ବିପୁଳ ପରିମାଣର ତେଲ କାଉଡିଆ ନଦୀ ଓ ସମୁଦ୍ରରେ ମିଶିଲା

ପାଇପଲାଇନରୁ ତେଲ ଚୋରି ବେଳେ ଅଘଟଣ

ପାରାଦୀପ,(ୱାଏନଏସ): ପାରାଦୀପରେ ବ୍ୟାପକ ଚୋରା କାରବାର ଘ ଟଣାକୁ ନେଇ ଅଘଟଣ ଘଟୁଥିଲେ ହେଁ ଏହାର କୌଣସି ପ୍ରଭାବ ପ୍ରଶାସନ ଉପରେ ପଡୁନାହିଁ।ଦୁଇଦିନ ତଳେ ମାଛଧରା ଡଙ୍ଗାରେ ବିଦେଶୀ ମଦ ସିଗାରେଟ କାରବାର ସମୟରେ ଜଣେ ଯୁବକ ପାଣିରେ ଖସି ପଡିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।ଉକ୍ତ ଘଟଣା ମନରୁ ନ ଯାଉଣୁ ପୁଣି ସେହି ନେହେରୁବଙ୍ଗଳା ଅଞ୍ଚଳରେ ରବିବାର ଆଉ ଏକ ଘଟଣା ଘଟିଛି।ପାରାଦୀପ ମେରାଇନ୍ ଥାନା ଅନ୍ତର୍ଗତ ନେହେରୁବଙ୍ଗଳା ରାସ୍ତାର ଜେଏସଡବ୍ଲୁ କମ୍ପାନୀ ଛକ ପାଖରେ ମାଟି ତଳେ ଯାଇଥିବା ଇଣ୍ଡିଆନ ଅଏଲ ପାଇପଲାଇନରୁ ବିପୁଳ ତେଲ ନିର୍ଗତ ହୋଇ ନିକଟସ୍ଥ କାଉଡିଆ ନଦୀ ଓ ସମୁଦ୍ରରେ ମିଶିଛି।ଘଟଣା ପ୍ରଘଟ ହେବା ପରେ ଇଣ୍ଡିଆନ ଅଏଲ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି କଣା ହୋଇଥିବା ପାଇପଲାଇନକୁ ମରାମତି କରିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି।ରିପୋର୍ଟ ଲେଖା ହେବା ସୁଦ୍ଧା ଥାନାରେ ଅଭିଯୋଗ ହୋଇନାହିଁ ବୋଲି ମେରାଇନ୍ ଥାନାଧିକାରିଣୀ ସୁଜାତା ବେହେରା କହିଛନ୍ତି।ଘଟଣା ସମ୍ପର୍କରେ ଇଣ୍ଡିଆନ ପାଇପଲାଇନ ଅଧିକାରୀ ଅମିତ୍ କୁମାରଙ୍କୁ ପଚାରିଲେ ସେ କିଛି ଜାଣି ନାହାଁନ୍ତି ବୋଲି ସଫେଇ ଦେଇଥିଲେ।ଯେଉଁ ଜାଗାରେ ତେଲ ପାଇପ୍ କଣା କରାଯାଇଛି ସେଠାରେ ୨୪ ଘଣ୍ଟିଆ ଘରୋଇ ସିକ୍ୟୁରିଟି ମୁତୟନ କରାଯାଇଛି।ମାଟିରେ ମିଶିଥିବା ତେଲ କଳା ଥିବା ବେଳେ ତାହା ଡିଜେଲ ଭଳି ଗନ୍ଧ ହେଉଥିଲା।ଯେଉଁଠି କଣା ହୋଇଛି ସେଠାରେ ପ୍ଲାଷ୍ଟିକ ବ୍ୟାରେଲ, ଛୋଟ ପାଇପ୍, ଆଦି ପଡିଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ ପାରାଦୀପ ବନ୍ଦର ସାଉଥ ଅଏଲ ବର୍ଥ ଠାରୁ ବାଉରିଆପାଳନନ୍ଦା ତୈଳ ଟର୍ମିନାଲ ପର୍ଯ୍ୟନ୍ତ ୧୩ କିମି ୪ ଥାକିଆ ପାଇପଲାଇନ ମାଟି ତଳେ ଯାଇଛି।ଜାହାଜରେ ଆସୁଥିବା ତେଲ ସେହି ପାଇପଲାଇନ ଯୋଗେ ଟର୍ମିନାଲ ପର୍ଯ୍ୟନ୍ତ ନେବା ଆଣିବା କରାଯାଏ।ଉକ୍ତ ପାଇପଲାଇନ କାଉଡିଆ ନଦୀ ପାଖ ହେନ୍ତାଳ ବଣ ଓ ରାସ୍ତା ମଝିରେ ରହିଛି।ତେଲ ଚୋର ମାନେ ଡଙ୍ଗାରେ ଆସି ବଣ ଭିତରେ ମାଟି ଖୋଳି ପାଇପ କଣା କରି ତେଲ ସଂଗ୍ରହ କରିଥାନ୍ତି।ଏହା ପ୍ରାୟତଃ ଚାଲୁଥିବା ଅଭିଯୋଗ ହୁଏ।ଏଥିରେ ଅଫିସର ପୋଲିସ ଓ ଚୋରା ବେପାରୀ ମଧ୍ୟରେ ସମନ୍ୱୟ ରହିଥାଏ ବୋଲି ଚର୍ଚ୍ଚା ହେଉଛି।ସେମିତି ତେଲ ପାଇପ କଣା କରିବା ସମୟରେ ତାହା ଫାଟି ଅଧିକ ମାତ୍ରାରେ ବାହାରି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ