ମୋବାଇଲ ଦୋକାନରୁ ଚୋରି ଘଟଣାରେ ୨ ଗିରଫ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ବାମେବାରୀ ଥାନା ଅଂଚଳର ଏକ ମୋବାଇଲ ଦୋକାନରୁ ଚୋରି ହୋଇଯାଇଥିବା ୬ ଟି ମୋବାଇଲ , ଗୋଟିଏ ୟୁପିଏସ ଉଦ୍ଧାର କରିବା ସହିତ ଏଥିରେ ସଂପୃକ୍ତ ୨ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି । ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇ କହିଛନ୍ତି ଯେ, ବାମେବାରୀ ବଜାରଠାରେ ଏକମାସ ପୂର୍ବେ ଚୋରମାନେ ଏମ.ଡି ଆଲାମ୍ ନାମକ ବ୍ୟକ୍ତିଙ୍କର ମୋବାଇଲ ଦୋକାନର ଛାତ କଣା କରି ପଶି ବିଭିନ୍ନ କମ୍ପାନୀର ୧୫ଟି ମୂଲ୍ୟବାନ ମୋବାଇଲ ଓ ଗୋଟିଏ ଇନଟେକ୍ସ ୟୁପିଏସ ଚୋରି କରିନେଇଥିଲେ । ଦୋକାନରେ ଲାଗିଥିବା ସିସି କ୍ୟାମେରାର ଫୁଟେଜ୍ କୁ ଦୋକାନ ମାଲିକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦେଖି ପାରିନଥିଲେ । ମାତ୍ର ପରବର୍ତୀ ସମୟରେ ତାହା ମରାମତି ହେବା ପରେ ଫୁଟେଜରୁ ବାମେବାରୀ ଅଂଚଳର ଜଣେ ବ୍ୟକ୍ତିଙ୍କୁ ଦୋକାନ ମାଲିକ ଏମ.ଡି ଆଲାମ୍ ଚିହ୍ନି ପାରିଥିଲେ ଏବଂ ଏନେଇ ଗତ ତା ୦୧/୧୧/୨୦୧୯ ରିଖରେ ବାମେବାରୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ପୋଲିସ ଘଟଣାର ଛାନଭିନ୍ କରି ଏଥିରେ ସଂପୃକ୍ତ ବାମେବାରୀ ଅଂଚଳର ଫାତୁ କାରୁଆ ଓ ଚେଡେ ମୁଣ୍ଡାଙ୍କୁ ଗିରଫ କରି କେଶ୍ ନଂ ୧୪୫/୨୦୧୯ ଦଫା ୪୫୭,୩୮୦, ୩୪ ଆଇପିସି ରୁଜୁ କରି ରବିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି । ପୋଲିସ ଅଭିଯୁକ୍ତମାନଙ୍କ ଠାରୁ ୬ଟି ମୋବାଇଲ ଫୋନ୍ ଓ ଗୋଟିଏ ଇନଟେକ୍ସ ୟୁପିଏସ ଉଦ୍ଧାର କରିଛି । ତେବେ ଅଭିଯୁକ୍ତମାନେ ଅବଶିଷ୍ଟ ଚୋରି ମୋବାଇଲ ଗୁଡିକୁ ଅନ୍ୟ ଏକ ଦୋକାନରେ ବିକ୍ରି କରିଦେଇଥିବା ତଦନ୍ତରୁ ଜାଣିବାକୁ ପାଇ ଉକ୍ତ ମୋବାଇଲ ଗୁଡିକୁ ଉଦ୍ଧାର କରାଯିବ ବୋଲି ପୋଲିସ ସୂଚନା ଦେଇଛି ।


