ବୁଗୁଡା ଅଞ୍ଚଳରେ ପୁଣି ୪ ଜଣ କରୋନା ପଜିଟିଭ, ମୋଟ ଚିକିତ୍ସାଧୀନ ଅଛନ୍ତି ୧୬ ଜଣ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାପାଳଙ୍କ ଜୁନ ୨୮ ତାରିଖ ମଧ୍ୟାହ୍ନ ସମୟର ଟୁଇଟ ପ୍ରକାରେ ଗଞ୍ଜାମ ଜିଲ୍ଲାରେ ମୋଟ ୭୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବୁଗୁଡା ଅଞ୍ଚଳର ୪ ଜଣ ଅଟନ୍ତି। ସେହି ୪ ଜଣଙ୍କ ମଧ୍ୟରୁ ପୂର୍ବରୁ ଏ.କରଡ଼ାବାଡ଼ି ପଞ୍ଚାୟତରେ ଦୁଇ ଜଣ ପଜିଟିଭ ଚିହ୍ନଟ ହୋଇ ଚିକିତ୍ସାଧୀନ ଥିବା ବେଳେ ଆଉ ତିନିଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।ସେହିପରି ବୁଗୁଡା ଏନଏସିରେ ପୂର୍ବରୁ ରାଜ୍ୟର ଦୁଇଜଣ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଉଜଣେ ଦିଲ୍ଲୀ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଚାରି ଜଣଙ୍କୁ ମିଶାଇ ବୁଗୁଡା ଅଞ୍ଚଳରେ ମୋଟ ୪୪ ଜଣଙ୍କ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନର ୪ ଜଣଙ୍କୁ ମିଶାଇ ମୋଟ ୧୬ ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ବୁଗୁଡ଼ା ଅଞ୍ଚଳରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଜନସାଧାରଣ ଯଦି ସଚେତନ ନହୁଅନ୍ତି ତାହାହେଲେ ଗୋଷ୍ଠି ସଂକ୍ରମଣର ସମ୍ଭାବନା ଯଥେଷ୍ଟ ରହିଛି। ପ୍ରଶାସନ ପକ୍ଷରୁ ଘରେ ରହିବା, ଅତି ଜରୁରୀ ଆବଶ୍ୟକ ସ୍ଥଳେ ବାହାରକୁ ଆସିଲେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା, ହାତକୁ ବାରମ୍ବାର ସାବୁନ ବା ହ୍ୟାଣ୍ଡ ୱାସରେ ସଫା କରିବା, ଥଣ୍ଡା କାଶ ଓ ଜ୍ଵର ହେଲେ ସାଙ୍ଗେ ସାଙ୍ଗେ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ପ୍ରଭୃତି ବିଷୟରେ ଜନସାଧାରଣଙ୍କୁ ବିଭିନ୍ନ ଉପାୟରେ ବାରମ୍ବାର ସଚେତନ କରାଇଲେ ମଧ୍ୟ କେତେକ ନିୟମକୁ ମାନୁନଥିବା ଯୋଗୁଁ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ଜନସାଧାରଣ କରୋନା ମହାମାରୀରୁ ମୁକ୍ତି ପାଇବା ପାଇଁ ପ୍ରଶାସନର ନିୟମ ମାନି ଚଳିଲେ ହିଁ ବୁଗୁଡା ଅଞ୍ଚଳ କରୋନା ମୁକ୍ତ ହୋଇପାରିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ