ବିରେନ ସିଂହଙ୍କ ଗାଦିଚ୍ୟୁତ

ମଣିପୁରରେ ଜାତିଗତ ଦଙ୍ଗାର ୨୧ମାସ ପରେ ଶେଷରେ ମୁଖ୍ୟମନ୍ତ୍ରୀ ଏନ.ବିରେନ ସିଂହ ଇସ୍ତଫା ଦେଇଛନ୍ତି । କହିବା ବାହୁଲ୍ୟ ଯେ, ‘ବିଳମ୍ବିତ ନ୍ୟାୟା’ ବିଡମ୍ବିତ ନ୍ୟାୟା’ ପରି ବିଳମ୍ବିତ ଇସ୍ତଫା ଅର୍ଥହୀନ । ରାଜ୍ୟର ଦୁଇ ପ୍ରଭାବଶାଳୀ ସମ୍ପ୍ରଦାୟ ମୈତ୍ରେଇ ଓ କୁକି ମଧ୍ୟରେ ଗଲା ୨୦୨୩ ମେ’ ମାସରୁ ସଂଘଠିତ ଜାତିଗତ ଦଙ୍ଗାରେ ୨୫୦ରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୬୦ହଜାରରୁ ଅଧିକ ବାସହରା ହୋଇପଡିଛନ୍ତି । ହଜାର ହଜାର ଲୋକ ଜୀବନ ରକ୍ଷା ପାଇଁ ଘର ଦ୍ୱାର ଛାଡି ପଡୋଶୀ ରାଜ୍ୟରେ ଶରଣାର୍ଥୀ ଭାବେ ଆଶ୍ରୟ ନେଇଛନ୍ତି । ଦଙ୍ଗା ବେଳେ ଦୁଇଜଣ ମହିଳାଙ୍କୁ ସମ୍ପୂର୍ଣ୍ଣ ଉଲଗ୍ନ କରି ରାସ୍ତାରେ ଚଲାଇ ଚଲାଇ ନେବା ଘଟଣା କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଆଲୋଡନ ସୃଷ୍ଟି କରିଥିଲା । ପ୍ରତିଦିନ ବଳାତ୍କାର, ହତ୍ୟା, ପୋଡାଜଳା, ଲୁଟ୍ ଆଦି ଘଟଣା ଘଟିଚାଲିଥିବାବେଳେ ଲୋକଙ୍କୁ ସୁରକ୍ଷା ଦେବାରେ ବିଜେପି ନେତୃତ୍ୱାଧୀନ ବିରେନ ସିଂହ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିଲା । ଏହା ସତ୍ୱେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ରାଜଧର୍ମ କିମ୍ବା ଇସ୍ତଫା ଦେବାପାଇଁ ନିର୍ଦ୍ଦେଶ ନଦେଇ ନୀରବ ଦ୍ରଷ୍ଟା ଥିଲେ, ଯାହାକି ଅଭୟ ପ୍ରଦାନ ସଦୃଶ ଥିଲା । ନିକଟରେ ବିରେନ ସିଂହ ରାଜ୍ୟବାସୀଙ୍କୁ କ୍ଷମା ମାଗିବା ସତ୍ୱେ ଏହାର କୌଣସି ପ୍ରଭାବ ହିଂସାମୁଖୀ ଜନତାଙ୍କ ଉପରେ ପଡିନଥିଲା । କ଼ିନ୍ତୁ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା-ପ୍ରସ୍ତାବ ଆଗତ କରିବାପାଇଁ କଂଗ୍ରେସ ଧମକ ଦେବା ପରେ ବିରେନ ସିଂହ ନିଜ ପଦବୀରୁ ଇସ୍ତଫା ଦେବା ଲାଗି ବିଜେିପର କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହୋଇଥିବା କୁହାଯାଏ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବିଜେପି ବିଧାୟକ ଦଳରେ ଅସନ୍ତୋଷ । ୬୦ଜଣିଆ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିରେନଙ୍କ ସରକାରଙ୍କ ପ୍ରତି ୩୨ଜଣ ସଦସ୍ୟଙ୍କ ସମର୍ଥନ ଥିବାବେଳେ ୧୯ଜଣ ବିଧାୟକ କଂଗ୍ରେସର ଅନାସ୍ଥା-ପ୍ରସ୍ତାବକୁ ସମର୍ଥନ କରିବାକୁ ପ୍ରସ୍ତୁତି ଚଳାଇଥିବା ଜଣାପଡିବା ପରେ କେନ୍ଦ୍ରୀୟ ନେତୃତ୍ୱର ମୋହଭଙ୍ଗ ହୋଇଥିବା କୁହାଯାଏ । ପ୍ରଥମତଃ କୌଣସି ରାଜନୈତିକ ହିଂସାକାଣ୍ଡ, ଜାତିଆଣ ଦଙ୍ଗା ଘଟଣାରେ ବହୁ ବିଳମ୍ବରେ ଇସ୍ତଫା ବୋଧହୁଏ ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଇପାରେ । ଦୀର୍ଘ ମାସ ମାସ ଧରି ଲାଗି ରହିଥିବା ହିଂସା ନିୟନ୍ତ୍ରଣ କରିବାରେ ବିରେନ ସିଂହ ସରକାରଙ୍କ ବିଫଳତା କେବଳ ହିଂସାକାଣ୍ଡକୁ ବ୍ୟାପକ କରିନଥିବା ଲୋକଙ୍କ ଯନ୍ତ୍ରଣା, କ୍ରୋଧକୁ ବଢାଇ ଥିଲା । ଯାହାର ପରିଣତି ସ୍ୱରୁପ ହତ୍ୟାକାଣ୍ଡ, ପୋଡାଜଳା ଘଟଣାମାନ ବଢି ଚାଲିଥିଲା । ସେହିପରି ବିଳମ୍ବରେ ଇସ୍ତଫା ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି । ଦୁଇ ସମ୍ପଦ୍ରାୟ କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଏବେ ବିଭାଜନ ସୃଷ୍ଟି ହୋଇଛି । ମଣିପୁରର ବିଭାଜନ କରି ପାର୍ବତ୍ୟ ଅଂଚଳକୁ ନେଇ ବୃହତର ସ୍ୱୟଂଶାସନ ଦାବି କରିଥିବାବେଳେ ବିଭଜନକୁ ମୈତ୍ରେଇ ବିରୋଧ କରିଛି । କହିବା ବାହୁଲ୍ୟ ଯେ, ଯଦି ବିରେନ ସିଂହ ଭାବୁଥାନ୍ତି, ସେ ନିଜ କ୍ଷମତା ସୁରକ୍ଷିତ କରିବା କ୍ଷମା ଭିକ୍ଷା କରିଛନ୍ତି, ତେବେ ସେ ଭୁଲ ପ୍ରମାଣିତ ହେବେ । ଜାତିଗତ ହିଂସାକୁ ଉତ୍ସାହିତ କରିବା ଲାଗି ଟେଲିଫୋନ ବାର୍ତାଳାପ ଥିବା ଏକ ଅଡିଓ ଟେପ୍ ଲିକ୍ ଘଟଣାର ଫରେନସିକ ଯାଂଚ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏବେ ସମସ୍ତଙ୍କ ଆଖି କେନ୍ଦ୍ରୀୟ ଫରେନସିକ୍ ବିଜ୍ଞାନ ଲାବୋରେଟୋରୀ ରିପୋର୍ଟ ଉପରେ ରହିଛି । ଯେଉଁ ରିପୋର୍ଟ ମାସକ ମଧ୍ୟରେ ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ରିପୋର୍ଟ ଯଦି ସତ୍ୟ ପ୍ରମାଣିତ ହୁଏ, ତେବେ ବିରେନ ସିଂହ ଦଙ୍ଗାରେ ଯେ ସମ୍ପୃକ୍ତ ଏହା ପ୍ରମାଣିତ ହେବ, ଏଥିରେ ସନ୍ଦେହ ନାହିଁ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି, ଏବେ ମଣିପୁରରେ ନୂତନ ମୁଖ୍ୟମନ୍ତ୍ରୀ ନିଯୁକ୍ତ ହେବେ ନା ରାଷ୍ଟ୍ରପତି ଶାସନ ଜାରି ହେବ, ତାହା ସ୍ପଷ୍ଟ ହୋଇନାହିଁ । ଏ ନେଇ କେନ୍ଦ୍ରୀୟ ବିଜେପି କେନ୍ଦ୍ର ସରକାର ନିଷ୍ପତି ନେବେ । ତେବେ ବିରେନ ସିଂହଙ୍କ ଇସ୍ତଫା ମଣିପୁରର ଭବିଷ୍ୟତ ନିର୍ଣ୍ଣୟ ପାଇଁ ପଥ ପରିଷ୍କାର କରିଦେଇଛି । ଆହୁରି ମଧ୍ୟ ଇସ୍ତଫା ଦ୍ୱାରା ସଂକଟର ସମାଧାନ ହୋଇଯିବ ବୋଲି ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଯଦି ଭାବୁଥାନ୍ତି, ତେବେ ତାହା ଯଥେଷ୍ଟ ନୁହେଁ । ହିଂସା ଉପଦ୍ରୃତ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଆହୁରି କିଛି କରିବାକୁ ହେବ । ଯାହା ଉଭୟ ସମ୍ପ୍ରଦାୟ ମଧ୍ୟରେ ପରସ୍ପତି ଆସ୍ଥା, ବିଶ୍ୱାସ ସଦିଚ୍ଛା ଓ ସଦ୍‌ଭାବ ପ୍ରତିଷ୍ଠା ସହ ଶାନ୍ତି ଫେରାଇ ଆଣିବ । ସେହିପରି ବିରେନ ସିଂହ ଯଦି ପକ୍ଷପାତିତା ମୂଳକ ପଦକ୍ଷେପ ଗ୍ରହଣ କରିଥାନ୍ତି, ତେବେ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବା ଜରୁରୀ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ