ବିଲେଇ ବି ସ୍ୱପ୍ନ ଦେଖେ
ଅନ୍ୟ ପାଳିତ ଜୀବଙ୍କ ଅପେକ୍ଷା ବିଲେଇ ମଣିଷର ବେଶି ନିକଟତର ବୋଲି ନିକଟରେ କରାଯାଇଥିବା ଏକ ଗବେଷଣାରୁ ଜଣାପଡିଛି । ଟୋକିଓ ୟୁନିଭର୍ସିଟିର ଏକ ଗବେଷଣା ବିଲେଇଙ୍କ ଉପରେ କିଛି ରୋଚକ ତଥ୍ୟ ପ୍ରଦାନ କରିଛି । ଏହି ଗବେଷଣାରେ ଉଲ୍ଲେଖ କରାଯାଇଛି ଯେ ବିଲେଇ ଭିନ୍ନ ଭିନ୍ନ ପରିସ୍ଥିତିରେ ଭିନ୍ନ ଭିନ୍ନ ସ୍ୱର ବାହାର କରିଥାଏ । ଖାଦ୍ୟପେୟ କ୍ଷେତ୍ରରେ ସେ ଅନ୍ୟଜୀବଙ୍କଠାରୁ ଭିନ୍ନ । କାରଣ ବିଲେଇକୁ ପସନ୍ଦ ନ ଆସିବା ଖାଦ୍ୟ ସେ କେବେ ଖାଇ ନ ଥାଏ । ବିଲେଇର ଦୁଧ ଦାନ୍ତ ଖୁବ୍ କୋମଳ । ଏହା ବେଶିଦିନ ରହି ନ ଥାଏ । ଛଅ ମାସ ପରେ ଏହା ପଡିଯାଇ ନୂଆ ଦାନ୍ତ ଉଠିଥାଏ । ଏହା ଅନ୍ୟ ଜନ୍ତୁଙ୍କଠାରୁ ଅଧିକ ସଫାସୁତୁରା । ଦିନକୁ ବିଲେଇ ପ୍ରାୟ ୧୬ ଘଣ୍ଟା ଶୋଉଥିବାବେଳେ ବାକି ସମୟ ନିଜକୁ ସଫା କରିବାରେ ବ୍ୟସ୍ତ ରହିଥାଏ । ଶୋଇବା ସମୟରେ ବିଲେଇ ମଣିଷଙ୍କ ଭଳି ସ୍ୱପ୍ନ ମଧ୍ୟ ଦେଖିଥାଏ । ଉକ୍ତ ଗବେଷଣାରେ କୁହାଯାଇଛି ଯେ ପାଖାପାଖି ୧୨ ହଜାର ବର୍ଷ ପୂର୍ବେ ବିଲେଇକୁ ମଣିଷ ଗୃହପାଳିତ ଭାବେ ଗ୍ରହଣ କରିଥିଲା । ଏବେ ବିଶ୍ୱରେ ପ୍ରାୟ ୬୦ କୋଟି ବିଲେଇଙ୍କୁ ଗୃହପାଳିତ ଭାବେ ରଖାଯାଇଛି । ଜନ୍ମ ସମୟରେ ବିଲେଇର ଆଖି ନୀଳ ଥିବାବେଳେ ଏହା ଧୀରେ ଧୀରେ ପରିବର୍ତ୍ତନ ହୋଇଥାଏ । ବିଲେଇ ମଣିଷର ସ୍ୱରରୁ ଚିହ୍ନି ପାରୁଥିବା ବେଳେ ଏହା ମାଲିକର ବିଶ୍ୱସ୍ତ ହୋଇ ନ ଥାଏ ।


