ବିଭିନ୍ନ ଦାବି ନେଇ ରିଟେଲର ସଂଘର ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ବ୍ଲକ ନେରଡା ପଞ୍ଚାୟତ ସୁନାମୁହିଁ ମନ୍ଦିର ପ୍ରାଙ୍ଗଣରେ ରିଟେଲର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ରିଟେଲର ସଂଘର ସଭାପତି ନଗେନ୍ଦ୍ର ନାଥ ଜେନାଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରାୟ ୪୦ଜଣ ରିଟେଲର ଯୋଗଦେଇଥିଲେ । ବ୍ଲକ ରିଟେଲର ସଂଘର ସଭାପତି କିଶୋର ଚନ୍ଦ୍ର ସେନାପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରିଟେଲର ମାନେ ଯୋଗଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ବିଭିନ୍ନ ଦାବି ଉପସ୍ଥାପନା କରିଥିଲେ । ୨୦୨୦ମସିହାରେ ପ୍ରଧାନମନ୍ତ୍ରୀ ଗରୀବ ଅନ୍ନ ଯୋଜନାରେ ୮ମାସ ଖାଦ୍ୟ ଶସ୍ୟ ବଣ୍ଟନ କରି ରିଟେଲର ମାନେ ଅଦ୍ୟାବଧି ବକେୟା ଅର୍ଥ ପାଇନଥିବାବେଳେ ୨୦୨୧ମସିହାରେ ୪ମାସ ବଣ୍ଟନ ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବେ ତୁଲାଇଥିଲେ ସୁଦ୍ଧା ପ୍ରାପ୍ୟ ପାଇପାରିନାହାଁନ୍ତି । ସେହିଭଳି ୨୦୧୭ ମସିହାରେ ଇପିଏସ ମେସିନ ବ୍ୟବସ୍ଥା ଆରମ୍ଭ ହୋଇଥିବାବେଳେ ଏହାର ବ୍ୟବହାରିକ ଖର୍ଚ୍ଚ ମଧ୍ୟ ସରକାର ରିଟେଲର ମାନଙ୍କୁ ପ୍ରଦାନ କରୁନାହାଁନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା କରୋନା ମହାମାରୀ ସମୟରେ ରିଟେଲର ମାନେ ନିଜ ଜୀବନକୁ ପାଣି ଛଡାଇ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜନସାଧାରଣଙ୍କ ନିକଟରେ ଖାଦ୍ୟ ଶସ୍ୟ ପହଞ୍ଚାଇଥିବାବେଳେ ସେମାନଙ୍କୁ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ଆଜି ସଂଘର କର୍ମକର୍ତ୍ତ ମାନେ ଆପତ୍ତି କରିଛନ୍ତି । ଏପରିକି ମହାମାରୀ ଯୋଗୁ କିଛି ରିଟେଲର କାର୍ଯ୍ୟରେ ଥାଇ ପରଲୋକ ଗମନ କରିଥିବାବେଳେ ସେମାନଙ୍କୁ କାହିଁକି କରୋନା ଯୋଦ୍ଧା ଭାବେ ଘୋଷଣା କରାଯାଉନାହିଁ ତାହାକୁ ନେଇ ରିଟେଲର ସଂଘ କ୍ଷୋଭ ପ୍ରକାଶ କରିଛି । ସର୍ବପରି ସେମାନଙ୍କୁ ପ୍ରଧାନମନ୍ତ୍ରୀ ଗରୀବ ଅନ୍ନ ଯୋଜନାର ବକେୟା ପ୍ରାପ୍ୟ ପ୍ରଦାନ ସହିତ ଇପିଏସ ମେସିନ ବ୍ୟବହାରିକ ଖର୍ଚ୍ଚ ଯଥାଶୀଘ୍ର ଦେବା ପାଇଁ ସରକାରଙ୍କ ନିକଟରେ ସଂଘ ଦୃଢ ଦାବି କରିଛି । ଏହାଛଡା କରୋନା ସମୟରେ ସେମାନେ ନିରବଚ୍ଛିନ ସେବା ଯୋଗାଉଥିବାରୁ ତାଙ୍କୁ ଯଥାଶୀଘ୍ର କରୋନା ଯୋଦ୍ଧା ଘୋଷଣା କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଆୟୋଜିତ ବୈଠକରେ ରିଟେଲର ସଂଘର ସଦସ୍ୟ ଦୁର୍ଯ୍ୟୋଧନ ରାଉତ, ପ୍ରଶାନ୍ତ ଭଞ୍ଜ, ତୁଷାର ମିଶ୍ର, କାର୍ତ୍ତିକ ମହାପାତ୍ର, ସତ୍ୟବ୍ରତ ଦାସ, ତପନ ମହାନ୍ତି, ଦିବାକର ସେନାପତି, ମହେନ୍ଦ୍ର ପଲେଇ, ଦୁଃସାଶନ ପାତ୍ର, ବ୍ରଜ କିଶୋର ପାଢୀ, ଦିବାକର ରାଉତ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରିଟେଲର ରତ୍ନାକର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ