାନଙ୍କୁ ଆସିବାକୁ କୁହାଯାଇଛି ବୋଲି ସେ କହିଛନ୍ତି। ଅପରପକ୍ଷେ ପ୍ରବାସୀ ମାନେ ସଂଘରୋଧ ଗୃହରୁ ଘରକୁ ଫେରିଯିବା ପରେ ସଂପୃକ୍ତ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀ ମାନେ ନାମ ଲେଖାଇବେ ଏବଂ ଜୁନ୍ ୧୫ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହୋଇଯିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ