ବିନା ଟେଣ୍ଡରରେ ନିମ୍ନମାନର ପୋଷାକ ଯୋଗାଣ ଅଭିଯୋଗ
ରାଜନଗର, (ଓ୍ବାଇଏନ୍ଏସ୍) : ରାଜନଗର ବ୍ଲକରେ ଥିବା ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଦୁର୍ନିତୀ ହୋଇଥିବା ଅଭିଯୋଗ ହେଉଛି । କାର୍ଯ୍ୟାଳୟ ଅଧିନସ୍ଥ ସମସ୍ତ ଅଙ୍ଗନୱାଡି କେନ୍ଦ୍ରର ପିଲାଙ୍କ ପାଇଁ ମିଳୁଥିବା ଖେଳନା ବେପାର ପରେ ଏବେ ପୁଣି ପୋଷାକ ବେପାର ହେଉଥିବା ଘଟଣା ସାମ୍ନାକୁ ଆସିଛି । ସଂଗୃହୀତ ତଥ୍ୟରୁ ଜଣାଯାଏ ଯେ, ବ୍ଲକରେ ୨୧୭ଟି ଅଙ୍ଗନୱାଡି କେନ୍ଦ୍ର ଓ ୫୬ଟି ମିନି ଅଙ୍ଗନୱାଡି କେନ୍ଦ୍ର ରହିଛି । କେନ୍ଦ୍ରଗୁଡିକରେ ୩ ରୁ ୫ବର୍ଷ ପର୍ଯ୍ୟନ୍ତ ୪ହଜାରରୁ ଉର୍ଦ୍ଧ୍ୱ ପ୍ର-ସ୍କୁଲ ପିଲା ପାଠ ପଢୁଛନ୍ତି । ପ୍ରତ୍ୟେକ ପିଲାଙ୍କୁ ବର୍ଷରେ ଦୁଇଟି ଡ୍ରେସ ମିଳିବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଚଳିତବର୍ଷ ବିଭାଗୀୟ କାର୍ଯ୍ୟାଳୟରେ ଥିବା ସୁପରଭାଇଜରମାନେ କେନ୍ଦ୍ରର କର୍ମୀମାନଙ୍କୁ ତାଗିଦ କରି କହିଛନ୍ତି ଯେ, ପୋଷାକ ପାଇଁ ପିଲାଙ୍କ ତାଲିକା ଆମ ମାଡାମଙ୍କୁ ଦେବ, ସେ ତୁମକୁ ଡ୍ରେସ ଯୋଗାଇ ଦେବେ ବୋଲି ନାମ ଗୋପନ ସୂତ୍ରରେ କର୍ମୀମାନେ ପ୍ରକାଶ କରିଛନ୍ତି । ଯୋଗାଣ ହେଉଥିବା ପୋଷାକ ଅତ୍ୟନ୍ତ ନିମ୍ନମାନର ଓ ଫୁଟପାଥରୁ ୫୦ଟଙ୍କା ମଧ୍ୟରେ କିଣା ହୋଇଥିବା କୁହାଯାଉଛି । ସରକାର ପ୍ରତି ପ୍ରି-ସ୍କୁଲ ପିଲା ପାଇଁ ଦୁଇହଳ ପୋଷାକ ନିମିତ ୨ଶହ ଟଙ୍କା ଲେଖାଏଁ କେନ୍ଦ୍ରର କମିଟ୍ ବ୍ୟାଙ୍କ ଖାତାକୁ ପଠାଯାଏ । ଚଳିତବର୍ଷ ସିଡିପିଓ ଚତୁରତାର ସହିତ ସ୍ୱୟଂ ସହାୟିକା ଗୋଷ୍ଠୀ ନାମରେ ପୋଷାକ ଯୋଗାଣ କରୁଛନ୍ତି । ବିନା ବିଜ୍ଞପ୍ତିରେ ପୋଷାକ ଦେବା ନିମିତ ସ୍ୱୟଂ ସହାୟିକା ଗୋଷ୍ଠୀ ଚୟନ କରାଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠୀର ନାମ ପ୍ରକାଶ କରାନଯିବା କାରଣ ଜଣାପଡୁନାହିଁ । ପ୍ରତିବର୍ଷ ଦୁଇହଳ ଲେଖାଏଁ ପୋଷାକ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦିଆଯାଉଥିବା ବେଳେ ଚଳିତବର୍ଷ ବଂଟନ ହୋଇଥିବା ରାଜନଗର ସେକ୍ଟରର ୩୮କେନ୍ଦ୍ର ମଧ୍ୟରୁ ୩୦ଟି କେନ୍ଦ୍ରରେ ହଳେ ଲେଖାଏ ପୋଷାକ ଅଙ୍ଗନୱାଡି କର୍ମୀମାନଙ୍କୁ ସିଡିପିଓଙ୍କ କାର୍ଯ୍ୟାଳୟରୁ ଦିଆଯାଇଥିବା ଜଣାପଡିଛି । ନିୟମାନୁଯାୟୀ ଠିକା ନେଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ଅଙ୍ଗନୱାଡି କେନ୍ଦ୍ରଗୁଡିକରେ ପହଂଚି ପିଲାଙ୍କୁ ପୋଷାକ ପିନ୍ଧାଇ ବିତରଣ କରିବା କଥା । ଯାହାଦ୍ୱାରା ପିଲାଙ୍କର ପୋଷାକ ଛୋଟ ହେଉଛି କି, ବଡ ହେଉଛି ତାହା ତନଖି କରାଯାଇ ପାରିଥାନ୍ତା । ମାତ୍ର ଅଙ୍ଗନୱାଡି କର୍ମୀମାନଙ୍କୁ କାର୍ଯ୍ୟାଳୟରୁ ପୋଷାକ ନେବାକୁ ବାଧ୍ୟ କରାଯାଉଛି । ନିମ୍ନମାନର ପୋଷାକ ଦିଆଯାଇ ବଡ ଧରଣର ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି । ଏସଂପର୍କରେ ସିଡିପିଓ ପୁଷ୍ପଲତା ଦାଶଙ୍କ ସହିତ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇନଥିଲେ । ଅପରପକ୍ଷରେ କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଚିନ୍ମୟୀ ରଥଙ୍କୁ ପଚାରିବାରୁ ପ୍ରତ୍ୟେକ ପିଲାଙ୍କ ପାଇଁ ଦୁଇହଳ ଲେଖାଏଁ ଡ୍ରେସ ପ୍ରଦାନ କରାଯିବା କଥା । ରାଜନଗର ସେକ୍ଟରରେ ହଳେ ଲେଖାଏ ପୋଷାକ କାହିଁକି ଦିଆଯାଇଛି, ସେ ବିଷୟରେ ମୁଁ ଅନୁଧ୍ୟାନ କରିବି । ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ ପ୍ରତ୍ୟେକ କେନ୍ଦ୍ରକୁ ଯାଇ ପୋଷାକ ବଂଟନ କରିବା କଥା, କାହିଁକି ସିଡିପିଓ କାର୍ଯ୍ୟାଳୟକୁ ଡକାଇ କର୍ମୀମାନଙ୍କୁ ପୋଷାକ ବଂଟନ କରାଗଲା, ତାର ଅନୁଧ୍ୟାନ କରିବି, ପୋଷାକ ବଂଟନ ଦାୟିତ୍ୱରେ କେଉଁ ସ୍ୱୟଂ ସହାୟିକା ଗୋଷ୍ଠୀ ଅଛି, ତାହା ସିଡିପିଓଙ୍କ କାର୍ଯ୍ୟାଳୟରୁ ଜଣାପଡିବ ବୋଲି କହିଛନ୍ତି । ମାତ୍ର ସିଡିପିଓଙ୍କ କାର୍ଯ୍ୟାଳୟର ସୁପରଭାଇଜର ଏବଂ କର୍ମଚାରୀମାନେ ସ୍ୱୟଂ ସହାୟିକା ଗୋଷ୍ଠୀର ନାମ ପ୍ରକାଶ ନକରିବା କିଛି ମନ୍ଦ ଉଦ୍ଦେଶ୍ୟକୁ ଇଙ୍ଗିତ କରୁନାହିକି? ଏସଂପର୍କରେ ମହିଳା ଓ ଶିଶୁବିକାଶ ମନ୍ତ୍ରୀ, ସଚିବ ଓ କେନ୍ଦ୍ରାପଡା ଜିଲ୍ଲାପାଳ ତଦନ୍ତ କରି ଚାଲିଥିବା ଦୁର୍ନିତୀର ପର୍ଦ୍ଦାଫାସ କରିବାକୁ ସାଧାରଣରେ ଦାବୀ ହେଉଛି ।