ବିଦ୍ୟୁତ କଟିଲେ କଂଟୁଣିଆହାଟ ୟୁକୋ ବ୍ୟାଙ୍କ ଅଚଳ, ଗ୍ରାହକ ହନ୍ତସନ୍ତ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜନସାଧାରଣ ଟଙ୍କା ଜମା ,ଉଠାଣ, ଋଣ ସହିତ ବ୍ୟାଙ୍କ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟ ପାଇଁ ନିକଟସ୍ଥ ବ୍ୟାଙ୍କ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ବିଦ୍ୟୁତ କଟିଲେ ଗ୍ରାହକମାନେ ଉପଯୁକ୍ତ ସେବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ପ୍ରକାଶଯୋଗ୍ୟ ଯେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଂଚାୟତ କଂଟୁଣିଆହାଟରେ ରହିଛି କଂଟୁଣିଆହାଟ ୟୁକୋ ବ୍ୟାଙ୍କ ଶାଖା । ଏହି ଶାଖା ଉପରେ ବିଭିନ୍ନ ପଂଚାୟତର ଜନସାଧାରଣ ନିର୍ଭର କରିଥାନ୍ତି । କିନ୍ତୁ ବ୍ୟାଙ୍କ ଉପଯୁକ୍ତ ସେବା ଦେଉ ନଥିବା ବ୍ୟାଙ୍କର ଗ୍ରାହକ ରୁଦ୍ରାଶିଷ ପ୍ରଧାନ, ସୁମନ୍ତ ଜେନା, ଅମରେଶ୍ୱର ନାୟକ, ପ୍ରାଚୀ ସ୍ୱୟଂ ସହାୟିକା ଦଳର ଆରତି ବାରିକ ଆଦି ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ମୁତାବକ ବିଦ୍ୟୁତ ବିଚ୍ଛିନ୍ନ୍ନ ହେଲେ ବ୍ୟାଙ୍କରେ ବିଦ୍ୟୁତର ବିକଳ୍ପ ଭାବେ ଜେନେରେଟର ବ୍ୟବସ୍ଥା ରହିବା କଥା । କିନ୍ତୁ ଦୀର୍ଘ ବର୍ଷ ହେବ ଉକ୍ତ ବ୍ୟାଙ୍କରେ କୌଣସି ସୁବିଧା ଉପଲବ୍ଧ ହେଉ ନାହିଁ । ବିଦ୍ୟୁତ ନଥିଲେ ଗ୍ରାହକ ମାନେ ଘଂଟା ଘଂଟା ଧରି ବ୍ୟାଙ୍କରେ ଠିଆ ହେବାକୁ ପଡୁଛି । ଏପରିକି ଦିନ ତମାମ ବିଦ୍ୟୁତ ନ ଆସିଲେ ବ୍ୟାଙ୍କରେ କୌଣସି କାର୍ଯ୍ୟ ହେଉ ନାହିଁ । ଦୁରଦୁରାନ୍ତରୁ ଜନସାଧାରଣ ବିଭିନ୍ନ କାର୍ଯ୍ୟରେ ବ୍ୟାଙ୍କକୁ ଆସୁଥିବା ବେଳେ ସେମାନଙ୍କର କାର୍ଯ୍ୟ ହେଉ ନାହିଁ । ବିଦ୍ୟୁତ ନଥିଲେ ଲିଙ୍କ୍ ଫେଲ କିମ୍ବା ଅନ୍ୟ ଆଳ ଦେଖାଇ ମ୍ୟାନେଜର ଓ କର୍ମଚାରୀ କୌଣସି କାର୍ଯ୍ୟ କରୁନାହାନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏପରି ଏକ ଜାତୀୟକରଣ ବ୍ୟାଙ୍କରେ ବିଦ୍ୟୁତ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା ନଥିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭିନ୍ନ ସ୍ୱୟଂ ସହାୟୀକା ମହିଳା ମାନେ ଛୋଟ ପିଲା ଧରି ଋଣ ନେବା ଓ ଋଣ ସୁଝିବା ପାଇଁ ଦିନ ତମାମ ବସି ରହୁଛନ୍ତି । ଏଥିପ୍ରତି ବ୍ୟାଙ୍କ ଶାଖା ପରିଚାଳକ ଧ୍ୟାନ ଦେଉ ନଥିବା ଅଭିଯୋଗ ହେଉଛି । ଏବିଷୟରେ ବ୍ୟାଙ୍କ ଶାଖା ପରିଚାଳକ ଦିପ୍ତିରଂଜନ ଦାସଙ୍କୁ ପଚାରିବାରେ ବ୍ୟାଙ୍କରେ ବ୍ୟବହୃତ ହେଉଥିବା ଇନଭେଟରର ବ୍ୟାଟେରୀ ଗତକାଲି ଖରାପ ହୋଇଥିବାରୁ ସମସ୍ୟା ହେଉଛି । ତାକୁ କାର୍ଯ୍ୟକ୍ଷମ କରାଯିବା ପାଇଁ ଆମେ ମେକାନିକଙ୍କୁ ଡାକିଛୁ । ଉକ୍ତ ବ୍ୟାଟେରୀ କାର୍ଯ୍ୟ କରାଗଲେ କୌଣସି ସମସ୍ୟା ରହିବ ନାହିଁ ବୋଲି କହିଛନ୍ତି ।