ବିଦ୍ୟୁତ କର୍ମଚାରୀଙ୍କ ବଦଳି ପାଇଁ ଗ୍ରାମବାସୀଙ୍କ ଦାବି
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଲା ଯୋଡା ନେସ୍କୋ କାର୍ୟ୍ୟାଳୟଠାରେ କାର୍ୟ୍ୟରତ ଜଣେ ବିଦ୍ୟୁତ କର୍ମଚାରୀ ଲାଇନମ୍ୟାନ୍ଙ୍କ ଅନ୍ୟତ୍ର ବଦଳି କରିବା ପାଇଁ ଯୋଡା ବ୍ଲକ ଅନ୍ତର୍ଗତ ବିରିକଳା ଓ ଦେଓଝର ଗ୍ରାମପନଚାୟତର ଗ୍ରାମବାସୀମାନେ ଜିଲାପାଳ ଓ କାର୍ୟ୍ୟନିର୍ବାହୀ ଅଧିକାରୀ ନେସ୍କୋ, କେନ୍ଦୁଝରଙ୍କ ଠାରେ ଲିଖିତ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ତାଙ୍କ ଲିଖିତ ଅଭିଯୋଗ ରେ ଦର୍ଶାଇଛନ୍ତି ଯେ, ଯୋଡା ନେସ୍କୋ କାର୍ୟ୍ୟାଳୟର ଲାଇନମ୍ୟାନ ଚନ୍ଦନ କୁମାର ବେହେରା ବିରିକଳା ଓ ଦେଓଝର ଗ୍ରାମପନଚାୟତର ଦାୟିତ୍ୱ ନେଇଛନ୍ତି । ସେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଲାଇନମ୍ୟାନ୍ ଭାବେ କାର୍ୟ୍ୟ କରି ଆସୁଥିଲେ ହେଁ ତାଙ୍କର ଅନ୍ୟତ୍ର ବଦଳି କରାଯାଉନାହିଁ । ଲାଇନମ୍ୟାନ୍ ଚନ୍ଦନ କୁମାର ବେହେରା କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ବିଦ୍ୟୁତ ଜ୍ୟୋତି ଯୋଜନା ଯାହାକି ସମ୍ପୂଣ୍ଣ ଅଗ୍ରୀମ ଟଙ୍କା ପୈଠ ମୁକ୍ତ ଦ୍ୱାରା ବିଦ୍ୟୁତ ସଂଯୋଗୀକରଣ କରିବା ନିୟମ ରହିଥିଲେ ହେଁ, ସେ କିଛି ଅଶିକ୍ଷିତ ଆଦିବାସୀ ମାନଙ୍କୁ ମିଛ କହି ବିଦ୍ୟୁତ ସଂଯୋଗୀକରଣ ନିମନ୍ତେ ସିକ୍ୟୁରିଟ୍ ମନି ଡିପୋଜିଟ୍ ବାବଦକୁ ୮ ରୁ ୧୦ ହଜାର ଟଙ୍କା ବିନା ରସିଦ୍ ରେ ନେଇ ବିଦ୍ୟୁତ ସଂଯୋଗ କରୁଛନ୍ତି । ଯଦି କୌଣସି ବିଦ୍ୟୁତ ଉପଭୋକ୍ତା ଇଲେକ୍ଟ୍ରି ମିଟର ବକ୍ସ ଖରାପ ନେଇ ନେସ୍କୋ କାର୍ୟ୍ୟାଳୟରେ ଅଭିଯୋଗ କରେ ଉପରିସ୍ଥ ଅଧିକାରୀମାନେ ଚନ୍ଦନ କୁମାର ବେହେରାଙ୍କ ସହ ଯୋଗାଯୋଗ କରିବା ପାଇଁ ଉପଦେଶ ଦିଅନ୍ତି ଏବଂ ଚନ୍ଦନ ବେହେରାଙ୍କୁ ଯୋଗାଯୋଗ କଲେ ସେ ଏହି ମିଟର ପିଛା ବିନା ରସିଦରେ ୨୦୦୦ ରୁ ୨୨୦୦ ଟଙ୍କା ନେଇଥାନ୍ତି, ଯାହାର ମୂଲ୍ୟ ଯୋଡା ନେସ୍କୋ ଅଫିସଠାରେ ରସିଦ ସହିତ ୧୪୦୦ଟଙ୍କା ଅଟେ । କେନ୍ଦୁଝର ଜିଲା ବାହାର ଅଂଚଳରୁ ଆସି ଆସିଥିବା ବ୍ୟବସାୟୀମାନଙ୍କଠାରୁ ସେ ବିନା କାଗଜପତ୍ର ଓ ବିନା ସିକ୍ୟୁରିଟ ଡିପୋଜିଟ୍ରେ ବିଦ୍ୟୁତ ସଂଯୋଗୀକରଣ କରିଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଗ୍ରାମବାସୀମାନେ ଏହି ସବୁ ଅନିୟମିତତା ନେଇ ଯୋଡା ନେସ୍କୋ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିଥିବା ଜାଣିବାକୁ ପାଇ ଚନ୍ଦନ କୁମାର ବେହେରା ଗ୍ରାମବାସୀମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଲାଇନ୍ ମ୍ୟାନ୍ ଚନ୍ଦନ କୁମାର ବେହେରାଙ୍କୁ ପଚାରିବାରୁ ସେ ଏବିଷୟରେ କିଛି ଜାଣିନଥିବା କହିଥିଲେ । ଏ ସମ୍ପର୍କରେ ସୁପରିଟେଣ୍ଡେନ୍ଟ ଇଂଜିନିୟର ନେସ୍କୋ, କେନ୍ଦୁଝର ନାରାୟଣ ଦାସ ଙ୍କୁ ପଚାରିବାରୁ ସେ ପ୍ରତିକ୍ରିୟାରେ କହିଥିଲେ ଯେ, ତାଙ୍କ ନିକଟରେ ଉକ୍ତ ଅଭିଯୋଗ ହୋଇଛି । ଏହା ତାଙ୍କ ଅଧୀନରେ ନଥିବାରୁ ଲାଇନମ୍ୟାନ ମାନଙ୍କର ଅଭିଯୋଗକୁ କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ତଦାରଖ କରିବେ ବୋଲି ସେ କହିଥିଲେ । ଏସମ୍ପର୍କରେ ବିଲେଇପଦା ଅଂଚଳର ଆଦିବାସୀ ମହିଳା ସୁକୁନି ମୁଣ୍ଡା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଲାଇନମ୍ୟାନ୍ ଚନ୍ଦନ କୁମାର ବେହେରା ତାଙ୍କଠାରୁ ମିଟର ଲଗାଇବା ପାଇଁ ବିନା ରସିଦରେ ୮ ହଜାର ଟଙ୍କା ନେଇଥିବା କହିଛନ୍ତି । ସେହିପରି କଣ୍ଡରା ଅଂଚଳର ରଘୁନାଥ ମହାକୁଡ ଙ୍କ ଠାରୁ ମଧ୍ୟ ୮୫୦୦ ଟଙ୍କା ନେଇଥିବା ସେ ଗଣମାଧ୍ୟମକୁ କହିଛନ୍ତି ।


