ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କଲେ ୪ ଲକ୍ଷ ଟଙ୍କାର ସହାୟତା
ଭୂବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ବିଦ୍ୟୁତ୍ ଆଘାତ କାରଣରୁ ବିଭିନ୍ନ ସମୟରେ ଅକାଳରେ ଝଡିପଡୁଛି ନିରିହ ଜୀବନ । କେତେବେଳେ ବିଦ୍ୟୁତ୍ ବିଭାଗରେ କାମ କରୁଥିବା କର୍ମଚାରୀ ବିଦ୍ୟୁତ୍ ଆଘାତ ପାଇ ମୃତ୍ୟୁବରଣ କରୁଛନ୍ତି ତ ଆଉ କେତେ ବେଳେ ସାଧାରଣ ଲୋକ ବିଦ୍ୟୁତ୍ ସଂସ୍ପଷ୍ଟରେ ଆସି ମୃତ୍ୟୁବରଣ କରୁଛନ୍ତି । ଏଥିଲାଗି ରାଜ୍ୟ ସରକାର ବିଦ୍ୟୁତ୍ ଆଘାତରେ ମୃତ୍ୟୁ ବରଣ କଲେ ମୃତକ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି ମଙ୍ଗଳବାର ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ବିଧାନ ସଭାରେ ସୂଚନା ଦେଇଛନ୍ତି । ସେହିପରି ଶରୀରର ୬୦% କ୍ଷତି ହେଲେ ୨ ଲକ୍ଷ ଟଙ୍କା, ୪୦%ରୁ ୬୦% ମଧ୍ୟରେ କ୍ଷତି ହେଲେ ୫୯ ହଜାର ୫୦୦ ଟଙ୍କା ମିଳିବ। ପୀଡ଼ିତ ୭ଦିନରୁ ଅଧିକ ସମୟ ମେଡିକାଲରେ ରହି ଚିକିତ୍ସିତ ହେଲେ ୧୨ ହଜାର ଟଙ୍କା ଦିଆଯିବ। ୧ ସପ୍ତାହରୁ କମ୍ ସମୟ ଚିକିତ୍ସା ହେଲେ ୪୫୦୦ ଟଙ୍କା ପ୍ରଦାନ କରାଯିବ।ଏହାବ୍ୟତୀତ ଗାଈ, ମଇଁଷିଙ୍କ ମୃତ୍ୟୁ ଘଟିଲେ ୩୦ ହଜାର ଟଙ୍କା, ଛେଳି, ମେଣ୍ଢା, ଘୁଷୁରୀ ମଲେ ୩ ହଜାର ଏବଂ କୁକୁଡ଼ା ଫାର୍ମ ନଷ୍ଟ ହେଲେ ୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ। ରାଜ୍ୟ ସରକାର ଏ ନେଇ ବିଦ୍ୟୁତ ନିୟାମକ ଆୟୋଗଙ୍କୁ ସୁପାରିସ କରିଛନ୍ତି।