ବେଆଇମ ଇଟା,ମାଟି ଗାଡିରୁ ଜୋରିମାନା ଆଦାୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ବର୍ଷକ ୧୨ମାସ ବେଆଇନ ବାଲି ଚାଲାଣ ହେଉଥିବାବେଳେ ଡିସେମ୍ବର ଠାରୁ ଜୁନ ଯାଏଁ ଇଟା ଓ ମାଟି ବେପାର ମଧ୍ୟ ଅନୁରୂପ ଭାବେ ସକ୍ରିୟ ହୋଇ ଉଠନ୍ତି । ବିଶେଷକରି ଝୁଟୁଣା, ଦାଦେଶ୍ୱର, ବନସ୍ତା,ନେରଡା, ଯଶୋଟିକିରି, ଜଗନ୍ନାଥପ୍ରସାଦ, ବାଲିପୋଖରୀ ପ୍ରମୁଖ ଅଞ୍ଚଳରେ ନାଲି ଇଟା ବେପାର ବର୍ଷ ବର୍ଷ ଧରି ଚାଲୁଥିବାବେଳେ ଏଥିରେ ବେଆଇନ ଭାବେ ମାଟିର ବହୁଳ ବ୍ୟବହାର ହୋଇଥାଏ । ପ୍ରଶାସନ ପକ୍ଷରୁ କାଁଭାଁ ଚଢାଉ କରାଯାଉଥିଲେ ସୁଦ୍ଧା ଇଟାବେପାର ଏକପ୍ରକାର ଅଞ୍ଚଳର କୌଳିକ ବୃତ୍ତି ହୋଇଥିବାରୁ ଏହା ବନ୍ଦ ହୋଇନଥାଏ । ରାଜସ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ଉକ୍ତ ଅଞ୍ଚଳରୁ ବର୍ଷକୁବର୍ଷ ଜୋରିମାନା ଆଦାୟ ହୋଇଥାଏ । ଏହି ପରିପ୍ରେକ୍ଷୀରେ ଆଜି ତହସିଲଦାର ମୃତ୍ୟୁଞ୍ଜୟ ଭୂୟାଁ ପୁଲିସ କର୍ମଚାରୀଙ୍କ ସହିତ ନେରଡା ଓ ବନସ୍ତା ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉବେଳେ ବେଆଇନ ଇଟା ପରିବହନ କରୁଥିବା ଏକ ୪୦୭ଟ୍ରକ ଜବତ ହୋଇଥିବା ଜଣାପଡିଛି । ଏହା ସହିତ ଇଟା ତିଆରି ପାଇଁ ଏକ ଟ୍ରାକ୍ଟର ମାଟିନେଇ ଯାଉଥିବାବେଳେ ତହସିଲଦାର ଏହାକୁ ଧରିଥିଲେ । ବେଆଇନ ପରିବହନ କରୁଥିବା ଅଭିଯୋଗରେ ଦୁଇ ଗାଡିରୁ ଜୋରିମାନା ଆଦାୟ ହୋଇଥିବା ତହସିଲ ପକ୍ଷରୁ ସୂଚନା ମିଳିଛି ।