ବିଧାନସଭା ସମ୍ମୁଖରେ ଗଣବିକ୍ଷୋଭ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ବାହାନାରେ, ପ୍ରଶାସନ ଦ୍ୱାରା ମନୋମୁଖୀ ଭାବେ ନାକଚ କରାଯାଇଥିବା ଜଙ୍ଗଲ ଅଧିକାର ଦାବୀଗୁଡ଼ିକୁ ପୁନଃ ବିଚାର କରିବା ଓ ଓଡ଼ିଶା ସରକାର ତରବରିଆ ଭାବେ ଜଙ୍ଗଲ ଅଧିକାର ଆଇନ୍ର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଉଲଂଘନ କରି ମାନ୍ୟବର ସୁପ୍ରିମକୋର୍ଟଙ୍କୁ ଭୁଲ୍ ତଥ୍ୟ ପ୍ରଦାନକୁ ପ୍ରତିବାଦ କରି “ରାଜ୍ୟସ୍ତରୀୟ ଗ୍ରାମସଭା ସମୂହ, “ମର୍ଯ୍ୟାଦାର ସହ ବଞ୍ôଚବାର ଅଭିଯାନ, ଓଡ଼ିଶା’ (ସି.ଏସ.୍ଡ଼ି.) ଓ “ଭୂମି ଅଧିକାର ଆନ୍ଦୋଳନ’ ପକ୍ଷରୁ ଜୁଲାଇ ୨୨ ତାରିଖରେ ଦେଶବ୍ୟାପୀ ପ୍ରତିବାଦ ଅବସରରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେହିପରି ଅନୁସୂଚିତ ଜାତି ଅଞ୍ଚଳରେ ଆଦିବାସୀ ଜମି ହସ୍ତାନ୍ତର ରୋକିବା ପାଇଁ ପ୍ରଣିତ ଆଇନ୍-୧୯୫୬/ (ରେଗୁଲେସନ-୨) ବଳବତ୍ତର ଥିବାବେଳେ ଗତ ୧୨ ଏପ୍ରିଲ୍, ୨୦୧୯ରେ ଓଡ଼ିଶା ହାଇକୋର୍ଟ ଏକ ମକଦ୍ଦମା (ଡଚ(ଉ)ଘକ୍ଟ. ୧୪୭୩୩ କ୍ଟଲ ୨୦୦୬ର ବିଚାର କରି ଏପରି ଆଇନ୍ ବିରୁଦ୍ଧ ରାୟ ଦେଇଛନ୍ତି, ଯାହା କାର୍ଯ୍ୟକାରୀ କରାଗଲେ ଆଇନ୍ର ମୂଳ ଲକ୍ଷ୍ୟ ବିଡ଼ମ୍ବିତ ହେବ ବୋଲି ସଂଗଠନଗୁଡ଼ିକ ଅଭିଯୋଗ କରି ଏହାର ସମୀକ୍ଷା କରିବା ପାଇଁ ଆବଦେନ କରିବାକୁ ଓଡ଼ିଶା ସରକାରଙ୍କୁ ଆହ୍ୱାନ କରିଛନ୍ତି । ଜଙ୍ଗଲ ଅଧିକାର ସ୍ୱୀକୃତି ଆଇନ-୨୦୦୬ ବିରୋଧରେ କିଛି କର୍ପୋରେଟ ସପକ୍ଷବାଦୀ ଓ ଆଦିବାସୀ ବିରୋଧୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ବିଚାର କଲାବେଳେ ଓଡ଼ିଶା ସରକାର ସୁପ୍ରିମକୋର୍ଟକୁ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ମାନଙ୍କର ନାକଚ ହୋଇଥିବା ମୋଟ ୧,୪୮,୮୭୦ ବ୍ୟକ୍ତିଗତ ଦାବିମଧ୍ୟରୁ ୧,୨୨,୨୫୦ଜଣ ଆଦିବାସୀ ଓ ୨୬,୬୨୦ଜଣ ଅନ୍ୟ ପାରମ୍ପରିକ ବନବାସୀଙ୍କର ତଥ୍ୟ ପ୍ରଦାନ କରିଥିଲେ । ଏହି ଦାବୀ ଗୁଡ଼ିକର ସ୍ଥିତି ଉପରେ ଶୁଣାଣୀ କରି ଗତ ଫେବୃୟାରୀ ୨୮ ତାରିଖରେ ସୁପ୍ରିମକୋର୍ଟ ତାଙ୍କର ୧୩ ଫେବୃୟାରୀ ୨୦୧୯ରେ ଦେଇଥିବା ଜଙ୍ଗଲ ଜମିରୁ ଉଚ୍ଛେଦ ଆଦେଶ ଉପରେ ଅସ୍ଥାୟୀ ରହିତାଦେଶ ଜାରି କରିବା ସହିତ ରାଜ୍ୟ ସରକାରଙ୍କୁ ସବିଶେଷ ସତ୍ୟପାଠ ୧୨ ଜୁଲାଇ ୨୦୧୯ ସୁଦ୍ଧା ଦାଖଲ କରିବାକୁ ଆଦେଶ ଦେଇଥିଲେ । କିନ୍ତୁ ଇତିମଧ୍ୟରେ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ବଦଳରେ ଏକ ମିଥ୍ୟାପାଠ ଦାଖଲ କରିଛନ୍ତି । ପ୍ରଶାସନିକ କଳ ଦ୍ୱାରା ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ଆଇନର ପ୍ରକ୍ରିୟାକୁ ଉଲଂଘନ କରି ସରକାରୀ ପଦାଧିକାରୀମାନେ ଦାବିଦାରମାନଙ୍କ ଉପରେ •ପ ପ୍ରୟୋଗ କରି ପୂର୍ବରୁ ଛପା ହୋଇଥିବା ଫର୍ମାଟରେ ସେମାନଙ୍କର ଦସ୍ତଖତ ନେଇ ସେମାନଙ୍କ ନ୍ୟାୟୋଚିତ ଦାବିଗୁଡ଼ିକୁ ପ୍ରାୟୋଜିତ ଭାବରେ ନାକଚ କରିଛନ୍ତି । ଗ୍ରାମସଭାକୁ ସମ୍ପୂର୍ଣ୍ଣ ଅଣଦେଖା କରି ବେଆଇନ ଭାବେ କ୍ୟାମ୍ପ କୋର୍ଟ ଓ ଜନଶୁଣାଣୀର ଆୟୋଜନ କରାଯାଉଛି, ଯାହାଜଙ୍ଗଲ ଅଧିକାର ଆଇନର ବିରୋଧୀ । ଅନେକ ଜିଲ୍ଲାରେ ଆଦିବାସୀ ଦାବିଦାରମାନଙ୍କ ପାଖକୁ ଦୀର୍ଘ ୭୫ବର୍ଷ ଧରି ଜଙ୍ଗଲଜମି ଅଧିକାର କରିଥିବା ପ୍ରମାଣ ନଥିବା ହେତୁ ନାକଚ ହୋଇଥିବାର ନୋଟିସ୍ ପଠାଯାଇଛି । ଯଦିଓ ଆଇନଗତ ଭାବେ ୧୩ ଡ଼ିସେମ୍ବର, ୨୦୦୫ ମସିହା ପୂର୍ବରୁ ଆଦିବାସୀମାନେ •ଷ ଓ ବାସ କରୁଥିଲେ ଦାବିଦାର ପାଇଁ ଯୋଗ୍ୟ ଅଟନ୍ତି । ଦାବି ଦାଖଲ ପରେ କ୍ଷେତ୍ର ଯାଞ୍ଚ ନକରି ଓ ଜମି ଚିହ୍ନଟ ନ କରି ଉପଖଣ୍ଡ ଓ ଜିଲ୍ଲାସ୍ତରରୁ ଦାବିଦାର ମାନଙ୍କ ପାଖକୁ ପଠା ଯାଇଥିବା ନୋଟିସ୍ରେ ଅଣ ଜଙ୍ଗଲ କିସମ ଜମିରେ ଦଖଲ ହେତୁ ନାକଚ କରାଯାଇଥିବା କାରଣ ଦର୍ଶାଯାଇଛି । ବିଭିନ୍ନ ଗଣସଂଗଠନମାନଙ୍କର ନେତୃବୃନ୍ଦ ମାଷ୍ଟର କ୍ୟାଣ୍ଟିନ ଛକଠାରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ପିଏମଜି ଛକରେ ପ୍ରତିବାଦ ସଭାର ଆୟୋଜନ କରିଥିଲେ । ଭୂମି ଅଧିକାର ଆନ୍ଦୋଳନ ତଥା ସିଏସ୍ଡ଼ିର କାର୍ଯ୍ୟକର୍ତ୍ତା ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ୱରେ ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ସିଏସ୍ଡ଼ିର ରାଜ୍ୟ ଆବାହକ ଗୋପିନାଥ ମାଝୀ, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ଓଡ଼ିଶା କୃଷକ ସଭାର ସୁରେଶ ପାଣିଗ୍ରାହୀ, ଆଦିବାସୀ ନେତ୍ରୀ ଆନ୍ନା କୁଜୁର, ସିଏସ୍ଡ଼ି ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ପ୍ରଦୀପ ସାହୁ, ଡଃ ଶ୍ରୀଚରଣ ବେହେରା, ଅଖିଳ ଭାରତ ଜନମଞ୍ଚର ମହେନ୍ଦ୍ର ପରିଡ଼ା, ଆରପିଆଇ ନେତା ଶେଖ ଅବଦୁଲ ୱାଲି, ଓଡ଼ିଶା ନାରୀ ସମାଜର କାର୍ମୀ ବେସ୍ରା, ଆଦିବାସୀ ଅଧିକାର ମଞ୍ଚର •ମ୍ବୁରୁ ସୋରେନ, ମାନବିକ ଅଧିକାର କର୍ମୀ ସୁଜାତା ଦାସ, ଭୂମି ଅଧିକାର ଆନ୍ଦୋଳନର ରାଧାକାନ୍ତ ସେଠି, ଭିଟାମାଟି ସୁରକ୍ଷା ଅଭିଯାନର ବିଜୟ ସ୍ୱାଇଁ, ସାମାଜିକ ସଂଗଠନ ଅମୂଲ୍ୟ ସ୍ୱାଇଁ, ବୀରବ ନାୟକ, ମହମ୍ମଦ ସୁକୁରୁ, ତପନ ପାଢୀ ଓ ବିଭିନ୍ନ ଗ୍ରାମସଭା ସମୂହ ପକ୍ଷରୁ ଜିରିମିୟ ସୁନାମାଝି, ଧୋବା ଦଳବେହେରା, ଶରତ ମଲ୍ଲିକ, ସଞ୍ଜୟ ନାୟକ, ଶ୍ରୀଦେବୀ ମଲ୍ଲିକ, ଆଦିବାସୀ ନେତା ସାଲ ମାର୍ଣ୍ଡି, ସମ୍ବାରୁ ମଣ୍ଡଳ ପ୍ରମୁଖ ଉଦ୍ବୋଧନ ଦେଇ ଜଳ, ଜମି, ଜଙ୍ଗଲ ଓ ଜୀବନ ଜୀବିକା ସଂଗ୍ରାମକୁ ଅଧିକ ସଂଗଠିତ କରିବାକୁ ଆହ୍ୱାନ ଦେଇଥିଲେ । ଦୁଇଟି ପ୍ରତିନିଧି ଦଳ ରାଜ୍ୟପାଳ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
।


