ବିପଦରେ ଜଙ୍ଗଲ ରାଜା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଆଜି ହେଉଛି ବିଶ୍ୱ ବ୍ୟାଘ୍ର ଦିବସ । ବାଘ ବଂଶର ସୁରକ୍ଷା, ସଂରକ୍ଷଣ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ମାସ ୨୯ ତାରିଖଟିକୁ ବିଶ୍ୱ ବ୍ୟାଘ୍ର ଦିବସ ରୂପେ ପାଳିତ ହୋଇଥାଏ । ଜାତୀୟ ପଶୁର ମାନ୍ୟତା ପ୍ରାପ୍ତ ପଶୁଟିର ସୁରକ୍ଷା ଲାଗି ବ୍ୟାପକ ପଦକ୍ଷେପ ସତ୍ତ୍ୱେ ବାଘ ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଏଭଳି ଧାରା ଜାରି ରହିଲେ ଆଗାମୀ ପିଢ଼ି ବାଘର ହେଣ୍ଟାଳ ରଡି ଶୁଣି ପାରିବେ ତ? ନା ଇତିହାସ ପାଲଟିଯିବ ଭାରତର ଏହି ଜାତୀୟ ପଶୁ । ଏହାର ଅସ୍ତିତ୍ୱକୁ ନେଇ ସୃଷ୍ଟି ହୋଇଛି ଅନେକ ପ୍ରଶ୍ନ । ଆମ ରାଜ୍ୟ ଓଡ଼ିଶାରେ ଗତ ତିନିବର୍ଷ ମଧ୍ୟରେ ଏସ୍‌.ଟି.ଏଫ୍ ଦ୍ୱାରା ୩୬ଟି ବାଘ ଛାଲ ଜବତ ହୋଇଛି । ଏଥିରୁ ଜଣାପଡ଼େ ଜନ୍ତୁ ତସ୍କରଙ୍କ ସାମ୍ରାଜ୍ୟ କିଭଳି ଭାବେ ବଢ଼ିଚାଲିଛି । ଏ ନେଇ ଏହି ପରିପ୍ରେକ୍ଷୀରେ ବାଘର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭୁବନେଶ୍ୱର ପୋଖରୀପୁଟ ଅଞ୍ଚଳରେ ରହୁଥିବା ୯ବର୍ଷ ବୟସର କୁନି ଚିତ୍ରଶିଳ୍ପୀ ଶାନ୍ତନୁ ଶାନ୍ତିସ୍ୱରୂପ । ରଙ୍ଗ ଓ ତୂଳୀରେ ଆଙ୍କିଛନ୍ତି ପୃଥିବୀର ସୁନ୍ଦରତମ ହିଂସ୍ରପ୍ରାଣୀ ଓ ରାଜକୀୟ ସ୍ୱଭାବ ପ୍ରଦର୍ଶନ କରୁଥିବା ତଥା ଜଙ୍ଗଲର ରାଜା ବାଘର ଚିତ୍ର । ଏହାର ସୁରକ୍ଷା ଲାଗି ସାରା ବିଶ୍ୱକୁ ଚିତ୍ରରେ ଦେଇଛନ୍ତି ନିଆରା ବାର୍ତ୍ତା । ଚିତ୍ରଟିରେ ଦର୍ଶାଇଛନ୍ତି ବାଘ ରହିଲେ ଜଙ୍ଗଲ ରହିବ । ଅର୍ଥାତ୍ ଜଙ୍ଗଲ ରହିଲେ ଠିକ୍ ସମୟରେ ବୃଷ୍ଟିପାତ ହେବ । ଠିକ୍ ସମୟରେ ବର୍ଷା ହେଲେ ଭଲ ଫସଲ ଅମଳ ହେବ । ଜୀବଜଗତ ପାଇଁ ଖାଦ୍ୟାଭାବ ରହିବ ନାହିଁ ଓ ଜୀବଜଗତର ସନ୍ତୁଳନ ଠିକ୍ ରହିପାରିବ । ନଚେତ୍ ଏ ସୁନ୍ଦର ଜୀବଜଗତ ନାଶ ହୋଇଯିବ । ଏଣୁ ଏହାର ସୁରକ୍ଷା ଲାଗି ପ୍ରତିଟି ସ୍ତରରେ ଉଦ୍ୟମ ହେବା ନିତାନ୍ତ ଆବଶ୍ୟକ ବୋଲି ଶାନ୍ତନୁ ଏହି ଅବସରରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ