ବିଦ୍ୟୁତ ସମସ୍ୟାକୁ ନେଇ ତେଜୁଛି ଅସନ୍ତୋଷ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ, ଢ଼େଙ୍କା, ହଦଗଡ, ବିଦ୍ୟାଧରପୁର, ସଢ଼ା, ଜମ୍ଭୀରା, ବଉଳା, ପଢ଼ିଆରିପଲ୍ଲୀ ଆଦି ଅଞ୍ଚଳରେ ବିଦ୍ୟୁତକାଟ ସମସ୍ୟାକୁ ନେଇ ଜନଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଦିନକୁ ୧୦ରୁ ୧୨ଘଣ୍ଟା ବିଦ୍ୟୁତ କାଟ ହେଉଥିବାବେଳେ ଗଛର ପତ୍ର ହଲିଲେ ଦୁଇତିନିଦିନ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଦିଆଯାଉଛି । ଏପରିକି ସାମାନ୍ୟ ବର୍ଷା ପବନ ହେଲେ ବିଦ୍ୟୁତ ସଂଯୋଗ କାଟି ଦିଆଯାଉଛି ଯେ ଆଉ ଆସିବାର ନାଁ ଧରୁନି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଗତ ତିନିଦିନ ହେଲା ବିଦ୍ୟୁତ ସଂଯୋଗ ଦିଆଯାଇ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଅଞ୍ଚଳରେ ଓଏମସି ଖଣି, ଇମ୍ଫା ଖଣି ସାଙ୍ଗକୁ ତିନୋଟି ଷ୍ଟୋନ କ୍ରସର ୟୁନିଟି, ଦୁଇ ଦୁଇଟି ଧାନ ମିଲ ଥିବାବେଳେ ହଦଗଡ ଡ୍ୟାମ ଓ ଜଳସମ୍ପଦ ବିଭାଗର ଅନେକ କାର୍ଯ୍ୟାଳୟ ଅଛି । ଏପରିକି ଏହି ଅଞ୍ଚଳରୁ ବିଦ୍ୟୁତ ବିଭାଗ ସର୍ବାଧିକ ବିଦ୍ୟୁତ ଶୁଳ୍କ ଆଦାୟ ମଧ୍ୟ କରିଥାଏ । ଏପରି ବିଦ୍ୟୁତ ସମସ୍ୟା ଯୋଗୁଁ ମାଇନ୍ସ ଗୁଡିକରେ ନାନା ସମସ୍ୟା ଦେଖା ଦେଉଥିବାବେଳେ କ୍ରସର ୟୁନିଟ ଓ ଧାନ ମିଲ ଗୁଡିକ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି । ଏହି ଅଞ୍ଚଳଟି ହାତୀ ଉପଦ୍ରବ ଅଞ୍ଚଳ ଭାବେ ପରିଗଣିତ ହେଉଥିବାବେଳେ ବିଦ୍ୟୁତ ସଂଯୋଗ ନଥିବାରୁ ଲୋକମାନେ ଅତଙ୍କିତ ହୋଇ ପଡୁଛନ୍ତି । ରାତିସାରା ସମଗ୍ର ଅଞ୍ଚଳ ଅନ୍ଧାରରେ ବୁଡି ରହୁଛି । ଗୋଟିଏପଟେ ହାତୀ ଆତଙ୍କ ସାଙ୍ଗକୁ ବିଜୁଳିର ଏପରି ଲୁଚକାଳି ଖେଳ ଲୋକମାନଙ୍କୁ ଅଣନିଶ୍ୱାସୀ କରିପକାଇଲାଣି । କେବଳ ଦିନେ କି ଦୁଇଦିନ ନୁହଁ ମାସର ଅଧାଦିନ ଏହିପରି ସମସ୍ୟା ଲାଗି ରହୁଛି । ଭଦ୍ରକରୁ ଦୀର୍ଘ ୪୮କିଲୋମିଟର ଦୁରରେ ଥିବା ଏହି ଅଞ୍ଚଳକୁ ଓରାଳି ଷ୍ଟ୍ରକ୍ଚର ଦେଇ ଢ଼େଙ୍କା, ବିଦ୍ୟାଧରପୁରକୁ ବଦ୍ୟୁତ ସପ୍ଲାଏ ହେଉଥିବାରୁ ଏପରି ଅବସ୍ଥା ସୃଷ୍ଟି ହେଉଛି । ବାଟରେ କେଉଁଠି ତାର ଛିଣ୍ଡିଲେ କି ଅନ୍ୟ କୌଣସି ସମସ୍ୟା ଦେଖାଦେଲେ ତାହା ମରାମତି କରିବାକୁ ଦୁଇ ତିନିଦିନ ଲାଗି ଯାଉଥିବାରୁ ଏପରି ସମସ୍ୟା ସୃଷ୍ଟି ହେଉଛି ବୋଲି ବିଭାଗୀୟ ଯନ୍ତ୍ରୀ କହୁଛନ୍ତି । ବର୍ତ୍ତମାନ ସରକାରୀ ବେସରକାରୀ ଅଫିସ ସହିତ ବ୍ୟବସାୟ ପ୍ରତିଷ୍ଠାନ, ସାଧାରଣ ଲୋକମାନେ ବିଦ୍ୟୁତ ଉପରେ ସମ୍ପୁର୍ଣ୍ଣ ନିର୍ଭର କରୁଥିବାବେଳେ ବିଭାଗର ଏପରି ଚରମ ଅବ୍ୟବସ୍ଥାରେ ଲୋକମାନେ ଅତିଷ୍ଠ ହୋଇପଡିଲେଣି । ନେସ୍କୋ କର୍ତ୍ତୁପକ୍ଷ ବିଦ୍ୟୁତ ଦେୟ ଆଦାୟ ଉପରେ ଗୁରୁତ୍ୱ ଗ୍ଦଦେଉଥିବାବେଳେ ବିଦ୍ୟୁତ ଯୋଗାଣ ଉପରେ ସାମାନ୍ୟ ଗୁରୁତ୍ୱ ଦେଉନାହିଁ ବୋଲି ଗ୍ରାହକମାନେ ଅଭିଯୋଗ କରିଛନ୍ତି । ଆଗରପଡା ଠାରେ ନିର୍ମାଣ କରାଯାଇଥିବା ବିଦ୍ୟୁତ ଗ୍ରୀଡରୁ ବିଦ୍ୟୁତ ଯୋଗାଣ ହେଲେ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି ପୁର୍ବରୁ ବିଭାଗୀୟ ଅଧିକାରୀମାନେ କହୁ ଥିବାବେଳେ ଏବେ ଆଗରପଡାରୁ ବିଦ୍ୟୁତ ସଂଯୋଗ ସମ୍ଭବ ନୁହଁ ବୋଲି କହୁଛନ୍ତି । ୪୮କିଲୋମିଟର ପରିବର୍ତ୍ତେ ମାତ୍ର ୬କିଲୋମିଟର ଦୁରରୁ ବିଦ୍ୟୁତ ସଂଯୋଗ ଦେବାରେ କୌଣସି ସମସ୍ୟା ନଥିବାବେଳେ ବିଦ୍ୟୁତ ବିଭାଗ କାହିଁକି ଅନିଛା ପ୍ରକାଶ କରୁଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଦ୍ୟୁତ ବିଭାଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମି ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଏ ସମ୍ପର୍କରେ ବିଦ୍ୟାଧରପୁର ସହକାରୀଯନ୍ତ୍ରୀ ମଶ୍ୱେର ନାୟକଙ୍କୁ ପଚାରିବାରେ ଭଦ୍ରକରୁ ଆସୁଥିବା ସପ୍ଲାୟରେ ଅଧିକ ଦୁରତା ହୋଇଯାଉଥିବାରୁ ବାରମ୍ବାର ଏପରି ସମସ୍ୟା ଉପୁଜୁଛି ବୋଲି କହିଛନ୍ତି । ଯଦି ଉଚ୍ଚ କର୍ତ୍ତୁପକ୍ଷ ଆଗରପଡା ଷ୍ଟ୍ରକ୍ଚରରୁ ବଉଳା ଅଞ୍ଚଳକୁ ବିଦ୍ୟୁତ ସଂଯୋଗ କରିବା ଦିଗରେ ପଦକ୍ଷେପ ନିଅନ୍ତେ ତେବେ ଏହି ସମସ୍ୟାର ସମାଧାନ ହୋଇ ଯାଆନ୍ତା ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ