ବିିଧାନସଭାରେ ଉଠିଲା ପେଟ୍ରୋଲ, ଡିଜେଲ, ଖାଇବା ତେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରସଙ୍ଗ
ଭୁବନେଶ୍ୱର, (ୱାଇଏନ୍ଏସ୍): ପେଟ୍ରୋଲ, ଡିଜେଲ, ଖାଇବା ତେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଆଜି ବିଧାନସଭାରେ ଉଠିଥିଲା । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ଏହା ସାଧାରଣ ଗରୀବ ଜନତାଙ୍କୁ ବାଧୁଥିବାରୁ ଏଗୁଡିକର ମୂଲ୍ୟ କମ କରିବା ପାଇଁ ସଂକଳ୍ପ ଆଣିବା ପାଇଁ ଦାବି କରିଥିଲେ । ସେ ବାଚସ୍ପତିଙ୍କୁ ଏ ସମ୍ପର୍କରେ ରୁଲିଂ ଦେବାକୁ ଅନୁରୋଧ କରିଥିଲେ । ମାତ୍ର ଏପରି ନ ହେବା କାରଣରୁ ସେ ଓ କଂଗ୍ରେସର ଅନ୍ୟ ବିଧାୟକ ମାନେ ମାନେ ଗୃହର ମଧ୍ୟ ଭାଗକୁ ଆସି ଧାରଣା ଦେଇଥିବାର ଦେଖା ଯାଇଥିଲା । ଅନ୍ୟ ପକ୍ଷରେ ବିଜେପି ବିଧାୟକଙ୍କୁ କହିବାର ସୁଯୋଗ ଦିଆ ଯାଉ ନ ଥିବା ବିଧାୟକ ବିଷ୍ଣୁ ପ୍ରସାଦ ସେଠୀ ଅଭିଯୋଗ କରିଥିଲେ । ସ୍ଥିତିକୁ ସାମାନ୍ୟ କରିବାକୁ ଯାଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡାକିଥିଲେ ଓ ଏଥିପାଇଁ ୧୨.୦୯ରୁ ଗୃହକୁ ୧୨.୨୪ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହା ପରେ ପୁଣି ଥରେ ୧୨.୨୪ରୁ ୧୨.୩୪ ଓ ପରେ ୧୨.୩୪ରୁ ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ ରହିଲା ବୋଲି୍ ଘୋଷଣା କରା ଯାଇଥିଲା । ଏହି କାରଣରୁ ଆଜି ମୁଲତବୀ ପ୍ରସ୍ତାବ ନୋଟିସ ଉପରେ ଆଲୋଚନା ହୋଇ ପାରି ନ ଥିଲା ।ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ ଯେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି କାରଣରୁ ଲୋକ ମାନେ ହଇରାଣ ହରକତ ହେଉଛନ୍ତି । ସେହିପରି ଖାଇବା ତେଲର ମୂଲ୍ୟ ମଧ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି । ଖାଇବା ତେଲର ମୂଲ୍ୟ ଯାହା କିଛି ଦିନ ପୂର୍ବରୁ ୭୦ ଟଙ୍କା ପ୍ରତି ଲିଟର ଥିଲା ତାହା ବଢି ଏେବେ ୧୬୦ ଟଙ୍କା ହୋଇ ଯାଇଛି । ସାଧାରଣ ଗରୀବ ଲୋକ ମାନଙ୍କୁ ଏହା ବାଧୁଛି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁୂ କମାଇବା ପାଇଁ ପଦକ୍ଷେପ ନେବା ଆବଶ୍ୟକ । ପେଟ୍ରୋଲ, ଡିଜେଲ ଉପରେ କେନ୍ଦ୍ର ଓ ରାଜ ୍ୟ ସରକାର ୧୦ – ୧୦ ଟଙ୍କା କମାଇବା ଓ ଖାଇବା ତେଲ ଉପରେ ସମ୍ପୂର୍ଣ ଟ୍ୟାକ୍ସ ଛାଡ କରା ଯିବା ଆବଶ୍ୟକ । ଏ ସମ୍ପର୍କରେ ସଂକଳ୍ପ ପାରିତ କରିବା ପାଇଁ ରୁଲିଂ ଦେବାକୁ ଶ୍ରୀ ବାହିନୀପତି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ମାତ୍ର ବାଚସ୍ପତି କହିଥିଲେ ଯେ ଉଭୟ ଶାସକ ଦଳ ଓବିରୋଧୀ ଦଳ ଏଠାରେ ଅଛନ୍ତି । ତେଣୁ କେଉଁ ସଂକଳ୍ପ ଆସିବ ବା ନ ଆସିବ ତାହା ସେମାନେ ସ୍ଥିର କରିବେ । ଏଥିରେ ତାଙ୍କର କିଛି କରିବାର ନାହିଁ ।
ଏହା ପରେ ଶ୍ରୀ ବାହିନୀପତି ଓ ଅନ୍ୟ କଂଗ୍ରେସ ବିଧାୟକ ମାନେ ଗୃହର ମଧ୍ୟ ଭାଗରେ ଧାରଣା ଦେଇଥିଲେ । ବାଚସ୍ପତି ତାଙ୍କୁ ନିଜ ଆସନକୁ ଯିବାକୁ କହିଥିଲେ ସୁଦ୍ଧା ସେମାନେ ସେଠାରେ ଠିଆ ହୋଇ ପାଟିତୁଣ୍ଡ କରିବା ଦେଖିବାକୁ ମିଳିଥିଲା ।