ବିବାହ ଦିନ ପନ୍ଧିଥିବା ପୋଷାକ ପିନ୍ଧି ସବୁ କାମ କରନ୍ତି ମହିଳା
ସାଧାରଣତଃ ଭାବେ ମହିଳାମାନେ ନିଜ ବିବାହର ପୋଷାକ ବିବାହ ଦିନ ହିଁ ପିନ୍ଧିଥାନ୍ତି । ଯାହା ପରେ ସେହି ପୋଷାକକୁ ରଖି ଦିଆଯାଇଥାଏ । କିନ୍ତୁ ଅଷ୍ଟ୍ରେଲିଆର ଏଡିଲେଡ୍ ସହରରେ ରହୁଥିବା ଜଣେ ମହିଳା ଏହାର ପୂରା ଓଲଟା କାମ କରନ୍ତି । ସେ ବିବାହର ପୋଷାକ ସବୁଦିନ ପିନ୍ଧି ନିଜର ଦୈନନ୍ଦିନ କାମ କରିଥାନ୍ତି । ଜିମ୍ ଯିବା ହେଉ, ମାଛ ଧରିବା ହେଉ, ଘରର କୌଣସି କାମ କରିବା ହେଉ ବା ଘରେ ବସି ଟିଭି ଦେଖିବା ହେଉ, ସବୁ କାମ ସେ ନିଜ ବିବାହର ପୋଷାକ ପିନ୍ଧି କରିଥାନ୍ତି । ମହିଳାଙ୍କ ନାଁ ଟାମି ହଲ୍ ବୋଲି ଜଣାପଡ଼ିଥିବା ବେଳେ ସେ ଜଣେ ପରିବେଶବିତ୍ ବୋଲି ଜଣାପଡ଼ିଛି । ଟାମିଙ୍କର ପ୍ରତିଦିନ ନିଜ ବିବାହର ପୋଷାକ ପିନ୍ଧି ସବୁ କାମ କରିବାର କାରଣ ଭାରତ ସହ ଜଡ଼ିତ । ଯାହା ବିଷୟରେ ସେ ନିଜେ ଜଣାଇଛନ୍ତି । ତାଙ୍କ କହିବା ଅନୁଯାୟୀ, ୨୦୧୬ରେ ମୁଁ ଭାରତ ବୁଲିବା ପାଇଁ ଯାଇଥିଲି । ସେଠାକୁ ଯିବା ପରେ ମୁଁ ନିଜର ପୋଷାକ ଓ ଜୋତା କିଣିବାରେ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଅନୁଭବ କରିଥିଲି । ଭାରତରୁ ଫେରିବା ପରେ ମୁଁ ଅଯଥା ଖର୍ଚ୍ଚ କରିବି ନାହିଁ ବୋଲି ସ୍ଥିର କରିଥିଲି । ୨୦୧୮ରେ ମୋର ବିବାହ ସ୍ଥିର ହୋଇଥିଲା, ଯାହା ପାଇଁ ମୁଁ ୮୬,୦୦୦ଟଙ୍କା ଦେଇ ପୋଷାକ କିଣିଥିଲି । ଗୋଟେ ଦିନ ପାଇଁ ଏତେ ଟଙ୍କା ଖର୍ଚ୍ଚ କରି ପୋଷାକ କିଣିବାକୁ ମୁଁ ଉଚିତ୍ ନ ମଣିବାରୁ ୮୬,୦୦୦ଟଙ୍କାର ପୂରା ଫାଇଦା ଉଠାଇବା ପାଇଁ ମୁଁ ଏହାକୁ ପିନ୍ଧି ସବୁ କାମ କରିବା ଆରମ୍ଭ କରିଛି ।


