ବୀମା ଟଙ୍କା ନ ପାଇ ତେଜୁଛି କୃଷକ ଅସନ୍ତୋଷ
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ଥାନା ଅଧୀନସ୍ଥ କାକଟପୁର ବ୍ଲକ ଅନ୍ତର୍ଗତ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଶତାଧିକ କୃଷକ ବୀମା ଟଙ୍କା ପ୍ରଦାନ ଦିଗରେ ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ ସଂପାଦକଙ୍କ ମନମାନି ଓ କୃଷକ ମାରଣନୀତି କୁ ନେଇ ବୀମା ଟଙ୍କା ନ ପାଇ ଦୁର୍ଦିନ ମଧ୍ୟରେ ଜୀବନଯାପନ କରୁଥିବା କୃଷକ ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଖବରରୁ ପ୍ରକାଶ ଯେ କୋଣାର୍କ ଥାନା ଅଧୀନସ୍ଥ କାଦୁଆନୂଆଗାଁ ଗ୍ରାମ ପଞ୍ଚାୟତର ଧନିତ୍ରୀ, ସନ୍ତରସ ଓ ଜାଗେଶ୍ୱରି ସେବା ସମବାୟ ସମିତି ଅନ୍ତର୍ଗତ ଶତାଧିକ ଚାଷୀ ମାନଙ୍କ ୨୦୨୦ ଫସଲହାନି ବାବଦରେ ଗତ ଅଗଷ୍ଟ ମାସ ୯ତାରିଖ ଦିନ ବୀମା କମ୍ପାନୀ ପକ୍ଷରୁ ୯୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅର୍ଥ ପୁରୀ ସ୍ଥିତ ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ବ୍ୟାଙ୍କ ଖାତାକୁ ସଂପୃକ୍ତ ବୀମା କମ୍ପାନୀ ପଠାଇବାର ୩ମାସ ବିତିଗଲାଣି । ମାତ୍ର କୋଭିଡି ମହାମାରୀ ଓ ଲଗାଣ ବର୍ଷାରେ ଚଳିତ ବର୍ଷର ଫସଲହାନି କୃଷକ ମାନଙ୍କ ମେରୁଦଣ୍ଡ କୁ ଭାଙ୍ଗି ଦେଇଛି । ଏହି ବୀମା ରାଶି କାଦୁଆନୂଆଗାଁ ଗ୍ରାମପଞ୍ଚାୟତ ସମେତ ଅନ୍ୟ ସେବା ସମବାୟ ସମିତିର କୃଷକ ମାନଙ୍କ ଖାତାକୁ ପଠାଇବା ପାଇଁ କାକଟପୁର ସମବାୟ ବ୍ୟାଙ୍କ ଶାଖା ପକ୍ଷରୁ ପୁରୀ ମୁଖ୍ୟ କାର୍ଯ୍ୟାଳୟକୁ ପଠାଯାଉଥିବା ବେଳେ ମୁଖ୍ୟ କାର୍ଯ୍ୟାଳୟର ସଂପାଦକ ଅମୂଲ୍ୟ କୁମାର ମହାନ୍ତିଙ୍କ ଅସହଯୋଗ ମନୋଭାବ, କୃଷକ ମାରଣନୀତି ଯୋଗୁଁ ବୀମା ଟଙ୍କା ଆସିବାର ୩ମାସ ବିତିଯାଇଥିଲେ ମଧ୍ୟ କୃଷକ ମାନଙ୍କ ଖାତାକୁ ଅଦ୍ୟାବଧି ଏହି ଅର୍ଥ ଆସିପାରିନାହିଁ । ଫଳରେ କୃଷକ ମାନେ କୋଭିଡ ଓ ଲଗାଣ ବର୍ଷା ଫଳରେ ଫସଲହାନି କାରଣରୁ ଦୁଖଦୁର୍ଦ୍ଦଶା ମଧ୍ୟରେ ଜୀବନଯାପନ କରୁଥିବା ଦେଖିବାକୁ ମିଳିଛି । ପୁରୀ – ନିମାପଡ଼ା ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟର ସଂପାଦକ ଶ୍ରୀ ମହାନ୍ତିଙ୍କ କୃଷକ ମାରଣନୀତି ଓ କର୍ତ୍ତବ୍ୟ ସଂପାଦନାରେ ଅହେତୁକ ଅବହେଳା ପ୍ରଦର୍ଶନ ଯୋଗୁଁ ସଂପୃକ୍ତ ବ୍ୟାଙ୍କ ସଂପାଦକ ବିରୋଧରେ ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ ସହ ଅନ୍ୟତ୍ର ବଦଳି ପାଇଁ ସାମାଜିକ କର୍ମୀ ତଥା କୃଷକ ନେତା ଭାଗୀରଥୀ ସ୍ୱାଇଁ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ଗୋପବନ୍ଧୁ ଶତପଥୀ ଙ୍କ ନିକଟରେ ଇମେଲ ମାଧ୍ୟମରେ ଅଭିଯୋଗ କରିଛନ୍ତି । ଖୁବଶୀଘ୍ର କୃଷକ ମାନଙ୍କ ଖାତାକୁ ବୀମା ଟଙ୍କା ପ୍ରଦାନ କରିବା ସହ କର୍ତବ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ପୁରୀ ସମବାୟ ବ୍ୟାଙ୍କ ସଂପାଦକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ମୁଖ୍ୟ କାର୍ଯ୍ୟାଳୟ ଠାରେ ଶତାଧିକ କୃଷକ ଧାରଣା ଦେବେ ବୋଲି କୃଷକ ନେତା ଭାଗୀରଥୀ ସ୍ୱାଇଁ ଚେତାବନୀ ଦେଇଛନ୍ତି ।