ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସ୍ମୃତିଚାରଣ

ଭୁବନେଶ୍ୱର :  ବିଧାନସଭା ସମ୍ମୁଖରେ ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ଭୂଦାନ ଆନ୍ଦୋଳନ ଓ ଓଡ଼ିଆଭାଷାର ମୁଖ୍ୟ କାଣ୍ଡାରୀ ତଥା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କର ଜୟନ୍ତୀ ଅବସରରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ସ୍ମୃତିଚାରଣ ଓ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ, ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରିଥିଲେ ଯେ, ଓଡ଼ିଆମାନଙ୍କ ଚିରବନ୍ଦନୀୟ, ଆଦର୍ଶ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ମୁଖ୍ୟମନ୍ତ୍ରୀ ଥିବାବେଳେ ଓଡ଼ିଆଭାଷାରେ ଓଡ଼ିଶା ଶାସନ ନିମନ୍ତେ ଆଇନ ପ୍ରଣୟନ କରିବା ସହ ମଦମୁକ୍ତ ଓଡ଼ିଶା ପାଇଁ ଆହ୍ୱାନ ଦେଇଥିଲେ । ନିଶା ନିବାରଣ ପାଇଁ ଆଇନ ପ୍ରଣୟନ କରିବା ସହ ଭୂସଂସ୍କାର ଆଇନ ଓ ବହୁ ଜନକଲ୍ୟାଣମୂଳକ ପଦକ୍ଷେପମାନ ଗ୍ରହଣ କରିଥିଲେ । ପ୍ରଚଣ୍ଡ ସ୍ୱାଭିମାନୀ ନବକୃଷ୍ଣ ଯେତେବେଳେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ସେ ସମୟରେ ଅନୁଗୁଳ ଆଶ୍ରମରେ ଘାସ କାଟି ଗାଈଗୋରୁମାନଙ୍କ ସେବା କରିବା ସହ ଦଳିତବର୍ଗର ପିଲାମାନଙ୍କୁ ପାଠ ପଢ଼ାଇଥିଲେ । ସମାଜସେବିକା ସୁମିତ୍ରା ଜେନା ଓ କମାଣ୍ଡର ନନ୍ଦ କିଶୋର ସାମଲ ସ୍ମୃତିଚାରଣ କରି କହିଥିଲେ ଯେ, ନବକୃଷ୍ଣ ଚୌଧୁରୀ ଥିଲେ ଏକ ଅନୁଷ୍ଠାନ କହିଲେ କିଛି ଭୁଲ୍ ହେବ ନାହିଁ । ତାଙ୍କ ପରି ସରଳ, ନିରାଡମ୍ବର, ଜ୍ଞାନୀ, ଅମାୟିକ ମୁଖ୍ୟମନ୍ତ୍ରୀ ସାରା ଭାରତ ବର୍ଷରେ ବିରଳ । ଆଜିର ଯୁବପୀଢ଼ୀ ରାଜନୈତିକ ବ୍ୟକ୍ତିତ୍ୱ ତାଙ୍କ ଚିନ୍ତାଧାରା ଓ ଆଦର୍ଶରେ ବିଶେଷ ଭାବେ ଅନୁପ୍ରାଣୀତ ହେବା ସହିତ ଓଡ଼ିଶା ମଦମୁକ୍ତ ହେବା ପାଇଁ ଯେଉଁ ସ୍ୱପ୍ନ ସେ ଦେଖିଥିଲେ ତାହା କାର୍ଯ୍ୟକାରୀ କରିବାର ଉପନୀତ । ଏ ଦିଗରେ ସରକାର ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଅତିଥିମାନେ ମତ ରଖିଥିଲେ । ଅଭିଯାନ ପକ୍ଷରୁ କୁହାଯାଇଥିଲା ଯେ, ୨୦୨୦ ନଭେମ୍ବର ୨୩ ତାରିଖ ସ୍ୱଗର୍ତ ଚୌଧୁରୀଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଶାର ପ୍ରମୁଖ ବରପୁତ୍ରମାନଙ୍କ କୃତି ଓ କୀର୍ତ୍ତି ସମ୍ବନ୍ଧରେ ଏକ ପୁସ୍ତକ ଉନ୍ମୋଚିତ କରାଯିବ । ଆଜି ବ୍ୟାପକ ଭାବେ ଓଡ଼ିଆ ଭାଷାର ପ୍ରଚଳନ ଓ ବହୁ ସାମାଜିକ କାର୍ଯ୍ୟ ଇଞ୍ଜିନିୟରିଂ କଲେଜ୍ ପ୍ରମୁଖ ତାଙ୍କର ଅବଦାନ ।  ଉକ୍ତ ସ୍ମୃତିଚାରଣ ସଭାରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଆବାହକ କିଷାନ ବରାଇ ଓ ଯୁଗ୍ମ ସଂଯୋଜକ ନାରାୟଣ ଚନ୍ଦ୍ର ଓଝାଙ୍କ ସହିତ ବରିଷ୍ଠ ସଦସ୍ୟ ସୀତାବଲ୍ଲଭ ମହାପାତ୍ର, ଶ୍ରେୟାସ୍ମିତା ପଣ୍ଡା, ଗୀତାରାଣୀ ବେହେରା, ସଂଗ୍ରାମ ବଳିଆର ସିଂହ, ସମିତା ମହାରଣା, ନିର୍ମଳ କୁମାର ବେହେରା, ମିଟୁ ମହାରଣା, ମନ୍‌ଜିତ୍ କୌର, ବି. ମୂରଲୀଧର, ସଂଦୀପ ମହାନ୍ତି, ଲଗ୍ନଦୀପା ମିଶ୍ର, ମନୋରଂଜନ ବାରିକ ଓ ରମଣ ରଂଜନ ମୁଦୁଲି ପ୍ରମୁଖ ଯୋଗ ଦେଇ ସ୍ମୃତିଚାରଣ କରିଥିଲେ ବୋଲି ଅଭିଯାନର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ