ବିସ୍ଥାପିତ ଥଇଥାନଙ୍କୁ ଭେଟିଲେ ଜଂଗଲ ଓ ପରିବେଶ ସଚିବ ମୋନାଶର୍ମା
ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍) : ହଦଗଡ ନଦୀବନ୍ଧ ନିର୍ମାଣ ସମୟରେ ବିସ୍ଥାପିତ ହୋଇ ପିତାନାଉ ଜଂଗଲରେ ୪୦ବର୍ଷ ଧରି ବସବାସ କରୁଥିବା ଅଧିବାସୀ ମାନଙ୍କୁ ଜଂଗଲ ବିଭାଗ ପକ୍ଷରୁ ଢ଼େଙ୍କା ପଞ୍ଚାୟତ ଝଣଝଣା ଗ୍ରାମରେ ବିସ୍ଥାପିତ ନିୟମାନୁଯାଇ ଥଇଥାନ କରାଯାଇଛି । ଜଂଗଲ ଓ ପରିବେଶ ସଚିବ ମୋନା ଶର୍ମା ଆଜି ଏହି ବିସ୍ଥାପିତ ମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହ ସେମାନଙ୍କ ଭଲମନ୍ଦ ସମ୍ପର୍କରେ ପଚାରି ବୁଝିଛନ୍ତି । ଆଜି ଅପରାହ୍ନରେ ସଚିବଙ୍କ ସହ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଡିଏଫଓ ଅଜିତ ସତପଥି, ଏସିଏଫ ପ୍ରଫୁଲ ମଲ୍ଲିକ, ହଦଗଡ ରେଞ୍ଜର ସୁମିତ ମହାନ୍ତି, ଦେଓଗାଁ ରେଞ୍ଜର ସୁରେନ୍ଦ୍ର ହେମ୍ରମ, ହାଟଡିହି ତହସିଲଦାର ଗାୟତ୍ରୀ ସୋରେନ, ହାଟଡିହି ବିଡିଓ ସୁଶାନ୍ତ କୁମାର ବାରିକ ପ୍ରମୁଖ ଝଣଝଣା ଠାରେ ପହଞ୍ଚିବାପରେ ବରିଷ୍ଠ ବିଜେଡି ନେତା ରବିନ୍ଦ୍ର ନାୟକଙ୍କ ନେତୃତ୍ୱରେ ଅଧିବାସୀ ମାନେ ସେମାନଙ୍କୁ ପାରମ୍ପରିକ ନୃତ୍ୟଗୀତରେ ସ୍ୱାଗତ କରିଥିଲେ । ପରେ ସଚିବଙ୍କ ସହ ଅଧିକାରୀମାନେ ଅଧିବାସୀ ମାନଙ୍କ ପାଇଁ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଗୃହ ଗୁଡିକ ବୁଲି ଦେଖିବା ସହ ସେମାନେ ରେସନକାର୍ଡରେ ସାମଗ୍ର୍ରୀ ପାଉଛନ୍ତି କି ନାହିଁ, କେତେଜଣ ଭତ୍ତା ପାଉଛନ୍ତି, ଜବକାର୍ଡ ଅଛି କି ନାହିଁଁ ସେ ସମ୍ପର୍କରେ ପଚାରିବୁଝିଥିଲେ । ବିଶେଷକରି ସେଠାରେ ଏକ ମିନି ଅଙ୍ଗନବାଡି କେନ୍ଦ୍ର ଖୋଲିବାପାଇଁ ଅଧିବାସୀମାନେ ଦାବି କରିଥିବାବେଳେ ଜିଲ୍ଲାପାଳ ତୁରନ୍ତ ଖୋଲିବାପାଇଁ ପ୍ରତିଶୃତି ଦେଇଥିଲେ । ସେମାନଙ୍କ ପାଇଁ ପକ୍କାଘର ତୁରନ୍ତ ନିର୍ମାଣ କରାଯିବା ସହ ସେମାନଙ୍କ ଏକାଉଣ୍ଟକୁ ତୁରନ୍ତ ବିସ୍ଥାପିତ ନୀତି ଅନୁଯାଇ କ୍ଷତିପୁରଣ ପ୍ରଦାନ କରାଯିବାକୁ ସଚିବ ମୋନା ଶର୍ମା କହିଥିଲେ । ଏଠାରେ ପିତାନାଉ ଗ୍ରାମର ୩୫ଟି ପରିବାରର ୯୫ଜଣ ସଦସ୍ୟଙ୍କୁ ଥଇଥାନ କରାଯାଇଥିବାବେଳେ ଅବଶିଷ୍ଟ ଗ୍ରାମବାସୀମାନେ କିପରି ଆସିବେ ସେନେଇ ସଚେତନତା କରଯିବାକୁ ଡିଏଫଓ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସମୟରେ ବ୍ଲକର ଯୋଗାଣ ଅଧିକାରୀ ଶ୍ୟାମ ମାଝୀ, ପିଇଓ ଜିତେନ୍ଦ୍ର କୁମାର ଜେନା, ନରହରି ନାୟକ, ଅବିନାଶ ପତିଙ୍କ ସମେତ ଆଇସିଡିଏସର କର୍ମଚାରୀମାନେ ଉପସ୍ଥିତ ଥିଲେ ।


