ବିପଦ ସଂକୁଳ ଅବସ୍ଥାରେ ରହିଛି ୧୧କେଭି ବିଦ୍ୟୁତ ତାର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ପଂଚାୟତ ନାଉଗାଁ ଗ୍ରାମର ମଲ୍ଲିକ ସାହି ଦେଇ ୧୧କେଭି ବିଦ୍ୟୁତ ତାର ଯାଇଛି। ଏହି ବିଦ୍ୟୁତ ତାର ତଳେ ଗ୍ରାମର ୧୧ରୁ ଉର୍ଦ୍ଧ୍ୱ ପରିବାରଙ୍କ ବାସଗୃହ ରହିଥିବା ବେଳେ କେତେକଙ୍କ ଘରର ପଛ ପାଶ୍ୱର୍ରେ ଯାଇଅଛି। ଯେଉଁ ତାରକୁ ନେଇ ସମସ୍ୟା ଉପୁଜୁଛି। ୧୧କେଭି ବିଦ୍ୟୁତ ତାର ଯିବା ଦ୍ୱାରା ଅନେକ ପରିବାର ଚାଳ ଛପର ଘରକୁ ଛପର କରି ପାରୁ ନଥିବା ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ ଘରର ଛାତ ଉପରକୁ ଯିବାକୁ ମଧ୍ୟ ଭୟ ଲାଗୁଛି। ସେହିପରି ଘରର ପଛ ପାଶ୍ୱର୍ରେ ତାର ଝୁଲି ରହିଥିବାରୁ କିଛି ପନିପରିବା ଫସଲ ମଧ୍ୟ କରି ପାରୁନାହାନ୍ତି। ବର୍ଷା ଦିନେ ଏହି ପରିବାର ଗୁଡିକ ବିଦ୍ୟୁତ ତାର ପାଇଁ ଭୟରେ ରହୁଥିବା ଜଣାଯାଇଛି। ଯଦି କୌଣସି କାରଣବଶତଃ ବିଦ୍ୟୁତ ତାର ଘର ଉପରେ ଛିଣ୍ଡି ପଡେ ତେବେ ଧନ ଜୀବନ ନଷ୍ଟ ହେବାର ସମ୍ଭାବନା ରହିଛି। ତାର ଏତେ ତଳେ ରହିଛି ଯେ ଛାତ ଉପରକୁ କିମ୍ବା ବାଡି ବଗିଚାକୁ ଯିବାକୁ ହେଲେ ତାର ମୁଣ୍ଡରେ ବାଜିବାର ଭୟ ରହିଛି। ସରକାରଙ୍କ ପକ୍ଷରୁ ବିଦ୍ୟୁତ ସେବାକୁ ସୁପରିଚାଳନା କରିବା ନିମନ୍ତେରେ ଟାଟା ପାୱାରକୁ ଦାୟିତ୍ୱ ପ୍ରଦାନ କରାଯାଇଛି। ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ ସେବା,ଦୀର୍ଘଦିନ ବ୍ୟବହାର ହୋଇଥିବା ତାର ଓ ଭଙ୍ଗା ଖୁଂଟକୁ ପରିବର୍ତନ କରି ନୂତନ ବିଦ୍ୟୁତ ଖୁଂଟ ପକାଇବା ସହିତ ଆଲୁମିନିୟମ ତାର ବଦଳରେ କେବଲ୍ ତାର ଲଗାଇବା ପାଇଁ ଚୁକ୍ତି କରିଥିଲେ ହେଁ ଏପର୍ଯ୍ୟନ୍ତ ତାହା କରାଯାଉନାହିଁ। ଯାହାଫଳରେ ସାମାନ୍ୟ ପବନ କିମ୍ବା ବର୍ଷା ହେଲେ ବିଦ୍ୟୁତ ତାର ଛିଣ୍ଡି ଅନେକ ଧନ ଜୀବନ ମଧ୍ୟ ନଷ୍ଟ ହେଉଥିବାର ନଜିର ରହିଛି। ମଲ୍ଲିକ ସାହି ଦେଇ ଯାଇଥିବା ତାର ଯୋଗୁ ପିଲାମାନଙ୍କୁ ବାହାରକୁ ଛାଡିବା,ଛାତ ଉପରକୁ ଯିବା ବେଳେ ବିପଦ ରହିଥିବା ଗ୍ରାମର ବୁଲୁ ମଲ୍ଲିକ, ଟୁଲୁ ମଲ୍ଲିକ, ଆର୍ତବନ୍ଧୁ ମଲ୍ଲିକ, ରବି ମଲ୍ଲିୁକ ଆଦି ପ୍ରକାଶ କରିଛନ୍ତି। ଏପରିକି ପ୍ରତିଦିନ ସେମାନେ ମରି ମରି ବଂଚୁଥିବା କହିଛନ୍ତି। ଦଳିତ ପରିବାର ହୋଇଥିବା ବେଳେ ଅଭିଯୋଗ କଲେ ବି ତାଙ୍କ କଥା କେହି କର୍ଣ୍ଣପାତ କରୁ ନଥିବା କହିଛନ୍ତି। ଯଥାଶୀଘ୍ର ଉକ୍ତ ତାରକୁ ସ୍ଥାନାନ୍ତରିତ କରିବା ପାଇଁ ସେ ପ୍ରଶସାନ ନିକଟରେ ଦୃଢ ଦାବି କରିଛନ୍ତି। ସେହିପରି କୋକିଢିହ ନିକଟରେ ଥିବା ମୋବାଇଲ ଟାୱାରକୁ ଗୋବରୀ ନାଳ ଦେଇ ୧୧କେଭି ତାର ସଂଯୋଗ କରାଯାଇଛି। ଯାହାକି ଅସୁରକ୍ଷିତ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି। ଏବିଷୟର ଟାଟା ପାୱାର ନାଉଗାଁ ସେକ୍ସନର ଲିଡ ମ୍ୟାନେଜର ତାପସ ବେହେରାଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନଥିଲା।