ବିପଦ ସମୟରେ ସମାଜରୁ ସଂକଟ ଦୁର କରିବେ ସ୍ୱୟଂସେବକ
ଗୋଲଖ ଚନ୍ଦ୍ର ଦାସ
ଦେଶ ଓ ସମାଜ ଉପରେ ଯେତେବେଳେ ବିପଦ ଆସେ ସେହି ସମୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ସମାଜର ସେବାରେ ନିଜକୁ ସାମିଲ କରିଥାଏ । ଏବେ କରୋନା ଭାଇରସ ବିରୋଧରେ ଯେଉଁ ସଂଗ୍ରାମ ଚାଲିଛି ସମାଜର ସାହାଯ୍ୟ ପାଇଁ ସ୍ୱୟଂସେବକମାନେ ଛିଡା ହୋଇଛନ୍ତି । ମହାମାରୀ ବିରୋଧରେ ହେଉଥିବା ଯୁଦ୍ଧରେ ପ୍ରଶାସନ ଠାରୁ ଅନୁମତି ନେଇ ସେମାନଙ୍କ ସହଯୋଗ ପାଇଁ ନିୟମ ପାଳନ କରିବା ସହିତ ଦେଶର ବିଭିନ୍ନ ସ୍ଥାନରେ ସ୍ୱୟଂସେବକମାନେ ସେବାକାମ କରୁଛନ୍ତି । ସ୍ୱୟଂସେବକମାନେ ଛୋଟ ଛୋଟ ଦଳରେ ଭାଗ ହୋଇ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଜନ ଜାଗରଣ କରିବା ସହିତ ମେଡିକାଲ ଓ ସାର୍ବଜନିନ ସ୍ଥାନ ଗୁଡିକର ସ୍ୱଚ୍ଛତା କରୁଛନ୍ତି । ସାନିଟାଇଜ ମଧ୍ୟ କରୁଛନ୍ତି । ଏଥି ସହିତ ଖାଦ୍ୟ ପ୍ୟାକେଟ, ରାସନ, ମାକ୍ସ, ସେନେଟାଇଜର ଏବଂ ସାବୁନ ବିତରଣ କରୁଛନ୍ତି । ସଂଘର ସ୍ୱୟଂସେବକ ଏବଂ ସହଯୋଗୀ ସଂଗଠନର କାର୍ଯ୍ୟକର୍ତ୍ତା ସଂକଟ ସମୟରେ ରାଷ୍ଟ୍ରହିତ ଏବଂ ସମାଜ ହିତରେ ନିଜ ନିଜ ଅଂଚଳରେ ସେବାକାର୍ଯ୍ୟ କରୁଛନ୍ତି । ଓଡିଶାର କେନ୍ଦୁଝର ଜିଲ୍ଲାର କେନ୍ଦୁଝର ନଗର, ଯୋଡା, ଆନନ୍ଦପୁର ଓ ଘଟଗାଁ ଆଦି ଅଂଚଳରେ ସ୍ୱୟଂସେବକମାନଙ୍କ ଦ୍ୱାରା ଜନଜାଗରଣ ଓ ସେବାକାମ ଚାଲୁଅଛି । କେନ୍ଦୁଝର ନଗରରରେ ଯେକୌଣସି ଅସୁସ୍ଥ ବ୍ୟକ୍ତି ଏବଂ ବୟଷ୍କ ବ୍ୟକ୍ତିମାନେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଆଣିବାକୁ ବାହାରକୁ ଯାଇ ପାରୁନାହାଁନ୍ତି ସେମାନେ ସଂଘର ସ୍ୱୟଂସେବକମାନଙ୍କ ସହିତ ଯୋଗା ଯୋଗ କରିବାରୁ ସ୍ୱୟଂସେବକମାନେ ସେମାନଙ୍କ ନିକଟରେ ଉକ୍ତ ସାମଗ୍ରୀ ସବୁ ଆଣି ପହଁଚାଉଛନ୍ତି । ସେଥିପାଇଁ ୫ଜଣଙ୍କ ମୋବାଇଲ ନମ୍ବର ସ୍ୱୟଂସେବକମାନଙ୍କ ତରଫରୁ ଦିଆଯାଇଛି । ୭୦୦୮୮୧୦୨୪୦ ବରଦା ଭାଇ, ୯୪୩୭୪୬୭୩୬୮ ମଂଟୁ ଭାଇ, ୯୩୩୭୮୪୮୬୬୧ ବିକାଶ ଭାଇ, ୯୪୩୭୨୧୪୯୭୫ ଦେବରାଜ ଭାଇ ଏବଂ ୭୦୦୮୦୧୩୦୫୯ ରେ ରକ୍ଷା ଭାଇଙ୍କ ସହଯୋଗା ଯୋଗ କରିବାକୁ କେନ୍ଦୁଝର ନଗର ସ୍ୱୟଂସେବକମାନଙ୍କ ତରଫରୁ କୁହାଯାଇଛି । ଘଟଗାଁ ସରସ୍ୱତୀ ଶିଶୁ ମନ୍ଦିର ତରଫରୁ ରନ୍ଧାଖାଦ୍ୟ ମଧ୍ୟ ବିତରଣ କରାଯାଉଛି । କେନ୍ଦୁଝର ଜିଲ୍ଲାର ଯୋଡାରେ ବିଭିନ୍ନ ଦୋକାନ ଆଗରେ ଦୁରତା ରେ ଠିଆ ହେବା ପାଇଁ ଚୁନରେ ସ୍ୱୟଂସେବକମାନେ ମୁଣ୍ଡଳି ବୁଲାଇଛନ୍ତି । କରୋନା ଭାଇରସ ସମ୍ପର୍କୀତ ସଚେତନତା ଏବଂ ସାମାଜିକ ଦୂରତାର ଗୁରୁତ୍ୱ ସଂପର୍କରେ ମଧ୍ୟ ବୁଝାଇଛନ୍ତି । ଆନନ୍ଦପୁରରେ ବିଭିନ୍ନ ସ୍ଥାନରେ ବୁଲୁଥିବା ପାଗଳ ଓ ଭିକାରୀମାନଙ୍କୁ ଆଣି ଥଇଥାନ କରାଯାଉଛି । ସେବା ଭାରତୀ କରୋନା ଭାଇରସ ସଂକ୍ରମଣରୁ ରକ୍ଷା କରିବା ପାଇଁ ରାଜସ୍ତାନ ଓ ଦିଲ୍ଲୀରେ ହେଲପ୍ଲାଇନ୍ ଆରମ୍ଭ କରିଛି । ଏହି ହେଲପଲାଇନ୍ ମାଧ୍ୟମରେ ଯେକୌଣସି ବ୍ୟକ୍ତି ସହାୟତା ପ୍ରାପ୍ତ କରି ପାରିବେ । ଏହି ହେଲପଲାଇନ୍ ନମ୍ବର ହେଉଛି ୮୦୧୦୦୬୬୦୬୬ ଚବିଶ ଘଂଟା ଏବଂ ସାତ ଦିନ ଚାଲୁ ରହିବ । ଦିଲ୍ଲୀର ରୋହିଣୀରେ ସଂଘର କାର୍ଯ୍ୟକର୍ତ୍ତାମାନେ ବସ୍ତି ଗୁଡିକୁ ଯାଇ ମାକ୍ସ ଓ ଭୋଜନ ପ୍ୟାକେଟ ବଂଟନ କରିଥିଲେ । ଜନକପୁରୀ, କେଶବପୁରମ ଆଦି ସ୍ଥାନରେ ଅଭାବଗ୍ରସ୍ତ ଲୋକମାନଙ୍କୁ ଭୋଜନ ପ୍ୟାକେଟ ଦେବା ସହିତ ବାରମ୍ବାର ସାବୁନରେ ହାତ ଧୋଇବା ପାଇଁ ଜନ ଜାଗରଣ ସୃଷ୍ଟି କରାଯାଇଛି । ବିଶ୍ୱହିନ୍ଦୁ ପରିଷଦ ଦିଲ୍ଲୀ ତରଫରୁ ବିଭିନ୍ନ ବସ୍ତି ଗୁଡିକରେ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । ମଧ୍ୟପ୍ରଦେଶର ଭୋପାଳରେ ସେବା ଭାରତୀର କାର୍ଯ୍ୟକର୍ତ୍ତାମାନେ ପ୍ରତିଦିନ ୧୫୦୦ ଲୋକଙ୍କ ପାଇଁ ରୋଷାଇ କରି ମଜଦୁର, ବେସାହାରା ଏବଂ ମେଡିକାଲରେ ଭତ୍ତି ହୋଇଥିବା ରୋଗୀ ଏବଂ ତାଙ୍କ ଲୋକମାନଙ୍କୁ ଖାଦ୍ୟ ବିତରଣ କରୁଛନ୍ତି । ଏଥି ସହିତ ପୋଲିସ ବନ୍ଧୁମାନଙ୍କ ପାଇଁ ମଧ୍ୟ ଚା ପାଣିର ବ୍ୟବସ୍ଥା କରୁଛନ୍ତି । ଜବଲପୁର ମହାନଗରର ଗୋକୁଳଦାସ ଧର୍ମଶାଳାରେ ଗରୀବ, ଅସହାୟ ଲୋକମାନଙ୍କ ପାଇଁ ଆରଏସଏସ ଏବଂ ସାମାଜିକ ସଂଗଠନ ଗୁଡିକ ପ୍ରତ୍ୟେକ ଦିନ ଭୋଜନ ବ୍ୟବସ୍ଥା କରିଛନ୍ତି । କଠୁଆ, ସାମ୍ଭା, ଉଦ୍ଧମପୁର, ରିୟାସୀ, ଡୋଡା, କିସତୱାଡା, ରାମବନ, ପୁଚ୍ଛ ଆଦି ଜିଲ୍ଲା ଗୁଡିକରେ ସେବା ଭାରତୀ ତରଫରୁ ବିଭିନ୍ନ ପ୍ରକାର ଅଭିଯାନ ଚାଲୁଅଛି । ଝାଡଖଣ୍ଡରେ ଆରଏସ୍ଏସ୍ ଓ ସେବା ଭାରତୀ ତରଫରୁ ବିଭିନ୍ନ ସ୍ଥାନରେ ୨୦ ଦିନ ପାଇଁ ଭୋଜନ ବ୍ୟବସ୍ଥା କରାଯାଇଛି । ରାଜସ୍ଥାନର ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ତରଫରୁ ଗଙ୍ଗାପୁର ଗ୍ରାମର ପ୍ରତ୍ୟେକ ଲୋକଙ୍କୁ ମାକ୍ସ ବଂଟା ଯାଇଛି । ଚିତୋର ପ୍ରାନ୍ତର ନାଥଦ୍ୱାର ଖଣ୍ଡରେ ସଂଘର ସ୍ୱୟଂସେବକମାନେ ୩୫ଶହ ମାକ୍ସ ତିଆରି କରି ବାଣ୍ଟିଥିବା ବେଳେ ଜୟପୁର ମହାନଗରରେ ସ୍ୱଂୟସେବକମାନେ ୧୨୦୦ ଭୋଜନ ପ୍ୟାକେଟ ବିତରଣ କରିଛନ୍ତି ।
କେରଳରେ ଆରଏସ୍ଏସ୍ ଓ ସେବାଭାରତୀର କାର୍ଯ୍ୟକର୍ତ୍ତାମାନେ ମିଶି ସରକାରୀ ମେଡିକାଲ ଗୁଡିକ ସଫା ସୁତୁରା କରିଛନ୍ତି । ସ୍ଥାନୀୟ ପ୍ରଶାସନ ସହିତ ମିଶି ନିଜ ନିଜ ଅଂଚଳରେ ସ୍ୱୟଂସେବକମାନେ ସ୍ୱଚ୍ଛତା ଅଭିଯାନ ଚଳାଇଛନ୍ତି । କେରଳର କୋଲିକୋଡ ସ୍ଥିତ ସରକାରୀ ମେଡିକାଲ କଲେଜର ହଷ୍ଟେଲ ଓ ଶୌଚାଳୟଗୁଡିକ ସ୍ୱୟଂସେବକମାନେ ସଫା କରିଛନ୍ତି । ବେଙ୍ଗଲୁରର ରାଜେଶ୍ୱରୀ ନଗରରେ ଅନେକ ପରିବାରକୁ କରୋନା କିଟ୍ ଦିଆଯାଇଛି ।
ନାଗପୁର ମହାନଗରରେ ମଜଦୁର, ରିକ୍ସାବାଲା ସହିତ ଅନ୍ୟ ଲୋକମାନଙ୍କୁ ମଧ୍ୟ ଖାଦ୍ୟ ପ୍ୟାକେଟ ବିତରଣ କରାଯାଉଛି । ସେବାଭାରତୀର ଭଉଣୀମାନଙ୍କ ଦ୍ୱାରା ତିଆରି ହୋଇଥିବା ମାକ୍ସ ଗୁଡିକୁ ମେଡିକାଲରେ ବିତରଣ କରାଯାଇଛି ।
ପଞ୍ଜାବର ବିଭିନ୍ନ ଅଂଚଳରେ ପ୍ରତିଦିନ କାମ କରି ପେଟ ପୋଷୁଥିବା ଲୋକମାନେ ତାଲା ବନ୍ଧ ଯୋଗୁ କାମ ଧନ୍ଦା ନକରି ପାରିବାରୁ ସେମାନଙ୍କ ପରିବାରକୁ ସ୍ୱୟଂସେବକମାନେ ରାସନ ସାମଗ୍ରୀ ଯୋଗାଇ ଦେଉଛନ୍ତି ।
ଉତ୍ତର ପ୍ରଦେଶର ମେରଠରେ ସ୍ୱୟଂସେବକମାନଙ୍କ ଦ୍ୱାରା ବସ୍ତିମାନଙ୍କରେ ଦୁଗ୍ଧ ଓ ବ୍ରେଡ ବିତରଣ କରାଯାଉଛି । ମିର୍ଜାପୁରରେ ଏବିଭିପିର ଛାତ୍ରମାନେ ଭୋଜନ ପ୍ୟାକଟେ ବିତରଣ କରିଛନ୍ତି ।
କରୋନା ଭାଇରସର ମୁକାବିଲା କରିବା ପାଇଁ ସାରା ଦେଶ ଲକ୍ ଡାଉନ ଥିବା ବେଳେ ଜାମ୍ମୁ ମଧ୍ୟ ଲକ୍ ଡାଉନ ରହିଛି । ଜାମ୍ମୁର ରାଜୀବ ନଗର ସମେତ ଅନେକ ବସ୍ତିରେ ରହୁଥିବା ଅସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକ, ବସ୍ତିରେ ରହୁଥିବା ଲୋକ ଓ ଶ୍ରମିକମାନଙ୍କୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଆନୁସଙ୍ଗିକ ସଂଗଠନ ସେବାଭାରତୀ ଦ୍ୱାରା ପରିଚାଳିତ ସଙ୍କଟମୋଚନ ଦଳ ସହାୟତାରେ ସ୍ୱୟଂସେବକମାନେ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ, ରୋସାଇ ସାମଗ୍ରୀ, ମାକ୍ସ , ଡାଲି, ଚାଉଳ, ସୋରିସ ତେଲ ଆଦି ବିତରଣ କରିଛନ୍ତି । ସରକାରଙ୍କ ତରଫରୁ ଘୋଷଣା କରାଯାଇଥିବା ସମସ୍ତ ନିୟମ କାନୁନକୁ ପାଳନ କରିବା ସହିତ ଏହି ସହାୟତା ବଂଟନ କରିଛନ୍ତି ।
ଦେଶର ସମସ୍ତ ପ୍ରାନ୍ତରେ ସେବା ଓ ସହଯୋଗ କାମ ଆରମ୍ଭ ହୋଇଛି । ଦିନକୁ ଦିନ ଏହି ସେବାକାମ ବଢିବାରେ ଲାଗିଛି । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହସରକାର୍ଯ୍ୟବାହ ଶ୍ରୀ ଭୟାଜୀ ଜୋଶୀ ଏବଂ ବର୍ଷ ପ୍ରତିପଦାରେ ପରମପୂଜନୀୟ ସରସଂଘଚାଳକ ଡ.ମୋହନ ଭାଗବତ କରୋନା ଭାଇରସ ମହାମାରୀ ରୂପ ନେଇଥିବାରୁ ନିଜ ନିଜ ଅଂଚଳରେ ସେବାକାମ କରିବାକୁ ଆହ୍ୱାନ କରିଥିଲେ । ଏହା ପରେ ସାରା ଦେଶରେ ସ୍ୱୟଂସେବକମାନେ ସକ୍ରୀୟ ହୋଇ ସେବା କାମରେ ଲାଗି ପଡିଛନ୍ତି । ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ବିଦ୍ୟାର୍ଥି ମାନଙ୍କୁ ସହଯୋଗ କରିବା ପାଇଁ ପ୍ରାନ୍ତ ଅନୁସାରେ ହେଲପଲାଇନ୍ ନମ୍ବର ଜାରି କରିଛନ୍ତି । ଭାରତୀୟ ମଜଦୁର ସଂଘ ମଧ୍ୟ ସମସ୍ତ ସଦସ୍ୟଙ୍କୁ ଏକ ଦିନର ଦରମା କିମ୍ବା ପେନସନ କରୋନା ରିଲିଫ ଫଣ୍ଡକୁ ଦାନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ।
ଘିଗିଡିଆ, ବାରୁଅ, କେନ୍ଦ୍ରାପଡା
ମୋ-୯୮୬୧୦୨୮୫୫୩