ଅବକାରୀ ବିଭାଗ ପକ୍ଷରୁ ୧୮୨ କେଜି ଭାଙ୍ଗ ଜବତ :୨ ଅଭିଯୁକ୍ତ ଗଲେ ଜେଲ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସ ଏବଂ ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ବୁଧବାର ଦିଗପହଣ୍ଡି ବ୍ଳକର ପୃଥକ ସ୍ଥାନରେ ଅତର୍କିତ ଚଢ଼ାଉ କରାଯାଇ ୧୮୨ କେଜି ଭାଙ୍ଗ ଜବତ କରାଯାଇଥିବା ଜଣାପଡିଛି । ଦିଗପହଣ୍ଡି ଅବକାରୀ ବିଭାଗ ପକ୍ଷରୁ ଭୀଷ୍ମଗିରି ଗ୍ରାମ ରାସ୍ତାରେ ଏକ ବାଇକ ନଂ.(ଓଡ଼ି ୦୭ ଏଡି – ୩୯୦୨) ଯୋଗେ ବେଆଇନ ଭାବେ ୫୦ କେଜି ଭାଙ୍ଗ ଚାଲାଣ କରାଯାଉଥିବା ବେଳେ ଅବକାରୀ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଦିଗପହଣ୍ଡି ଥାନା ଚଷାନିମଖଣ୍ଡି ଗ୍ରାମର ମେରୁ ବଲ୍ଲଭ ମୁଳି ନାମକ ଯୁବକ ଙ୍କୁ ଗିରଫ କରିବା ସହ ତାଙ୍କ ବାଇକ ଜବତ କରିଥିଲେ । ଏନେଇ ଅବକାରୀ ମାମଲା ନଂ. ୧୮୪/୨୫-୨୬ ପ୍ରକାରେ ମକଦ୍ଦମା ରୁଜୁ କରାଯାଇଥିଲା । ସେହିପରି ବ୍ରହ୍ମପୁର ଅବକାରୀ ଷ୍ଟ୍ରାଇକିଂ ଫୋର୍ସର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଚଷାନିମଖଣ୍ଡି ଗ୍ରାମ ରାସ୍ତାରୁ ଏକ ଡାଲା ଅଟୋ ନଂ. ( ଓଡି ୧୩ ଏମ୍ ୨୧୫୬) ଯୋଗେ ଭାଙ୍ଗ ଚାଲାଣ କରୁଥିବା ପୁରୀ ଜିଲା ବଳିଆ ପଣ୍ଡା ଧବଳେଶ୍ଵର ଗ୍ରାମର ଭାସ୍କର ବେହେରାଙ୍କୁ ଧରିଥିଲେ । ଯାଞ୍ଚ ପରେ ଅଟୋରେ ୧୩୨ କେଜି ଭାଙ୍ଗ ରହିଥିବା ଜଣାପଡିଥିଲା । ଅଟୋ କୁ ଜବତ କରାଯିବା ପରେ ବ୍ରହ୍ମପୁର ଅବକାରୀ କାର୍ଯ୍ୟାଳୟ ମାମଲା ନଂ. ୧୧୬/୨୫-୨୬ ଅନୁଯାୟୀ ମକଦ୍ଦମା ରୁଜୁ କରାଯିବା ସହ ଅପରାହ୍ନରେ ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡ଼ିଛି। ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ବଜାର ଦର ପ୍ରାୟ ୨ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି।


