ବିଧାୟକ ରଘୁରାମ ମାଛଙ୍କ ତାଗିଦ କାମ ଠିକ ନ କଲେ ତୁରନ୍ତ ପଦକ୍ଷେପ ନିଆଯିବ

କୋରାପୁଟ, (ହେମନ୍ତ ପାଣଗ୍ରାହୀ): କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ସଭାଗୃହ ଠାରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈପାରିଗୁଡା ବ୍ଳକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲକା, କୋରାପୁଟ ବିଧାୟକ ରଘୁରାମ ମାଛ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ, ତହସିଲଦାର ସ୍ନିଗ୍ଧା ରାଣୀ ଚୌଧୁରୀ, ଜିଲ୍ଲାପରିଷଦ ସଭ୍ୟ ଜୋନ ୧ ରାଜେଶ ମହୁରୀଆ, ଜୋନ ୨ ସଭ୍ୟା ମଣି ଜାନୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକର ପ୍ରାରମ୍ଭିକ ପର୍ଯ୍ୟାୟରେ ପଞ୍ଚାୟତ ସମିତି ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା ହୋଇଥଲା ଏହି ସମୟରେ ସାଂସଦ ସପ୍ତଗିରି ଏବଂ ବିଧାୟକ ରଘୁରାମ ମାଛଙ୍କ ହସ୍ତକ୍ଷେପକୁ ନେଇ ସମିତି ସଭ୍ୟ ଓ ସରପଞ୍ଚ ମାନେ ଅସନ୍ତୋଷ ପ୍ରକାଶ କରି ସଭାଗୃହ ପରିତ୍ୟାଗ କରିଥିଲେ। ସଭାଗୃହ ରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ସାଂସଦ ସପ୍ତଗିରି ଶଙ୍କର ଉଲକା ତାଙ୍କର ଅନ୍ୟ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଚାଲିଯାଇଥିଲେ। ପରେ ଅସନ୍ତୋଷ ଥିବା ସମିତି ସଭ୍ୟ ଓ ସରପଞ୍ଚ ମାନଙ୍କୁ ବିଡ଼ିଓ ବୁଝାମଣା କରି ସଭାକାର୍ଯ୍ୟ କୁ ପୁନଃ ଆରମ୍ଭ କରିଥିଲେ। ବୈଠକରେ ଉପସ୍ଥିତ ଥିବା ସମସ୍ତ ବିଭାଗୀୟ ଅଧିକାରୀ ମାନେ ନିଜ ନିଜର କାର୍ଯ୍ୟ ସୂଚୀ ପ୍ରଦାନ କରିଥିଲେ। ବୈପାରିଗୁଡା ବ୍ଳକର ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ମାନେ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରୁଥିବା ସହ ରାଜନୀତି ଉଦ୍ଦେଶ୍ୟ ରଖି ସମସ୍ତ କାର୍ଯ୍ୟକୁ ଅବହେଳିତ କରାଯାଉଛି ବୋଲି ଅଭିଯୋଗ କରିଥିଲେ। ବ୍ଲକରେ ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀଙ୍କ ମନମୁଖୀ ଶାସନ ଚାଲୁଛି ବୋଲି ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନେ ଆହୁରି ଅଭିଯୋଗ କରିଛନ୍ତି। ପଞ୍ଚାୟତରେ ହେଉଥିବା ବିକାଶ ମୂଳକ କାର୍ଯ୍ୟରେ ସରପଞ୍ଚ ମାନଙ୍କୁ ସାମିଲ କରାଯାଉ ନ ଥିବା କେତେଜଣ ସରପଞ୍ଚ ଓ ସମିତି ସଭ୍ୟ ଅଭିଯୋଗ କରିଛନ୍ତି। ବ୍ଲକର ଅଧିକାରୀ , ଇଞ୍ଜିନିୟର,କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି କାର୍ଯ୍ୟ କରିବାକୁ କୋରାପୁଟ ବିଧାୟକ ରଘୁରାମ ମାଛ ନିର୍ଦ୍ଦେଶ ଦେଇଥିଲେ।‌ଯଦି ଏଥିରେ ଖିଲାପ ରହିବେ ତାହେଲେ ସେମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ଉପରେ କଟାକ୍ଷ କରି କୋରାପୁଟ ବିଧାୟକ କହିଥିଲେ ଯେ ପୂର୍ବରୁ ଅଫିସର ମାନେ ଅଫିସ ଚଳାଇଉଥିଲେ ।ଆଗାମୀ ଦିନରେ ଅଫିସରମାନେ ଜନ ପ୍ରତିନିଧି ମାନଙ୍କୁ ଉଚିତ୍ ସମ୍ମାନ ଦେବେ ବୋଲି ସେ କହିଛନ୍ତି। ବ୍ଲକରେ ଜନ ପ୍ରତିନିଧି ମାନଙ୍କୁ ଅଣଦେଖା କରାଯାଉ ନାହିଁ ବୋଲି ବିଡ଼ିଓ ଅଭିମନ୍ୟୁ କବି ଶତପଥୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ସମସ୍ତଙ୍କୁ ନେଇ କାର୍ଯ୍ୟ କରାଯାଉଛି ଏବଂ ଜନ ପ୍ରତିନିଧି ମାନଙ୍କର ଦାବି ସମାଧାନ କରାଯିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ