ବିଭିନ୍ନ ସ୍ଥାନରେ ବାରୁଣି ମେଳା ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱର ଜିଲାର ବିଭିନ୍ନ ସ୍ଥାନରେ ପବିତ୍ର ବାରୁଣି ମେଳା ଅନୁଷ୍ଠିତ ହୋଇଯାଇଛି । ବିଶେଷ କରି ସମୁଦ୍ର କୂଳ ଓ ପ୍ରସିଦ୍ଧ ନଦୀ ଘାଟରେ ଶ୍ରଦ୍ଧାଳୁମାନେ ବାରୁଣି ସ୍ନାନ କରି ସୂର୍ଯ୍ୟପୂଜା ଓ ଗଙ୍ଗାମାତାଙ୍କୁ ପୂଜାର୍ଚ୍ଚନା କରିଥିଲେ । ଏହି ପରିପ୍ରେକ୍ଷୀରେ ସହର ଉପକଣ୍ଠ ୫ ନଂ ଜାତୀୟ ରାଜପଥ ପାଶ୍ୱର୍ ସୋନ, ବୁଢାବଳଙ୍ଗ ଓ ଗଙ୍ଗାହାର ନଦୀର ସଙ୍ଗମ ସ୍ଥଳ ତ୍ରିବେଣୀ ଘାଟ, ବଙ୍ଗୋପସାଗର ଉପକୂଳ ଗୁଡ଼ୁ ପଞ୍ଚାୟତର ରେଞ୍ଜରୋଡ଼ ପାଶ୍ୱର୍ ୮ହଜାରର ପାଣ୍ଡବ ଘାଟ, ତୁଣ୍ଡୁରା ପଞ୍ଚାୟତର ଖଡ଼ୁପାହି, ଖେରଙ୍ଗ ପ୍ରଭୃତି ଅଞ୍ଚଳରେ ବାରୁଣି ମେଳା ଅନୁଷ୍ଠିତ ହୋଇଥିଲା । ଭୋର ସମୟରୁ ଜିଲାର ବିଭିନ୍ନ ଅଞ୍ଚଳରୁ ଆବାଳ ବୃଦ୍ଧ ବନିତା ସମୁଦ୍ରରେ ବୁଡ଼ ପକାଇବା ସହିତ ଦେବଦର୍ଶନ କରିଥିଲେ । କେତେକ ସ୍ଥାନରେ ଗଙ୍ଗାମାତାଙ୍କ ବିଗ୍ରହ ପୂଜା କରାଯାଇଥିଲା । ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା ସହ ଆଶୀର୍ବାଦ ଭିକ୍ଷା କରିଥିଲେ । ସମୁଦ୍ର କୂଳରେ ଆୟୋଜିତ ମେଳାରେ ବେଶ ଭିଡ଼ା ପରିଲକ୍ଷିତ ହୋଇଥିଲା । ପବିତ୍ର ବାରୁଣିରେ ବୁଡ଼ ପକାଇ ବହୁ ଶ୍ରଦ୍ଧାଳୁ ପୁତୃପୁରୁଷଙ୍କୁ ଶ୍ରାଦ୍ଧ ଦେଇଥିଲେ । କାହିଁ କେଉଁ ଅମଳରୁ ଏହି ବାରୁଣି ମେଳା ଅନୁଷ୍ଠିତ ହୋଇ ଆସୁଛି, ତା’ର ହିସାବ କାହାଠାରେ ନାହିଁ । ଦୀର୍ଘ ଦୁଇବର୍ଷ ଧରି ମହାମାରୀ କରୋନା ଯୋଗୁଁ ବାରୁଣି ସ୍ନାନ ଉପରେ କଟକଣା ଥିଲା । କରୋନା ପ୍ରକୋପ ହ୍ରାସ ସାଙ୍ଗକୁ କଟକଣା ଉଠିବା ଫଳରେ ଚଳିତ ବର୍ଷ ବାରୁଣଇ ମେଳା ହେଉଥିବା ପ୍ରତ୍ୟେକ ସ୍ଥାନରେ ଆଜି ପ୍ରବଳ ଭିଡ଼ ଲକ୍ଷ୍ୟ କରାଯାଇଥିଲା ।


