ବେଆଇନି ଭାବେ ତିଆରି ହେଉଛି ବାଣ : ବାରୁଦ ଗଦାରେ କାକଟପୁର ଓ ଅସ୍ତରଙ୍ଗ ଥାନା ଅଞ୍ଚଳ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ବାଣ ତିଆରି ଓ ବିକ୍ରି ଉପରେ କଟକଣା ସତ୍ବେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ବେଆଇନି ଭାବେ ବାଣ ତିଆରି କରି ପୁରୀ ଜିଲ୍ଲାର ବିଭିନ୍ନ ସ୍ଥାନକୁ ପଠାଯାଉଥିବା ଅଭିଯୋଗ ହେଉଛି। ଆଗକୁ ଦୀପାବଳୀ ଥିବାରୁ ବାଣ ପ୍ରସ୍ତୁତି ପାଇଁ ପ୍ରଚୁର ପରିମାଣର ବାରୁଦ ଅଂଚଳରେ ମହଜୁଦ ରହିଥିବା ଗଣମାଧ୍ୟ୍ୟମ ପ୍ରତିନିଧି ଷ୍ଟିଙ୍ଗ ଅପରେସନ ବେଳେ ଜଣାପଡିଛି। ଏଥି ଯୋଗୁଁ ବେଆଇନି କାରଖାନା ରେ ଯେକୌଣସି ସମୟରେ ବଡ଼ଧରଣର ଅଘଟଣ ଘଟିବାର ଆଶଙ୍କା ଲାଗି ରହୁଛି। ଏହା ସତ୍ବେ କାକଟପୁର ଓ ଅସ୍ତରଙ୍ଗ ପୁଲିସ ନୀରବତା ପ୍ରଶ୍ନବାଚୀ ସୃଷ୍ଟି କରିଛି। କାକଟପୁର ଓ ଅସ୍ତରଙ୍ଗ ଥାନା ଅନ୍ତର୍ଗତ କିଛି ସ୍ଥାନରେ ବେଆଇନି ଭାବେ ତିଆରି ହେଉଛି ବାଣ। ଦୀପାବଳୀ କୁ ଦୃଷ୍ଟିରେ ରଖି ପ୍ରଚୁର ପରିମାଣର ବାରୁଦ ମହଜୁଦ ରଖି ବାଣ ପ୍ରସ୍ତୁତି ନିମନ୍ତେ ଅଧିକ ସଂଖ୍ୟାରେ ଶ୍ରମିକ ନିୟୋଜିତ କରାଯାଇଛି। ବେଆଇନି କାରଖାନାରେ ପ୍ରଚଣ୍ଡ ଶବ୍ଦ କରୁଥିବା ଗଡ଼ମାରୁ ଆରମ୍ଭ କରି ଫୁଲଝରି, ଧପଧପି, ଖଇ, ଫୋଟକା ଆଦି ବାଣ ପ୍ରସ୍ତୁତ କରାଯାଉଛି। ପରିବେଶ ଓ ବାୟୁ ପ୍ରଦୂଷଣ କରୁଥିବା ବାଣ ପ୍ରସ୍ତୁତ ଓ ବିକ୍ରି ଉପରେ କଟକଣା ସତ୍ବେ କିପରି କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ବାଣ ତିଆରି କରାଯାଇ ପୁରୀ ଜିଲ୍ଲା ସମେତ ନିକଟସ୍ଥ ଜଗତସିଂହପୁର ଜିଲ୍ଲାକୁ ଚାଲାଣ କରାଯାଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି। ସବୁଠୁ ବଡ଼ କଥା ହେଲା କାକଟପୁର ଥାନା ଠାରୁ କିଛି କିଲୋମିଟର ଦୂରରେ ଜନଗହଳିପୂର୍ଣ୍ଣ ଅଂଚଳରେ ବାଣ କାରଖାନା ରହିଥିବା ଜଣାଯାଇଛି। ଏହା ସତ୍ବେ ପୁଲିସ କିପରି ଜାଣିପାରୁନାହିଁ ନାଁ ଜାଣି ମଧ୍ୟ ଚୁପ ବସିଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ପାନ -ଚା ଦୋକାନରେ କୌଣସି ବ୍ୟକ୍ତି ବାଣ ରଖିଲେ ପୁଲିସ ଜବତ କରିବା ସହ ମାମଲା ରୁଜୁ କରୁଛି। ମାତ୍ର କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ବେଆଇନି ବାଣ ପ୍ରସ୍ତୁତ କରାଯିବା ସହିତ ବସ୍ତା ବସ୍ତା ବାରୁଦ ମହଜୁଦ ରଖାଯିବା ସତ୍ବେ ପୁଲିସର ନୀରବତା ସନ୍ଦେହ ସୃଷ୍ଟି କରିଛି। କାକଟପୁର ଓ ଅସ୍ତରଙ୍ଗ ଥାନା ଅଂଚଳରେ ବେଆଇନି ବାଣ କାରଖାନା ଚାଲୁଥିବା ନେଇ ସୂଚନା ପାଇଁ ଦୁଇଜଣ ଯୁବକ ବ୍ୟବସାୟୀର ପରିଚୟ ନେଇ ସେଠାରେ ପହଂଚିଥିଲେ। ପ୍ରଥମେ ବାଣ ନାହିଁ ବୋଲି ସେମାନଙ୍କୁ କୁହାଯାଇଥିଲା। ତେବେ ବ୍ୟବସାୟୀ ବୋଲି ବିଶ୍ୱାସ ଜନ୍ମାଇବା ପରେ ଯୁବକ ଦ୍ବୟଙ୍କୁ ବାଣ ଗୋଦାମ ଓ ପ୍ରସ୍ତୁତସ୍ଥଳ ଦେଖାଯାଇଥିଲା। ବାଣ ପ୍ରସ୍ତୁତ ହେଉଥିବା ସ୍ଥାନରେ ବସ୍ତା ବସ୍ତା ବାରୁଦ ସହ ଦୀପାବଳୀ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ବାଣ ଦେଖିବାକୁ ମିଳିଥିଲା। ଏପରିକି, ଉକ୍ତ ସ୍ଥାନରୁ କେଉଁ କେଉଁ ସ୍ଥାନକୁ ବାଣ ପଠାଯାଉଛି ତାହା ମଧ୍ୟ କୁହାଯାଇଥିଲା। ବହୁବର୍ଷ ଧରି ଶବ୍ଦ ଓ ବାୟୁ ପ୍ରଦୂଷଣ କରୁଥିବା ବାଣ କାରଖାନା କିପରି ନିବିଘ୍ନରେ ଚାଲିଛି ?ଏଥିଯୋଗୁ କିଛି ଅଘଟଣ ଘଟିଲେ କିଏ ଦାୟୀ ରହିବ ? ବୋଲି ସାଧାରଣରେ ପ୍ରଶ୍ନ କରାଯାଇଛି।