ବିଲେଇ ମଠ
ମଠରେ କିଛି ସମୟ ବିତାଇଲେ ମିଳିଥାଏ ଅପାର ଶାନ୍ତି । ତେବେ ଜାପାନର କ୍ୟୋଟୋରେ ଏମିତି ଏକ ମଠ ଅଛି, ଯେଉଁଠି ଶାନ୍ତି ସହ ଆନନ୍ଦ ଓ ଏକ ନିଆରା ଅନୁଭୂତି ମିଳିବ । ତା’ଛଡ଼ା ବିଲେଇଙ୍କୁ ଭଲ ପାଉଥିବା ବ୍ୟକ୍ତିଙ୍କୁ ତ ଏହା ସ୍ୱର୍ଗ ପରି ଲାଗିବ । କାରଣ ଏ ହେଉଛି ଏକ ବିଲେଇ ମଠ, ଯାହାର ନାମ “ନ୍ୟାନ୍ ନ୍ୟା ଜି’ ବା “ମିଉ ମିଉ ମଠ’ । ଏଠାରେ ବିଲେଇ ସାଧୁ ଥାଆନ୍ତି । ଏହାର ମୁଖ୍ୟ ସାଧୁ ବି ଏକ ବିଲେଇ, ଯାହାର ନାଁ କୋୟୁକି । ସେ ଏକ ମାଈ ବିଲେଇ । ଏହାବାଦ୍ ୱାକା, ଚିନ୍, ଅରୁଜି, ରେନ୍, କୋନାତ୍ସୁ ଏବଂ ଚିଛି ନାମରେ ଆହୁରି ୬ଟି ବିଲେଇ ସାଧୁ ଅଛନ୍ତି । ଏଠାକୁ ଯେଉଁ ପର୍ଯ୍ୟଟକ ଆସନ୍ତି ଏହି ବିଲେଇଙ୍କ ସହ ଖେଳନ୍ତି ଓ ଏଠାରେ ବିଲେଇକୁ ନେଇ ହୋଇଥିବା କଳାକୃତିକୁ ଉପଭୋଗ କରନ୍ତି । ଏଠାରେ ଅନେକ ବିଲେଇ ଥିଲେ ହେଁ ମୁଖ୍ୟ ସାଧୁ ସାଜିଥିବା କୋୟୁକି ସମସ୍ତଙ୍କ ମନ ମୋହି ନେଇଥାଏ ।


