ବୋଲେରୋ ଗାଡି ସହ ୪୩୮ ଲିଟର ଚୋରା ମଦ ଜବତ ଅଭିଯୁକ୍ତ ଘଟଣା ସ୍ଥଳରୁ ଫେରାର
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍ ) : ନାଉଗାଁ ଥାନା ଅନ୍ତର୍ଗତ ଗୋଠଦା ଗ୍ରାମ ନିକଟସ୍ଥ ଗୋଠଦା ମଠ ନିକଟରେ ଶୁକ୍ରବାର ଏକ ମଦ ବୋଝେଇ ବୋଲେରୋକୁ ଜବତ କରିଛି ପୋଲିସ । ଏଥିରୁ ୪୩୮ଲିଟର ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି । ସୂଚନା ଅନୁଯାୟୀ ଏକ ମଦ ବୋଝେଇ ଧଳା ରଂଗ ସହିତ କଳା କାଚ ବୋଲେର ଗାଡି ନାଉଗାଁ-ଡାବର ରାସ୍ତାର ଗୋଠଦା ନିକଟରେ ଯାଉଥିବା କୈାଣସ ବିଶ୍ୱସ୍ତ ସୁତ୍ରରୁ ପୋଲିସ ନାଉଗାଁ ପୋଲିସ ଖବର ପାଇ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏଏସଆଇ ଅଶୋକ ମହାନ୍ତିଙ୍କ ନେତୃତ୍ୱରେ ମନୋଜ କୁମାର ସାମନ୍ତରାୟ, ସ୍ମୃତି ରଂଜନ ମହାପାତ୍ର ପ୍ରମୁଖ ଉକ୍ତ ଗାଡିଟିକୁ ଅନୁସରଣ କରିଥିଲେ । ଉକ୍ତ ବୋଲେରୋ ଗାଡି ଚାଳକ ପିସିଆର ଭ୍ୟାନକୁ ଦେଖି ମଠ ନିକଟରେ ଗାଡିକୁ ହଠାତ ରଖି ଦେଇ ପଳାଇ ଯାଇଥିଲା । ପିସିଆର ଭ୍ୟାନରେ ଥିବା ପୋଲିସ କର୍ମଚାରୀମାନେ ଭିତରେ ବିପୁଳ ମଦ ଥିବା ଦେଖି ଗାଡିଟିକୁ ଜବତ କରିଥିଲେ । ଗାଡିଟି ଜଣେ ପୁରୁଣା ଚୋରା ମଦ ବ୍ୟବସାୟୀଙ୍କର ହୋଇଥିବା ସାଧାରଣ ଚର୍ଚ୍ଚା ହେଉଥିବା ବେଳେ ଗାଡିଟି ରତ୍ନାବତି ସାହୁଙ୍କ ନାମରେ ଥିବା ଜଣାଯାଇଛି । ଜବତ ହୋଇଥିବା ଗାଡି ମଧ୍ୟରୁ ୪୪ ପେଟି ବିଅର ଅର୍ଥାତ ୩୪୩ ଲିଟର ଓ ୧୯ ପେଟି ଆସ୍କା ଫଟି ଅର୍ଥାତ ୯୫ ଲିଟର ମଦ ରହିଥିବା ଜଣାଯାଇଛି । ଥାନା ପକ୍ଷରୁ ଉକ୍ତ ମଦ ସହିତ ବୋଲେରୋ ଗାଡି ନମ୍ବର ଓଆର ୦୬ଏଫ ୭୬୮୦କୁ ଜବତ କରିଥିବା ବେଳେ ୯୫/୧୯ରେ ଗାଡି ଡ୍ରାଇଭର ନାମରେ ଏକ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କର ପ୍ରକାଶ କରିଛନ୍ତି । ସେହିପରି ମଦ ଗାଡି ସିଜ ସମୟରେ ଉକ୍ତ ଗାଡିରୁ କିଛି ମଦ ଦେବା ପାଇଁ କେତେକ ନିଶାଶକ୍ତ ଯୁବକ ଗାଡିକୁ ଛାଡି ନଥିଲେ । ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ଏହାକୁ ବିରୋଧ କରିବାରୁ ସେମାନେ ଗଣମାଧ୍ୟମର ପ୍ରତିନିଧିଙ୍କୁ ଅଶ୍ଳିଳ ଭାଷାରେ ଗାଳି ଗୁଲଜ କରିଥିବା ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମରେ ପ୍ରତିନିଧି ସତ୍ୟ ସୁନ୍ଦର ଦାସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଥାନା ପକ୍ଷରୁ ତଦନ୍ତ ଜାରି ରହିଥିବା ଥାନାଧିକାରୀ ପ୍ରକାଶ କରିଛନ୍ତି ।