ବିଭିନ୍ନ ଦାବି ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ପକ୍ଷରୁ ସ୍ମାରକପତ୍ର

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ଦାବି ନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ୫୦ରୁ ଊର୍ଦ୍ଧ୍ୱ କର୍ମଚାରୀ ଜିଲାପାଳଙ୍କୁ ସାକ୍ଷାତ ସହ ଦୈନନ୍ଦିନ କାର୍ଯ୍ୟ କ୍ଷେତ୍ରରେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି । ୨୦୧୩ ମସିହା ଠାରୁ ୧୦୮ ଆମ୍ବୁଲାନ୍ସର ଡ୍ରାଇଭର, ଏମରଜେନ୍ସି ମେଡିକାଲ ଟେକ୍ନି୍‌ନିସିଆନ ଓ ଆଟେଣ୍ଡେଣ୍ଟଟ ଭାବେ କାର୍ଯ୍ୟ କରିବା ସହିତ ନିୟମିତ ଜନସାଧାରଣଙ୍କୁ ସେବା ଦେଇ ଆସୁଛନ୍ତି । ବନ୍ୟା, ବାତ୍ୟା, କରୋନା ମହାମାରୀ ଭଳି ବିପର୍ଯ୍ୟୟ ସ୍ଥିତି ହେଉ ବା ଦୁର୍ଘଟଣା, ସବୁଥିରେ ନିଷ୍ଠାପୂର୍ଣ୍ଣ ଭାବେ ସେମାନେ କାର୍ଯ୍ୟ କରିଥା’ନ୍ତି । ଏମିତିକି ନିକଟ ଅତୀତରେ ବାହାନଗାଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ମୃତାହତଙ୍କୁ ନିରନ୍ତର ଉଦ୍ଧାର ସାଙ୍ଗକୁ ଡାକ୍ତରଖାନା ସ୍ଥାନାନ୍ତରରେ ସେମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି । ଆଉଟସୋର୍ସିଂ ମାଧ୍ୟମରେ ସ୍ୱଳ୍ପ ଦରମାରେ ସେମାନେ ନିଯୁକ୍ତି ପାଇଥିବା ବେଳେ ସାମ୍ପ୍ରତିକ ଆକାଶଛୁଆଁ ଦରବୃଦ୍ଧି କାଳରେ ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ସ୍ଥିତି ଉପୁଜାଇଛି ବୋଲି କର୍ମଚାରୀମାନେ ପ୍ରକାଶ କରିଛନ୍ତି । ସେମାନଙ୍କୁ ନିୟମିତ ନିଯୁକ୍ତି ସହ ୮ଘଣ୍ଟା ପରିଶ୍ରମ ପାଇଁ ଟେକ୍ନିସିଆନଙ୍କୁ ମାସିକ ୩୦ହଜାର ଟଙ୍କା, ଡ୍ରାଇଭରଙ୍କୁ ୨୫ହଜାର ଟଙ୍କା ଓ ଆଟେଣ୍ଡାଣ୍ଟଙ୍କୁ ୨୦ହଜାର ଟଙ୍କା ଦରମା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଏଥି ସହିତ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ, ୧୦୮ ଆମ୍ବୁଲାନ୍ସ ଧୋଇବା ପାଇଁ ସୁବିଧା ଓ କର୍ମଚାରୀଙ୍କ ପାଇଁ ଶୌଚାଳୟ ଓ ବିଶ୍ରାମଗୃହ ବ୍ୟବସ୍ଥା, କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁରେ ୨୦ଲକ୍ଷ ଟଙ୍କା ଓ ଦୁର୍ଘଟଣାରେ ଅକର୍ମଣ୍ୟ ହେଲେ ତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଥିଲେ । ଦାବିପତ୍ର ପ୍ରଦାନ ବେଳେ ଗୋପାଳକୃଷ୍ଣ ସିଂହ, ପ୍ରଦୀପ କୁମାର ନାୟକ, ସରୋଜ କୁମାର ପଣ୍ଡା, ପୀତାମ୍ବର ଦାସ, ଲକ୍ଷ୍ମୀକାନ୍ତ ବେହେରା, ସତ୍ୟଶ୍ରୁତ ରାଉଳ, ଦେବେନ୍ଦ୍ର ନାୟକ, ଭବାନୀଶଙ୍କର ବାରିକ, ଭାଗୀରଥ କୁଅଁର, ମହେଶ୍ୱର ମହାରାଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ