ବିଲ୍ ପାସ କରିବା ଆଳରେ ମହିଳାଙ୍କୁ ବିଡିଓଙ୍କ ଅସଦାଚରଣ ଅଭିଯୋଗ
ଯୋଡା, (ଯୁଗାଦ୍ଦ): କେନ୍ଦୁଝର ଜିଲା ଯୋଡା ବ୍ଲକ ବିଡିଓ ଛତୁଆ ବିଲ୍ ପାସ୍ କରିବା ଆଳରେ ମହିଳାଙ୍କୁ ଅସଭ୍ୟ ବ୍ୟବହାର ତଥା ଅସଦାଚରଣ କରିଥିବା ନେଇ ଗାୟତ୍ରୀ ମିଶନ ଶକ୍ତି ମହାସଂଘ ପକ୍ଷରୁ ଯୋଡା ଥାନାରେ ଶୁକ୍ରବାର ଲିଖିତ ଅଭିଯୋଗ ହୋଇଛି । ଯୋଡା ବ୍ଲକରେ ବିଭିନ୍ନ ଅଙ୍ଗନଓାଡି କୁ ଛତୁଆ ବଂଟନ କାର୍ଯ୍ୟ କରୁଥିବା ଗାୟତ୍ରୀ ମିଶନ ଶକ୍ତି ମହାସଂଘର ୧୫ ରୁ ଉର୍ଦ୍ଧ୍ୱ ମହିଳା ଶୁକ୍ରବାର ପୂର୍ବାହ୍ନରେ ଏନେଇ ନ୍ୟାୟ ପାଇବା ପାଇଁ ଯୋଡା ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଲିଖିତ ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଗାୟତ୍ରୀ ମିଶନ ଶକ୍ତି ଯୋଡା ବ୍ଲକରେ ଆଇସିଡିଏସ ଅଧିନରେ ଥିବା ୨୮୧ ଟି ଅଙ୍ଗନଓାଡି କେନ୍ଦ୍ରକୁ ଦୀର୍ଘ ୮ ବର୍ଷ ହେବ ଛତୁଆ ବଂଟନ କରୁଅଛି । ଯୋଡା ବିଡିଓ ଯେଉଁ ଦିନଠାରୁ ସିଡିପିଓ ଦାୟିତ୍ୱ ଗ୍ରହଣ କରିଛନ୍ତି , ଉକ୍ତ ଦିନଠାରୁ ଯୋଡା ବିଡିଓ ଗାୟତ୍ରୀ ମିଶନ ଶକ୍ତିର ସଭ୍ୟାମାନଙ୍କୁ ଛତୁଆ ବିଲ୍ ପାସ୍ କରିବା ଆଳରେ ଅନେକ ସମୟରେ ହଇରାଣ କରୁଥିବା ଅଭିଯୋଗ ହୋଇଛି । ସିଡିପିଓ ଦାୟିତ୍ୱରେ ଥିବା ଯୋଡା ବିଡିଓ ସେମାନଙ୍କର ବିଲ୍ କୁ ମିଶନ୍ ଶକ୍ତିର ଏକାଉନ୍ଟରେ ନପଠାଇ ଭୁଲ୍ ଏକାଉନ୍ଟରେ ୫୦ ପ୍ରତିଶ୍ରତ ଅର୍ଥ ପଠାଇ ସେମାନଙ୍କୁ ହଇରାଣ କରୁଛନ୍ତି । ବିଲ୍ ପାସ୍ କରାଇ ଦେବା ଆଳରେ ଗାୟତ୍ରୀ ମିଶନ ଶକ୍ତିର ମହିଳାମାନଙ୍କୁ ସନ୍ଧ୍ୟାରେ ଏକୁଟିଆ ଆସିବା ପାଇଁ କହିବା ସହିତ, ମହିଳାଙ୍କୁ ଅସଭ୍ୟ ଇଙ୍ଗିତ କରିଥିବା ଅଭିଯୋଗ ହୋଇଛି । ଏପରିକି ଦ୍ୱିଅର୍ଥବୋଧକ ଅଶାଳୀନ ମନ୍ତବ୍ୟ ଦେଇ ମହିଳାଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଦର୍ଶାଯାଇଛି । ଗାୟ୍ତ୍ରୀ ମିଶନ ଶକ୍ତିର ସଭାପତି ହେମବତୀ ବାରିକ ଓ ସଂପାଦିକା ପଙ୍କଜିନୀ ବାରିକଙ୍କ ସମେତ ଗାୟତ୍ରୀ ମିଶନ ଶକ୍ତିର ସଦସ୍ୟା ପଦ୍ମାବତୀ ବେହେରା, ଜୁଲି ନାଏକ , ମୁକ୍ତା ବେହେରା, ସନ୍ଧ୍ୟାରାଣୀ ବାରିକ, ଲକ୍ଷ୍ମୀ ଦାସ, ଲୀନା ପଲେଇ ପ୍ରମୁଖ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱ ସଭ୍ୟା ଏକତ୍ରିତ ହୋଇ ନ୍ୟାୟ ପାଇଁ ଯୋଡା ଥାନାର ଦ୍ୱାରସ୍ଥ ହୋଇଥିଲେ । ଏନେଇ ଯୋଡା ବିଡିଓ ଯୋଗେଶ୍ୱର ନାଏକ ଙ୍କ ପ୍ରତିକ୍ରିୟା ନେବା ପାଇଁ ଯାଇଥିବା ବେଳେ ବିଡିଓ ତାଙ୍କ କାର୍ଯ୍ୟାଳୟ କବାଟ ବନ୍ଦ କରିଦେଇ ପ୍ରତିକ୍ରିୟା ଦେବା ପାଇଁ ଠାରରେ ଖବରଦାତା ମାନଙ୍କୁ ମନା କରିଦେଇଥିଲେ । ତେଣେ ଯୋଡା ଥାନାରେ ଉପସ୍ଥିତ ଥିବା ବଡବିଲ ଏସଡିପିଓ ସତ୍ୟ ବିକାଶ ଭୂୟାଁ ଏବଂ ଯୋଡା ଥାନା ଅଧିକାରୀ ରାଇସେନ୍ ମୁର୍ମୁ କହିଥିଲେ ଯେ, ମହିଳାମାନଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ମହିଳାମାନଙ୍କ ସହିତ ପୋଲିସର ଆଲୋଚନା ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ଜାରି ରହିଥିଲା । ଆଲୋଚନା ପରେ ଏହାର ସତ୍ୟାସତ୍ୟ ତଦନ୍ତ କରାଯିବ ବୋଲି ଏସଡିପିଓ ଭୂୟାଁ କହିଥିଲେ ।