ବୃହତ୍ତର ମହାନଗର ନିଗମ ଗଠନର ଘୋଷଣା କାର୍ଯ୍ୟକାରୀ ହେଉନଥିବାରୁ କ୍ରିୟାନୁଷ୍ଠାନ କମିଟିର କଳା ବ୍ୟାଜ ପରିଧାନ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ଡିସେମ୍ବର ମାସ ୨୯ ତାରିଖ ଆଜିର ଦିନରେ ରାଜ୍ୟ ସରକାର ସହରର ଉତ୍ତର,ଦକ୍ଷିଣ, ପୂର୍ବ ଓ ପଶ୍ଚିମ ଏହିଭଳି ଚତୁଃପାର୍ଶରେ ଅବସ୍ଥିତ ସହର ସନ୍ନିକଟ ଅଞ୍ଚଳ ତଥା ୧୮ ଟି ପଞ୍ଚାୟତକୁ ବୃହତ୍ତର ଓ ପରିବର୍ଦ୍ଧିତ ସହର ଅଞ୍ଚଳ ରୂପେ ଘୋଷଣା କରି ଗେଜେଟ ନୋଟିଫିକେସନ ପ୍ରକାଶ କରି କହିଥିଲେ ଯେ ଏସବୁ ଅଞ୍ଚଳକୁ ସାମିଲ କରି ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ନିଗମ ଗଠନ କରାଯିବ ବୋଲି ଉଭୟ ସହର ତଳି ବାସିନ୍ଦା ଓ ବ୍ରହ୍ମପୁର ବାସିନ୍ଦାଙ୍କୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଇତିମଧ୍ୟରେ ଦୀର୍ଘ ୧୬ ବର୍ଷ ଅତିକ୍ରାନ୍ତ ଓ ତିନୋଟି ନିର୍ବାଚନ ପାର ହେଇଯାଇଥିଲା ମଧ୍ୟ ସରକାର ଏହା ଉପରେ ପଦକ୍ଷେପ ନେବା ବଦଳରେ ଫାଇଲକୁ ଚାପି ବସି ସହର ତଳି ଓ ବ୍ରହ୍ମପୁର ବାସିନ୍ଦାଙ୍କ ପ୍ରତି ବୈମାତୃକ ମନୋଭାବ ଆଜି ପର୍ଯ୍ୟନ୍ତ ପୋଷଣ କରିଚାଲିଛନ୍ତି। ସରକାରଙ୍କ ଚରମ ଅବହେଳା ଓ ପ୍ରତାରଣ ପ୍ରତିବାଦରେ ସହର ତଳି ଅଞ୍ଚଳ ବାସିନ୍ଦା ଦୀର୍ଘ ବାର ବର୍ଷ ହେଲା ବିଭିନ୍ନ ପର୍ଯ୍ୟାୟରେ ଏନେଇ ଆନ୍ଦୋଳନ କରି ଆସୁଛନ୍ତି । ଏପରିକି ସରକାରଙ୍କ ଉଦାସୀନତା ବିରୋଧରେ ମାନ୍ୟବର ଉଚ୍ଚ ନ୍ୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ମିଶ୍ରଣ ନେଇ ରେଜୋଲୁସନ ପାରିତ କରିଥିବା ପଞ୍ଚାୟତକୁ ସାମିଲ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଧେଶ କାର୍ଯ୍ୟକାରୀ କରିବାକୁ ଯାଇ ସରକାର ଗତ ଅଗଷ୍ଟ ମାସରେ ମିଶ୍ରଣ ନେଇ ଏକ ବିଜ୍ଞପ୍ତି ବାହାର କରି ପଦକ୍ଷେପ ନେବା ବଦଳରେ ଚୁପ୍ ବସିଯାଇଥିବାରୁ , ତାହାର ପ୍ରତିବାଦରେ ଆଜିର ଦିନକୁ କମିଟି ସଦସ୍ୟମାନେ ସରକାରଙ୍କୁ ନିଜ ପ୍ରତିଶ୍ରୁତି ବାବଦରେ ଚେତେଇ ଦେବା ସକାଶେ ସଭାପତି ସଞ୍ଜୀବ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ କଳା ବ୍ୟାଜ ପରିଧାନ କରି ରାମଲିଙ୍ଗେଶ୍ୱର ପାର୍କ ନିକଟସ୍ଥ ହନୁମାନ ମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପ୍ରତିବାଦ ସଭା ଆୟୋଜନ କରିଥିଲେ। ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଓ ସରକାର କାହା ଚାପ ଓ ପ୍ରଭାବରେ ଆସି ଭାରତବର୍ଷର ସବୁଠାରୁ କ୍ଷୁଦ୍ର ମାତ୍ର ୭୮ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ମହାନଗର ନିଗମର ପରିବର୍ଦ୍ଧତ କରି ସହର ତଳି ଅଞ୍ଚଳକୁ ସାମିଲ ନେଇ ପଦକ୍ଷେପ ନେଇ ଏହାକୁ ଏକ ପୂର୍ଣ୍ଣାଙ୍ଗ ଓ ବୃହତ୍ତର ମହାନଗର ନିଗମରେ ପରିଣତ କରିପାରୁ ନାହାଁନ୍ତି ଏହା ଏକ ରହସ୍ୟ ହୋଇ ରହିଛି। ସହର ତଳି ଅଞ୍ଚଳ ସାମିଲ ହୋଇଥିଲେ ସାମଗ୍ରିକ ଭାବେ ମହାନଗର ନିଗମର ତୀବ୍ର ଭିତ୍ତିଭୂମି ବିକାଶ ଓ ଉନ୍ନୟନ କାର୍ଯ୍ୟ ହୋଇ ଏହାର ରୂପରେଖ ଏବଂ କଳେବରରେ ବିରାଟ ପରିବର୍ତ୍ତନ ଆସିପାରିଥାନ୍ତା। ସେଇଭଳି ଜିଲ୍ଲା ମାନ୍ୟତାର ସମସ୍ତ ଯୋଗ୍ୟତା ଓ ମାପଦଣ୍ଡ ପୂରଣ କରୁଥିବା ବ୍ରହ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବା ନିମନ୍ତେ ମଧ୍ୟ କମିଟି ତରଫରୁ ଦାବୀ ରଖାଯାଇଛି। ଏହି ଦୁଇଟି ଦାବୀ ନେଇ କମିଟି ପକ୍ଷରୁ ଅଦ୍ୟାବଧି ଗାନ୍ଧି ନଗର ଓ ପୁରୁଣା ବସ ଷ୍ଟାଣ୍ଡ ନିକଟରେ ଏହିଭଳି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ସହରର ପ୍ରମୁଖ ଜାଗାରେ ଦାବୀ ପୂରଣ ପର୍ଯ୍ୟନ୍ତ ଏହିଭଳି ପ୍ରତିବାଦ ସଭା ଧାରାବାହିକ ଭାବରେ କରାଯିବା ନିମନ୍ତେ କମିଟି ସ୍ତରରେ ନିଷ୍ପତ୍ତି ନିଆଯାଇଛି। ଆଜିର ପ୍ରତିବାଦ ସଭାରେ ସଭାପତିଙ୍କ ବ୍ୟତୀତ ଉପସଭାପତି ଦେବୀ ପ୍ରସାଦ ଦାସ, ସାଧାରଣ ସମ୍ପାଦକ ଡ ଶିବ ପ୍ରସାଦ ମିଶ୍ର, ଯୁଗ୍ମ ସମ୍ପାଦକ ଟି ସୁଦେଶ କୁମାର ପାତ୍ର, ସଂଗଠନ ସମ୍ପାଦକ ଶ୍ରୀକାନ୍ତ ପଢ଼ିହାରି, ସହ ସମ୍ପାଦକ ବି ଭି ସାଗର, କାର୍ଯ୍ୟାଳୟ ସମ୍ପାଦକ ଦିଗାମ୍ବର ସାମନ୍ତରାୟ, ସଂଗଠନ ସହ ସମ୍ପାଦକ ଶ୍ରୀମନ୍ତ୍ ପାଣିଗ୍ରାହୀ, କୋଷାଧ୍ୟକ୍ଷ ଏମ୍ ଲାବଣ୍ୟ ପାତ୍ର, ସଂଯୋଜକ ସି ଏଚ ରାମ କ୍ରିଷ୍ଣା ଦାସ ଓ ଉପଦେଷ୍ଟା ଚନ୍ଦ୍ର ଶେଖର ରଥ, ସୁବାଷ ସେଠୀ, ଭୁବନେଶ୍ୱର ଜେନା, ଭି ନାର୍ଷୀଙ୍ଗୁଲୁ, ସନ୍ତୋଷ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ଭୁବନେଶ୍ବର ଜେନା,ଡ ରାମ ଚନ୍ଦ୍ର ପାତ୍ର, ଗଣେଶ ଚନ୍ଦ୍ର ଦାସ, ଶଙ୍କର କୁମାର ସାହୁ, ଶ୍ୟାମ ସୁନ୍ଦର ଖାଡଙ୍ଗା, ହିମାଂଶୁ ଚନ୍ଦ୍ର ସାହୁ, କାହୁଁ ଚରଣ ପତି, ରବୀନ୍ଦ୍ର ଚନ୍ଦ୍ର ତ୍ରିପାଠି ଓ ସିମାଞ୍ଚଳ ପଟ୍ଟନାୟକ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ