ବିଭିନ୍ନ ଦାବି ନେଇ ମଧ୍ୟାହ୍ନ ଭୋଜନ କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ସିଆଇଟିୟୁ ସହ ଅନୁବନ୍ଧିତ ବାଲେଶ୍ୱର ଜିଲା ମଧ୍ୟାହ୍ନ ଭୋଜନ କର୍ମୀ ଓ ସହାୟିକା ସଂଘ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶିତ କରାଯାଇଛି । ମଧ୍ୟାହ୍ନ ଭୋଜନ କର୍ମୀ ଓ ସହାୟିକାମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା ସହ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିିଥିଲେ । ସେଠାରେ ଆୟୋଜିତ ବିକ୍ଷୋଭ ଓ ପ୍ରତିବାଦ କାର୍ଯ୍ୟକ୍ରମରେ ସଂଘର ରାଜ୍ୟ ସାଧାରଣ ସମ୍ପାଦିକା ଈଷାଣୀ ଷଡ଼ଙ୍ଗୀ, ଜିଲା ସଭାପତି ମୃତ୍ୟୁଞ୍ଜୟ ରାଉତ, ସିଆଇଟିୟୁର ଜିଲା ଆବାହକ ବିଜୟ ପାତ୍ର, ରାଜ କିଶୋର ଲେଙ୍କା, ମଧ୍ୟାହ୍ନ ଭୋଜନ କର୍ମୀ ଓ ସହାୟିକା ସଂଘ ଜିଲା ସମ୍ପାଦିକା ପୂର୍ଣ୍ଣିମା ବେହେରା ପ୍ରମୁଖ ଯୋଗଦେଇ ମଧ୍ୟାହ୍ନ ଭୋଜନ କର୍ମୀ ଓ ସହାୟିକାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତାକୁ ତୀବ୍ର ସମାଲୋଚନା କରିଥିଲେ । ବିଶେଷ କରି ମହିଳା ସ୍କମ୍‍ ୱାର୍କର୍ସଙ୍କ ବିପନ୍ନ ସାମାଜିକ ସୁରକ୍ଷା ପ୍ରତି ସରକାର ଗୁରୁତ୍ୱ ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବକ୍ତାମାନେ କହିଥିଲେ । ମହିଳା କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ସର୍ବନିମ୍ନ ମାସିକ ୨୬,୦୦୦ ଟଙ୍କା ଦରମା, ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ଅବସର ପରେ ସମସ୍ତଙ୍କୁ ପେନସନ ପ୍ରଦାନ, ଛଟେଇ କର୍ମୀ ଓ ସହାୟିକାଙ୍କୁ ପୁନଃ ନିଯୁକ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ୨୮ ମାସର ବକେୟା ଭତ୍ତା ତୁରନ୍ତ ପ୍ରଦାନ, ପ୍ରତିମାସ ଧାର୍ଯ୍ୟ ସମୟରେ ଦରମା ପ୍ରଦାନ, ପିଏଫ୍‌, ଇଏସଆଇ ଓ ଭବିଷ୍ୟନିଧି ପାଣ୍ଠିଭୁକ୍ତ ପାଇଁ ସେମାନେ ଦାବି କରିଥିଲେ । ଦାବି ପୂରଣରେ ସରକାରଙ୍କ କାଳକ୍ଷେପଣ ନୀତି ବିରୋଧରେ ଆସନ୍ତା ଜୁନ ୭ ତାରିଖରେ ଭୁବନେଶ୍ୱରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ବିକ୍ଷୋଭରେ ସାମିଲ ହେବା ପାଇଁ ବକ୍ତାମାନେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ସଂଘର ଏକ ପ୍ରତିନିଧି ଦଳ ଜିଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ ସହ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମଞ୍ଜୁଲତା ପ୍ରଧାନ, ଦ୍ରୌପଦୀ ସାହୁ, କନକଲତା ଦାସ, ସରୋଜିନୀ ପ୍ରଧାନ, ବସନ୍ତ ପ୍ରଧାନ, ସୁଶୀଳା ପାଣିଗ୍ରାହୀ, ଉମାକାନ୍ତ ବେହେରା, ଉଷାରାଣୀ ବେହେରା, ଆଦିକନ୍ଦ ପାଳ, ବିନୋଦିନୀ ପଣ୍ଡା, କବିତା ମଲ୍ଲିକ, ରାମଶଙ୍କର ଜେନା, ସବିତା ସାହୁ, ନିରଞ୍ଜନ ସାହୁ, ଗୀତା ଦାସ, ଜଞ୍ଜାଳୀ ସାମଲ, ସୁଶାନ୍ତ ସାହୁ, ଶ୍ୟାମସୁନ୍ଦର ଜେନା, ପୁତୁଲୁ ଦାସ ପ୍ରମୁଖ କର୍ମକର୍ତ୍ତାମାନେ ଏହି ବିକ୍ଷୋଭ କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ