ବିନା ସୂଚନା ଫଳକରେ ଚାଲିଛି ଡେରିକି ବିଦ୍ୟୁତ ଷ୍ଟ୍ରକଚର ପ୍ରକଳ୍ପ କାର୍ଯ୍ୟ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ସରକାରୀ ପ୍ରକଳ୍ପ ନିର୍ମାଣ ହେବା ପୂର୍ବରୁ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକ କରିବାକୁ ସ୍ୱତନ୍ତ୍ର ନିୟମ ରହିଛି । ଏହି ନିୟମ ୨୦୦୫ ମସିହାରୁ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଖୋଲା ଖୋଲି ଉଲଘଂନ କରାଯାଉଛି । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳୁଛି ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ଡେରିକିରେ ନିର୍ମାଣ କରାଯାଉଥିବା ବିଦ୍ୟୁତ ଷ୍ଟ୍ରକଚର କ୍ଷେତ୍ରରେ ।ପ୍ରାପ୍ତ ସୁଚନା ଅନୁସାରେ ନାଉଗାଁ ବିଦ୍ୟୁତ ଷ୍ଟ୍ରକଚରରୁ ୧୬ଟି ପଂଚାୟତର ୧୫ହଜାରରୁ ଉର୍ଦ୍ଧ ଉପଭୋକ୍ତାକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଇଛି । କିନ୍ତୁ ଖରାଦିନ ହେବା ମାତ୍ରେ ବ୍ଲକର ୫ଟି ପଂଚାୟତ ଯଥା ତିରୁଣା, ଡେରିକି, କୋରୁଅ, ଓଷକଣା, ଶିଖର ପଂଚାୟତ ସମେତ ପୁରୀ ଜିଲ୍ଲା କାକଟପୁର ବ୍ଳକସ୍ଥିତ ଭଣ୍ଡିସାହି ଓ ମୁତୁଣିଆ ଗ୍ରାମର ଥିବା ୬ ହଜାର ବିଦ୍ୟୁତ ଉପଭୋକ୍ତା ଲୋ-ଭୋଲଟେଜ ସମସ୍ୟାର ଶିକାର ହେଉଥିଲେ । ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଡେରିକି ଠାରେ ଷ୍ଟ୍ରକଚର ନିର୍ମାଣ କରିବା ପାଇଁ ତକ୍ରାଳୀନ ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ବିଭୁ ପ୍ରସାଦ ତରାଇ ୨୦୧୩ ମସିହାରେ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଷ୍ଟ୍ରକଚର କାର୍ଯ୍ୟ ୨୦୧୪ ମସିହାରେ ଆରମ୍ଭ କରାଯାଇଥିଲା । ଏହି ଷ୍ଟ୍ରକଚରଟି କାର୍ଯ୍ୟକ୍ଷମ ହେଲେ ନାଉଗାଁ ବ୍ଳକର ୫ଟି ପଂଚାୟତ ସମେତ ପୁରୀ ଜିଲ୍ଲା କାକଟପୁର ବ୍ଳକସ୍ଥିତ ଭଣ୍ଡିସାହି ଓ ମୁତୁଣିଆ ଗ୍ରାମର ବିଦ୍ୟୁତ ଉପଭୋକ୍ତାମାନେ ଉପକୃତ ହୋଇପାରିବେ । କିନ୍ତୁ ଉକ୍ତ ଷ୍ଟ୍ରକଚର କାର୍ଯ୍ୟ ଶେଷ ହୋଇପାରୁନାହିଁ ଫଳରେ ପୁର୍ବପରି ଲୋ-ଭୋଲଟେଜ ସମସ୍ୟା ଦେଖା ଦେଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ଡେରିକି ଠାରେ ଷ୍ଟ୍ରକଚର ନିର୍ମାଣ କରିବା ପାଇଁ ତକ୍ରାଳୀନ ଜଗତସିଂହପୁର ବିଧାୟକ ବିଷ୍ଣୁ ଦାସ ଓ ସାଂସଦ ବିଭୁ ପ୍ରସାଦ ତରାଇ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଥିଲେ । ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଓଡିଶା ବିଦ୍ୟୁତ ଶକ୍ତି ପରିବହନ ନେଇଥିବା ବେଳେ ଏହାକୁ ନିର୍ମାଣ ଦାୟିତ୍ୱ ଗୁପ୍ତା ପାୱାରକୁ ପ୍ରଦାନ କରାଯାଇଛି । କୋଟି କୋଟି ଟଙ୍କା ବ୍ୟୟ କରାଯାଇ ଏହି ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଚାଲୁ ରହିଥିବା ବେଳେ କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ଜଣାଯାଇଛି । ଷ୍ଟ୍ରକଚରକୁ ସଂଯୋଗୀ ରାସ୍ତା,ଚାରିପାଖ ପାଚେରୀ ନିର୍ମାଣ ସହିତ ଷ୍ଟ୍ରକଚରରେ ଯନ୍ତ୍ରାଂଶ କାର୍ଯ୍ୟ ମଧ୍ୟ ଶେଷ ହୋଇଛି । ହେଲେ ପ୍ରକଳ୍ପର ଅବଧି ଓ ଶେଷ ତାରିଖ, ପ୍ରକଳ୍ପର ବ୍ୟୟ ଅଟକଳ, ନିର୍ମାଣକାରୀ ସଂସ୍ଥା ଆଦି ନାମ ସୁଚନା ଫଳକରେ ନଥିବା ଦେଖିବାକୁ ମିଳୁଛି । ଯାହାଦ୍ୱାରା ଜନସାଧାରଣମାନେ ପ୍ରକଳ୍ପର କାର୍ଯ୍ୟ ଠିକ ଭାବେ ହେଉଛି କି ନାହିଁ ଜାଣି ପାରୁନାହାନ୍ତି । ସବୁଠାରୁ ବଡ କଥା ହେଲା ଉକ୍ତ ଷ୍ଟ୍ରକଚର କାର୍ଯ୍ୟ କରୁଥିବା ସଂସ୍ଥା ଖୋଲା ଖୋଲି ଭାବେ ସରକାରୀ ନିୟମକୁ ଉଲଘଂନ କରୁଥିବା ଜଣାଯାଇଛି । ସେହିପରି ଷ୍ଟ୍ରକଚରରେ କେତେ ଅର୍ଥ ବ୍ୟୟ କରାଯାଇଛି ତାହା ମଧ୍ୟ ସୁଚନା ପ୍ରଦାନ କରାଯାଇନାହିଁ । ଯାହାଫଳରେ ଷ୍ଟ୍ରକଚର କାର୍ଯ୍ୟ ଠିକ ଭାବେ କାଯ୍ୟ କରାଯାଇଛି କି ନାହିଁ ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି । ତେଣୁ ଯଥା ଶୀଘ୍ର ଉକ୍ତ ଷ୍ଟ୍ରକଚର କାର୍ଯ୍ୟ ଶେଷ କରି ହିତାଧିକାରିମାନଙ୍କୁ ବିଦ୍ୟୁତ ସେବା ଯୋଗାଇ ଦେବା ପାଇଁ ବିଦ୍ୟୁତ ଉପଭୋକ୍ତାମାନେ ଦାବି କରିଛନ୍ତି । ଏ ସଂକ୍ରାନ୍ତରେ ଜଗତସିଂହପୁର ସେସୁର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଜଗଦିଶ ସାହୁଙ୍କୁ ପଚାରିବାରେ ଏହି ବିଦ୍ୟୁତ ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଓଡିଶା ବିଦ୍ୟୁତ ଶକ୍ତି ପରିବହନ ସଂସ୍ଥାର । ଷ୍ଟ୍ରକଚର ନିର୍ମାଣ କାର୍ଯ୍ୟ ଗୁପ୍ତା ପାୱାରକୁ ଦିଆଯାଇଛି । ସେମାନେ କାର୍ଯ୍ୟ ଶେଷ କରି ସେସୁକୁ ହସ୍ତାନ୍ତର କଲା ପରେ କାର୍ଯ୍ୟକ୍ଷମ ହେବ ବୋଲି କହିଥିଲେ । ସୂଚନା ଫଳକ ବିଷୟରେ ପଚାରିବାରେ ଭୁବନେଶ୍ୱର କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କହିଥିଲେ ।