ଏକାଧାରରେ ସେ ଥିଲେ ଜଣେ ସଫଳ କୃଷକ, ଆଦର୍ଶ ଶିକ୍ଷକ, ବିଶିଷ୍ଟ ଶିକ୍ଷାବିତ୍ ଓ ଅପ୍ରତିଦ୍ୱନ୍ଦୀ ରାଜନେତା
ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡଙ୍ଗ ଗ୍ରାମର ପିତା ସ୍ୱର୍ଗତ ଶ୍ରୀମୁଖ ସେଠୀ ଓ ମାତା ପାର ଦେଈଙ୍କ ଗର୍ଭରୁ ୧୯୪୧ ମସିହା ସେପ୍ଟେମ୍ବର ୧୮ ତାରିଖରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅର୍ଜ୍ଜୁନ ଚରଣ ସେଠୀ ଜନ୍ମ ଗ୍ରହଣ କରିଥିଲେ । ତାଙ୍କର ୩ ପୁଅ ଓ ୨ ଝିଅ ଅଛନ୍ତି । ସେ ଏକାଧାରରେ ଜଣେ ସଫଳ କୃଷକ, ଆଦର୍ଶ ଶିକ୍ଷକ ଓ ବିଶିଷ୍ଟ ଶିକ୍ଷାବିତ୍ ଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ପୋଷ୍ଟ ଗ୍ରାଜୁଏଟ୍ ଥିଲା । ପରବର୍ତ୍ତୀ ଅବସ୍ଥାରେ ସେ ଶିକ୍ଷକତାରୁ ରାଜନେତା ପାଲଟି ଯାଇଥିଲେ । ବିଭିନ୍ନ ସମୟରେ ତାଙ୍କର ଲେଖା ଗୁଡିକ ଖବର କାଗଜ ଓ ମ୍ୟାଗାଜିନ୍ରେ ପ୍ରକାଶିତ ହୋଇଥିଲା । ରାଜ୍ୟରେ ୧୯୭୧ ମସିହା ବାତ୍ୟା ସମୟରେ ସେ ଗ୍ରାମାଞ୍ଚଳର ଗରିବ ଲୋକଙ୍କ ପାଇଁ ବହୁତ କିଛି କାର୍ଯ୍ୟ କରିଥିଲେ । ୧୯୭୧ରେ ୫ମ ଲୋକସଭା ନିର୍ବାଚନରେ ଭଦ୍ରକ ଆସନରେ ଭାରତୀୟ ଜାତୀୟ କଂଗ୍ରେସରୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ଭଦ୍ରକ ସାଂସଦୀୟ କ୍ଷେତ୍ରରୁ ଭାରତୀୟ ଜାତୀୟ କଂଗ୍ରେସ(ଆଇ)ରୁ ନିର୍ବାଚିତ ହୋଇଥିଲେ । ୧୯୯୧ରେ ଜନତା ଦଳ ଟିକେଟରେ ଭଦ୍ରକ ସାଂସଦୀୟ କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ । ୧୯୯୮, ୧୯୯୯, ୨୦୦୪, ୨୦୦୯, ୨୦୧୪ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ଭଦ୍ରକ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୨୦୦୦ରୁ ୨୦୦୪ ମସିହା ମଧ୍ୟରେ ସେ ଅଟଳ ବିହାରୀ ବାଚ୍ଚପେୟୀ ସରକାରରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ହୋଇଥିଲେ । ଏଥିସହ ସେ ୧୯୯୦-୯୧ ଏବଂ୧୯୯୫-୯୮ରେ ଦୁଇ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୮ ଜୁନ୍ ୭ରେ ଯୁଗ୍ମ ସଂସଦୀୟ କମିଟିର ସଭ୍ୟ, ୨୦୧୭ ମେ ୧ରୁ ୨୦୧୮ ଏପ୍ରିଲ୍ ୩୦ ମଧ୍ୟରେ ସେ ଏଷ୍ଟିମେଟ୍ କମିଟିର ସଭ୍ୟ, ୨୦୧୫ ଜାନୁଆରୀ ୨୯ରେ ଜେନେରାଲ ପର୍ପୋଜ୍ କମିଟିର ସଭ୍ୟ, ରୁରାଲ୍ ଡେଭ୍ଲପ୍ମେଣ୍ଟ, ପଞ୍ଚାୟତରାଜ ଏବଂ ପାନୀୟ ଜଳ ଓ ସାନିଟାଇଜେସନ ମନ୍ତ୍ରଣାଳୟ କନ୍ସଲ୍ଟିଭ୍ କମିଟିର ସଭ୍ୟ ଥିଲେ । ୭୮ ବର୍ଷ ବୟସରେ ୨୦୧୯ ମସିହାରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦ ସହ ଜିଲ୍ଲା ସଭାପତି ପଦବୀରୁ ଇସ୍ତଫା ଦେଇ ପୁଅ ଅଭିମନ୍ୟୁଙ୍କ ସହିତ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ବୟସାଧିକ କାରଣରୁ ସେ ସକ୍ରିୟ ରାଜନୀତି ଠାରୁ ଦୂରରେ ରହୁଥିଲେ । ତାଙ୍କ ମୃତ୍ୟୁରେ ଆଜି ସମଗ୍ର ଜିଲ୍ଲାବାସୀ ମର୍ମାହତ ହୋଇପଡିଛନ୍ତି । ଜଣେ ସୁଯୋଗ୍ୟ ସନ୍ତାନଙ୍କୁ ହରାଇ ଆଜି ତାଙ୍କ ଜନ୍ମ ମାଟି ଓଡଙ୍ଗ କାନ୍ଦୁଛି । ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ତାଙ୍କୁ ଭଲ ପାଉଥିବା ଲୋକଙ୍କ ଆଖିରୁ ଲୁହ ଝରି ଚାଲିଛି । ତାଙ୍କ ଭଳି ଜଣେ ସଚ୍ଚୋଟ ବ୍ୟକ୍ତିଙ୍କୁ ଆଉ ଜିଲ୍ଲାବାସୀ ଫେରି ପାଇବେ ନାହିଁ ବୋଲି କହିଛନ୍ତି ।


