ବେଆଇନ ଭାବେ ପୋଡା ଯାଉଛି ଇଟା;ପ୍ରଶାସନ ପକ୍ଷରୁ ନିଆ ଯାଉନାହିଁ ଆଖି ଦୃଶିଆ ପଦକ୍ଷେପ
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ତହସିଲ ଅଧିନରେ ଦିନକୁ ଦିନ ଇଟା ଭାଟି ବୃଦ୍ଧି ପାଇବାରେ ଲାଗିଛି । ଇଟା ବେପାରୀମାନେ ମନଇଚ୍ଛା ଇଟା ପୋଡୁଥିବା ବେଳେ ପ୍ରଶାସନ ପକ୍ଷରୁ ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନଥିବା ଜଣାଯାଇଛି । ନିୟମାନୁସାରେ ଇଟା ଭାଟି ପୋଡି ବାକୁ ହେଲେ ତହସିଲ କାର୍ଯ୍ୟାଳୟରୁ ଅନୁମତି ଆଣିବା ଅତ୍ୟନ୍ତ ଜରୁରୀ । କିନ୍ତୁ ଉକ୍ତ ବ୍ଳକରେ ଅନେକ ଇଟା ଭାଟି ବିନା ଅନୁମତିରେ ପୋଡା ହେଉଥିବା ଜଣାଯାଇଛି । ସେହିପରି ଇଟା ପୋଡିବାକୁ ହେଲେ ବିଦ୍ୟାଳୟ, ଜନବସତି, ରାସ୍ତା ପାଶ୍ୱର୍ ନିକଟରେ ପୋଡିବାର ନିୟମ ନାହିଁ । କିନ୍ତୁ ଅନେକ ଇଟା ଭାଟି ଗାଁ, ବିଦ୍ୟାଳୟ ଓ ରାସ୍ତା ପାଶ୍ୱର୍ରେ ଦେଖିବାକୁ ମିଳୁଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଡେରିକି ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଇଟା ଭାଟି ଲାଗୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହି ତହସିଲ ଅଧିନରେ ୫ଟି ରାଜସ୍ୱ ନିରିକ୍ଷକ କାର୍ଯ୍ୟାଳୟ ରହିଛି । ସେଥିମଧ୍ୟରେ ନୂଆପାରି, ଜାମୁଗାଁ, ଶିଖର, ଡେରିକି, ନାଉଗାଁ ରହିଛି । ତହସିଲ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ ବେଆଇନ ଭାବେ ଇଟାଭାଟି ପୋଡା ଯାଉଥିବାରୁ ନୂଆପାରୀ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ୧୪ଟି ମିସ କେଶ କରାଯାଇଥିବା ବେଳେ ଡେରିକି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ପକ୍ଷରୁ ୨ଟି ମିସ କେଶ କରାଯାଇଛି । ହେଲେ ଅଧିକାଂଶ ଇଟାଭାଟି ନାଉଗାଁ, ଡେରିକି , ଜାମୁଗାଁ, ଶିଖର ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ଦେଖିବାକୁ ମିଳୁଛି । ବିଶେଷକରୀ ନାଉଗାଁର କୋକିଢିହ ଠାରୁ ଗାରୋଇ ତେଲସରା ଓ ଶିଖରର ସାରେକୁଳ ଠାରୁ ଡେରିକି, ସାରେକୁଳ ଠାରୁ ଦେବୀନଦୀ, ବ୍ଲକଛକ ଠାରୁ ଜାମୁଗାଁ,ମୁଣ୍ଡାଳ ଠାରୁ ଠାରୁ ନାଉଗାଁ, ନାଉଗାଁରୁ ରୋହିଆ- ଅରଖକୁଦ, ନାଉଗାଁରୁ ବଛାଳୋ ଆଦି ନିକଟରେ ପୋଡା ଯାଉଥିବା ବେଳେ ଉକ୍ତ ରାଜସ୍ୱ ନିରିକ୍ଷକ କୋଣସି ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଇଟା ଭାଟି ଧୂଆଁରେ ଜନ ଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଉକ୍ତ ଧୂଆଁ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ବୋଲି ଜଣାଯାଇଛି । ଜନ ବସତି ନିକଟରେ ଇଟା ପୋଡା ହେବା ଯୋଗୁ ବିଶେଷ କରି ଶ୍ୱାସ ରୋଗୀ, ଛୋଟ ପିଲା ବୃଦ୍ଧବୃଦ୍ଧାଙ୍କ ସ୍ୱାସ୍ଥ୍ୟ ପ୍ରଭାବିତ ହେବା ର ଆଶଙ୍କା ରହିଛି । ତେଣୁ ବେଆଇନ ଭାବେ ପୋଡା ଯାଉଥିବା ଇଟା ଭାଟି ଉପରେ ପ୍ରଶାସନ ଅଙ୍କୁଶ ଲଗାଇବାକୁ ସାଧାରଣରେ ଦାବି କରାଯାଇଛି । ଏ ବିଷୟରେ ତହସିଲଦାର ଜେ.କଳ୍ପାନାଙ୍କୁ ପଚାରିବାରୁ ବର୍ତମାନ ଅମଲା ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିବାରୁ କୌଣସି କାର୍ଯ୍ୟହୋଇ ପାରୁନାହିଁ । ଆନ୍ଦୋଳନରୁ ଓହରିବା ପରେ ତଦନ୍ତ କରାଯାଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ ।