ବିମୁଦ୍ରୀକରଣ କଳାଧନରେ ଅଙ୍କୁଶ ଲଗାଇବନି ବୋଲି କହିଥିଲା ଆର୍ବିଆଇ
ନୂଆଦିଲ୍ଲୀ, (ଏଜେନ୍ସି): ୨୦୧୬ ନଭେମ୍ବର ୮ରେ କେନ୍ଦ୍ର ସରକାର ୫୦୦ ଓ ୧୦୦୦ଟଙ୍କିଆ ନୋଟ୍ ପ୍ରଚଳନ ବନ୍ଦ କରି ବିମୁଦ୍ରୀକରଣ ଘୋଷଣା କରିଥିଲେ । କଳାଧନରେ ଅଙ୍କୁଶ ଲଗାଇବା ଏହି ନିଷ୍ପତ୍ତି ପଛର ଲକ୍ଷ୍ୟ ଥିଲା । ଆର୍ବିଆଇର କିଛି ନିର୍ଦ୍ଦେଶକ ସରକାରଙ୍କ ଏହି ବିଚାରରେ ସହମତି ପ୍ରକାଶ କରିନଥିଲେ । ବିମୁଦ୍ରୀକରଣ ଲାଗୁ ହେବା ପୂର୍ବରୁ ପାଖାପାଖି ୬ମାସ ଧରି ଲଗାତାର ସରକାର ଓ ଆର୍ବିଆଇ ମଧ୍ୟରେ ଅନେକ ତର୍କ ବିତର୍କ ହୋଇଥିଲା । ଆର୍ବିଆଇ ନିର୍ଦ୍ଦେଶକ ସରକାରଙ୍କୁ ସେତେବେଳେ ହିଁ ଚେତାଇ ଦେଇଥିଲେ ଯେ ଏହ ଦ୍ୱାରା କଳାଧନ ଉପରେ ଅଙ୍କୁଶ ଲାଗିପାରିବନି । ପ୍ରକାଶ ଯେ ୫୦୦ ଓ ୧୦୦୦ ଟଙ୍କାର ପୁରୁଣା ନୋଟ୍ ପ୍ରଚଳନରୁ ବନ୍ଦ ହେବା ଦ୍ୱାରା କଳାଧନ ଉପରେ ଅଙ୍କୁଶ ଲାଗିବା ସହ ୫୦୦ ଓ ୧୦୦୦ ଟଙ୍କାର ସଂଖ୍ୟା ବୃଦ୍ଧି ଉପରେ ପ୍ରଭାବ ପଡ଼ିବ ବୋଲି ଯୁକ୍ତି ଉପସ୍ଥାପନ କରାଯାଇଥିଲା । ଏଥିସହ ଇ-ପେମେଣ୍ଟକୁ ପ୍ରୋତ୍ସାହନ ମିଳିବ । ହେଲେ ସୂଚନା ଓ ଆକଳନ ଅନୁସାରେ କଳାଧନରେ ଲଗାମ ଲଗାଇବାରେ ସରକାରଙ୍କ ଏହି ନିଷ୍ପତ୍ତି ବିଫଳ ରହିଛି । ଆର୍ବିଆଇ ନିର୍ଦ୍ଦେଶକ ଓ ସରକାରଙ୍କ ମଧ୍ୟରେ ବିମୁଦ୍ରୀକରଣ ଘୋଷଣା ହେବା ପୂର୍ବରୁ ହୋଇଥିବା ବୈଠକରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଅନେକ ତର୍କ ହୋଇଥିଲା । ଏହି ବୈଠକରେ ଆର୍ବିଆଇ ନିର୍ଦ୍ଦେଶକ ସରକାରଙ୍କୁ କହିଥିଲେ ଯେ ଅଧିକତର କଳାଧନ ନଗଦ ନହୋଇ ରିୟଲ୍ ଇଷ୍ଟେଟ ଓ ସୁନାରେ ନିବେଶ ଭାବେ ବ୍ୟବହାର କରାଯାଇଥାଏ । ବିମୁଦ୍ରୀକରଣ ଘୋଷଣା କରିବା ଦ୍ୱାରା ଏହା ଉପରେ କୌଣସି ପ୍ରଭାବ ପଡ଼ିବନି । ଏଥିସହିତ ୪୦୦କୋଟି ଟଙ୍କାର ବଡ଼ ନୋଟ୍ ପ୍ରଚଳନ ବଡ଼ କଥା ନୁହେଁ ବୋଲି ଆର୍ବିଆଇ ନିର୍ଦ୍ଦେଶକ ପ୍ରକାଶ କରିଥିଲେ । ସେମାନଙ୍କ ଅନୁସାରେ ଅର୍ଥବ୍ୟବସ୍ଥା ବଢ଼ିବା କାରଣରୁ ଏତିକି ମୂଲ୍ୟର ବଡ଼ ନୋଟ୍ର ପ୍ରଚଳନ ଅନୁଚିତ୍ ନୁହେଁ । ବିମୁଦ୍ରୀକରଣ ଲାଗୁ ହେଲେ ଦେଶର ବିକାସ ଉପରେ ପ୍ରଭାବ ପଡ଼ିବ ବୋଲି ଆର୍ବିଆଇ ନିର୍ଦ୍ଦେଶକ ସରକାରଙ୍କୁ ଚେତାବନୀ ଦେଇଥିଲେ । ହେଲେ ପରବର୍ତ୍ତନୀ ସମୟରେ ସେମାନେ ବିମୁଦ୍ରୀକରଣକୁ ଏକ ଐତିହାସିକ ନିଷ୍ପତ୍ତି ବୋଲି ଦର୍ଶାଇଥିଲେ । ଏହି ସବୁ ତର୍କ ବିତର୍କ ପରେ ଆର୍ବିଆଇ ବିକୁଦ୍ରୀକରଣ ଲାଗୁ କରିବାକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ମଞ୍ଜୁରୀ ଅର୍ଥମନ୍ତ୍ରଣାଳୟରୁ ଜାରି ଏକ ବିଜ୍ଞପ୍ତି ପରେ ପ୍ରଦାନ କରାଯାଇଥିଲା । ଏହି ନୋଟ୍ରେ ସରକାରଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଥିଲା ଯେ, ‘୨୦୧୧-୧୨ରୁ ଆରମ୍ଭ କରି ୨୦୧୫-୨୬ ମଧ୍ୟରେ ଅର୍ଥବ୍ୟବସ୍ଥା ୩୦% ହାରରେ ଅଭିବୃଦ୍ଧି ହାସଲ କରିଛି । ଇତି ମଧ୍ୟରେ ୫୦୦ ଟଙ୍କିଆ ନୋଟ୍ରେ ୭୬% ଓ ୧୦୦୦ଟଙ୍କିଆ ନୋଟ୍ର ପ୍ରଚଳନ ୧୦୯% ବଢ଼ିଛି । ୫୦୦ ଓ ୧୦୦୦ଟଙ୍କିଆ ନେଟ୍ର ବ୍ୟବହାର ବନ୍ଦ କରିବା ପାଇଁ ବିମୁଦ୍ରୀକରଣ ଏକ ଜରୁରୀ ପଦକ୍ଷେପ ।’ ଆର୍ବିଆଇର ଏହି ବୈଠକରେ ସେତେବେଳେ ଗଭର୍ଣ୍ଣର ଭାବେ ଉର୍ଜିତ୍ ପଟେଲ୍, ଡେପୁଟି ଗଭର୍ଣ୍ଣର ଆର୍ ଗାନ୍ଧି ଓ ଏସ୍ଏସ୍ ମୁଦଣ୍ଡାଙ୍କ ବ୍ୟତୀତ ଅଞ୍ଜୁଳି ଛିବ ଦୁଗ୍ଗଲ, ଶକ୍ତିକାନ୍ତ ଦାସ, ନଜିକେତ ମୋର, ଭାରତ ଏନ୍ ଦୋଶୀ, ସୁଧୀର ମକଣ୍ଡ ଓ ଆର୍ବିଆଇର ମୁଖ୍ୟ ନିର୍ଦ୍ଦେଶକ ଏସ୍କେ ମହେଶ୍ୱରୀ ଉପସ୍ଥିତ ଥିଲେ ।