ବିଧାନସଭା ଘେରିଲେ ସାହାରା କ୍ଷତିଗ୍ରସ୍ତ ଜମାକାରୀ
ଭୁବନେଶ୍ୱର, ଜମା ଟଙ୍କା ଫେରସ୍ତ ଆଦି ତିନିଦଫା ଦାବି ନେଇ ସାହାରା କ୍ଷତିଗ୍ରସ୍ତ ଜମାକାରୀମାନେ ଶୁକ୍ରବାର ବିଧାନସଭା ଘେରାଉ କରିଥିଲେ । ଏଥିସହ ମିଳିତମଂଚ ସମ୍ପାଦକ ମଧୁସୂଦନ ବିଶ୍ୱାଳଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଯୁଗ୍ମସଚିବ ବିରଂଚି ନାରାୟଣ ଦାସବର୍ମାଙ୍କଠାରେ ଓ ମିଳିତମଂଚ ସଭାପତି ଜୟନ୍ତ ଦାସଙ୍କ ନେତୃତ୍ୱରେ ବିଜୟ କୁମାର ପାଢୀ, ସଂଜୀବ କୁମାର ପଣ୍ଡା ଓ ସୁନୀଲ୍ କୁମାର ଦାସ ପ୍ରମୁଖ ଏକ ପ୍ରତିନିଧି ଦଳରେ ଯାଇ ଓଡ଼ିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ମନ୍ତ୍ରୀ ଦାବିପତ୍ର ଗ୍ରହଣ କରି ଆଗାମୀ ୧୫ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେଲେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଂଚ ଓ ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଂଚ ମିଳିତଭାବରେ ସେପ୍ଟେମ୍ବର ଶେଷ ସପ୍ତାହରେ ରାଜ୍ୟସ୍ତରୀୟ ଜମାକାରୀ ମହାସମାବେଶ ଓ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ କରିବାର ଚେତାବନି ଦେଇଛନ୍ତି । ଉଲ୍ଲେଖ୍ୟଯୋଗ୍ୟ ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ ଜମାକାରୀଙ୍କୁ ପ୍ରଲୋଭିତ କରି ସାହାରା କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୨୦ଲକ୍ଷରୁ ଅଧିକ ଜମାକାରୀଙ୍କ ଠାରୁ ୨ ହଜାର କୋଟିରୁ ଅଧିକ ଟଙ୍କା ଜମା ନେଇ ସ୍କିମ୍ ଅନୁସାରେ ମାଚୁରିଟି ଅବଧି ଶେଷ ହୋଇଥିଲେ ବି ମାଚୁରିଟି ଟଙ୍କା ଫେରସ୍ତ ନ ଦେଇ ନୂଆ ସ୍କିମ୍ର ନୂତନ ଜମାର ରସିଦ୍ ଓ ବଣ୍ଡ ଧରେଇ ଦେଉଛନ୍ତି । ସାହାରା କମ୍ପାନୀର ଠକାମୀ ବିରୁଦ୍ଧରେ ଜମାକାରୀମାନେ ଥାନାରେ ଏତଲା ଦେଲେ ଥାନା ଅଧିକାରୀମାନେ ଏତଲା ପଞ୍ଜିକରଣ କରୁନାହାଁନ୍ତି ବୋଲି ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତମଂଚର ଉପଦେଷ୍ଟା ରବି ଦାସ, ସଭାପତି ଜୟନ୍ତ ଦାସ, ସମ୍ପାଦକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି, ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଂଚର ସଭାପତି ବିଜୟ କୁମାର ପାଢୀ, ସମ୍ପାଦକ ସଞ୍ଜିବ ପଣ୍ଡା, ଅଖିଳ ଭାରତ ଛାତ୍ରସଂଘର ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା, ଶିକ୍ଷକ ଆଶାୟୀ ସଂଘର ସତ୍ୟରଂଜନ ଦିଆନ୍, ସନ୍ତୋଷ ବରାଳ, ସୁବ୍ରତ ପଣ୍ଡା, ରାଷ୍ଟ୍ରୀୟ ଯୁବ ମଞ୍ଚର ସଂଯୋଜକ ମାନସ ପଟ୍ଟନାୟକ, ସାହାରା କ୍ଷତିଗ୍ରସ୍ତ ଜମାକାରୀ ମଂଚର ସୁନୀଲ ଦାସ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।