ନିଆରା ସ୍କୁଲ : ପାଠପଢ଼ା ସହ କରାଯାଏ ବିବାହ
ଭାରତରେ ରହିଛି ଏମିତି ଏକ ନିଆରା ସ୍କୁଲ୍, ଯେଉଁଠି ପାଠ ପଢ଼ାଯିବା ସହ ଝିଅଙ୍କ ବିବାହ ମଧ୍ୟ କରାଯାଇଥାଏ । ଗୁଜରାଟର ଅହମ୍ମଦାବାଦରେ ସ୍ଥିତ ଏହି ସ୍କୁଲର ନାମ ହେଉଛି “ଅନ୍ଧ କନ୍ୟା ପ୍ରକାଶ ଗୃହ’ । ପ୍ରଥମେ ମାତ୍ର ଚାରି ଜଣ ପିଲାଙ୍କୁ ନେଇ ଗଢ଼ି ଉଠିଥିବା ଏହି ସ୍କୁଲରେ ଏବେ ହଜାର ହଜାର ସଂଖ୍ୟାରେ ଝିଅ ସାମିଲ ଅଛନ୍ତି । ପ୍ରକୃତରେ ଏହି ସ୍କୁଲ୍ ଖୋଲିବା ପଛରେ ଥିବା ଏକ ପ୍ରମୁଖ ଉଦ୍ଦେଶ୍ୟ ରହିଛି । ଦିବ୍ୟାଙ୍ଗ ଝିଅଙ୍କୁ ଶିକ୍ଷିତ କରିବା ଏବଂ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଖୋଲାଯାଇଥିଲା । ଦିବ୍ୟାଙ୍ଗ ଝିଅଙ୍କୁ ଶିକ୍ଷା ଯୋଗାଇଦେବା ପାଇଁ ୧୯୫୪ରେ ନୀଳକାନ୍ତ ରାୟ ଛତ୍ରପତି ୧୦ ହଜାର ଟଙ୍କା ଫଣ୍ଡ୍ ଜମା କରି ଏହି ସ୍କୁଲ୍ ଆରମ୍ଭ କରିଥିଲେ । ଏହାର ଦେଖରେଖ ଅନ୍ଧ କନ୍ୟା ପ୍ରକାଶ ଗୃହ ନାମକ ଏକ ବେସରକାରୀ ସଂଗଠନ ଦାୟିତ୍ୱରେ ରହିଛି । ଆଜିର ସମୟରେ ଏହି ସଂଗଠନ ଶାରୀରିକ ରୂପରେ ବିକଳାଙ୍ଗ ଯୁବତୀଙ୍କୁ ଉନ୍ନତ ଶିକ୍ଷା ପ୍ରଦାନ ସହ ସେମାନଙ୍କୁ ଜୀବନ ପ୍ରତି ଆତ୍ମନିର୍ଭରଶୀଳ କରିବାରେ ଲାଗିପଡ଼ିଛି । ଯେତେବେଳେ ଏମାନେ ବିବାହଯୋଗ୍ୟ ହେଉଛନ୍ତି ଉତ୍ତମ ବରପାତ୍ର ଖୋଜି ବିବାହ କରୁଛନ୍ତି । ନିଶ୍ଚିତ ଭାବେ ଏହି ଭାବନା ଅନ୍ୟ ପରମ୍ପରାଗତ ସ୍କୁଲଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏଠାରେ ରହୁଥିବା ଯୁବତୀମାନେ ଦୀପ, ଫୁଲଦାନୀ, ଘରସଜା ସାମଗ୍ରୀ ଭଳି ଜିନିଷ ତିଆରି କରିବାରେ ମାହିର୍ । ଏସବୁର ଚାହିଦା ମାର୍କେଟ୍ରେ ବଢ଼ିବାରେ ଲାଗିଛି ।


