ବିବାହରେ ବାଣ ଫୁଟାଇଲେ ବର ଯିବ ଜେଲ୍
ନୂଆଦିଲ୍ଲୀ : ନୂଆଦିଲ୍ଲୀ ସମେତ ଦେଶର କେତେକ ପ୍ରମୁଖ ସହରରେ ପ୍ରଦୂଷଣ ଏତେ ମାତ୍ରାରେ ବୃଦ୍ଧିପାଇଛି ଯେ ଲୋକମାନେ ଚଳପ୍ରଚଳ କରିବା କଷ୍ଟସାଧ୍ୟ ହୋଇପଡ଼ିଛି । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନେ ଗ୍ରହଣ କରାଯାଇଥିଲେ ହେଁ କିଛି ଲୋକ ଏହାକୁ ବେଖାତିର କରିଚାଲିଛନ୍ତି । ମାନ୍ୟବର ସୁପ୍ରିମ୍କୋର୍ଟ ପ୍ରଦୂଷଣ ରୋକିବା ଲାଗି ନାନା କଟକଣା ଜାରି କରିଛନ୍ତି । ପ୍ରଦୂଷଣର ବିଷ ବଳୟକୁ ପ୍ରତିହତ କରିବା ଲାଗି ଗତ ଦୀପାବଳି ସମୟରେ ଦିଲ୍ଲୀବାସୀଙ୍କୁ ବାଣ ନ ଫୁଟାଇବା ଲାଗି ପରାମର୍ଶ ଦିଆଯାଇଥିଲା । ଏହା ସତ୍ତ୍ୱେ କିଛି ଲୋକ ବାଣ ଫୁଟାଇଥିଲେ । ସମ୍ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି । ଯଦି କୌଣସି ବାହାଘରରେ ବାଣ ଫୁଟାଯାଏ, ତେବେ ବରକୁ ଜେଲ ଯିବାକୁ ପଡ଼ିବ ବୋଲି ଚେତାବନୀ ଦିଆଯାଇଛି । ପ୍ରକାଶ ଯେ, ଦିଲ୍ଲୀ ପ୍ରଶାସନ ପକ୍ଷରୁ ପ୍ରଦୂଷଣ ରୋକିବା ଲାଗି ଲୋକଙ୍କୁ ବାରମ୍ବାର ସଚେତନ କରାଯାଉଥିଲେ ହେଁ କିଛି ଲୋକ ଅମାନ୍ୟ କରୁଛନ୍ତି । ବିବାହ ସମୟରେ ଲୋକମାନେ ବିପୁଳ ମାତ୍ରାରେ ବାଣ ଫୁଟାଉଛନ୍ତି । ଏହାକୁ ପ୍ରତିହତ କରିବା ଲାଗି ପୁଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, କୌଣସି ବିବାହ ଉତ୍ସବରେ ବାଣ ଫଉଟୁଥିବାର ସୂଚନା ମିଳିଲେ, ତୁରନ୍ତ ସେଠାକୁ ଅଭିଯୁକ୍ତ ସମେତ ବରକୁ ଗିରଫ କର ।


