ବିଦ୍ୟୁତ ପାଇଁ ଅଂଟା ଭିଡିଲେ ଗ୍ରାମବାସୀ
ନାଉଗାଁ,:ବାତ୍ୟା ଫନିରେ ନାଉଗାଁ ବ୍ଳକରେ ବିଦ୍ୟୁତ ସେବା ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଛି । ବାତ୍ୟା ହେବାର ଦୀର୍ଘ ୭ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବ୍ଳକ,ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ପ୍ରମୁଖ ବଜାର ଗୁଡିକୁ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିନାହିଁ । ଯଥା ଶୀଘ୍ର ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ କର୍ମଚାରୀ ଚେଷ୍ଟା ଚଳାଇଥିବା ବେଳେ ବିଭିନ୍ନ ଗ୍ରାମରେ ଗ୍ରାମବାସୀମାନେ ମଧ୍ୟ ସହଯୋଗର ହାତ ବଢାଇଥିବା ଦେଖାଯାଇଛି । ବ୍ଳକର ବାଂଶ, କୋକିଡିହ, କାନୁନଗୋସାହି, ରୋହିଆ, ଅରକକୁଦ, ଗୋଠଦା,ତିହୁଡା ଆଦି ଗ୍ରାମର ଗ୍ରାମବାସୀମାନେ ବିଦ୍ୟୁତ ଖୁଂଟ ଉଠାଇବା ସହିତ ତାର ଟଣାରେ ବିଦ୍ୟୁତ କର୍ମଚାରୀଙ୍କୁ ସହଯେଗା କରୁଥିବାର ଦେଖାଯାଇଥିଲା । ଏପରିକି ବିଦ୍ୟୁତ ଖୁଂଟ ଉପରେ ପଡିଥିବା ଗଛ ଡାଳକୁ ଗ୍ରାମବାସୀମାନେ ମିଶି ସଫେଇ ମଧ୍ୟ କରୁଛନ୍ତି । ବିଦ୍ୟୁତ ସେବା ବିଚ୍ଛିନ୍ନ ହୋଇଥିବାରୁ ଇଂଟରନେଟ ସେବା,ବ୍ୟାଙ୍କ,ପୋଷ୍ଟ ଅଫିସ,ତହସିଲ,ବ୍ଳକ,ସ୍ୱାସ୍ଥ୍ୟ କେନ୍ଦ୍ର ଆଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟରେ ଅତ୍ୟାବଶ୍ୟକ ସେବା ଏକ ରକମ ଠପ ହୋଇ ପଡିରହିଛି । ବିଦ୍ୟୁତ ସେବାକୁ ତ୍ୱରାନ୍ୱିତ କରିବା ପାଇଁ ସେସୁ ପକ୍ଷରୁ ୩ଟି ଠିକାଦାର ସଂସ୍ଥା ଓ ବିଭାଗୀୟ କର୍ମଚାରୀଙ୍କ ସମେତ ୪୦ରୁ ଉର୍ଦ୍ଧ ଜଣକୁ ନିୟୋଜିତ କରି ୧୧କେଭି ଲାଇନ ମରାମତି କରାଯାଉଛି । ସେହିପରି ଏଲଟି ଲାଇନକୁ ମରାମତି କରାଯିବା ପାଇଁ ଏନଜେଏନ ସଂସ୍ଥା ପକ୍ଷରୁ ପ୍ରୟାସ ଜାରୀ ରହିଛି । ଠିକଦାର ସଂସ୍ଥା ନ ମିଳିବାରୁ ନିଜର ୧୬ କର୍ମଚାରୀଙ୍କ ସମେତ ୧୦ଜଣ ଶ୍ରମିକଙ୍କୁ ଲାଗା ଯାଇ ମରାମତି କାର୍ଯ୍ୟ ଚାଲୁ ରହିଛି ବୋଲି ବିଭାଗୀୟ ଏନଜେଏନ ଏସଡିଓ ସୂଚନା ପ୍ରଦାନ କରିଛନ୍ତି । ଯଥା ଶୀଘ୍ର ବ୍ଳକକୁ ବିଦ୍ୟୁତ ସଂଯୋଗ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।