ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ପ୍ଲାଜମା ଥେରାପି ଆରମ୍ଭ
ବ୍ରହ୍ମପୁର, (ରାଜେଶ କୁମାର ପଟ୍ଟନାୟକ):ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ ବେକାବୁ ହୋଇ ପଡ଼ିଥିବା ବେଳେ ୧୦୦ରୁ ଅଧିକ ମୁଣ୍ଡ ନେଇ ସାରିଲାଣି କରୋନା । ଗଞ୍ଜାମ ଜିଲ୍ଲାରେ ଏହି ମହାମାରୀ ଅଣାୟତ୍ତ ସ୍ଥିତିକୁ ପଳାଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୯୯୧ରେ ପହଞ୍ଚିଛି। ସେହିପରି ଜିଲ୍ଲାରେ ୫୯ଜଣ କରୋନା ଯୋଗୁ ଆଖି ବୁଜି ସାରିଲେଣି। ଏପରି ସ୍ଥିତିରେ କରୋନା ପଞ୍ଜା ରୁ ଗୁରୁତର ଆକ୍ରାନ୍ତଙ୍କୁ ଫେରାଇ ଆଣିବାକୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି। ପ୍ରଥମେ କଟକ ଏସସିବିରେ ଏହି ଚିକିତ୍ସା ପଦ୍ଧତି ଆରମ୍ଭ ହୋଇଥିବା ବେଳେ ଆଜିଠୁ ବ୍ରହ୍ମପୁରରେ ଆରମ୍ଭ ହୋଇଛି ଏହି ପ୍ଲାଜମା ଥେରାପି ।ଆଜି ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ଡାକ୍ତର ମାନଙ୍କ ଉପସ୍ଥିତିରେ ପ୍ଲାଜମା ଥେରାପିର ଶୁଭାରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ପ୍ରଥମ ପର୍ଯ୍ୟାୟରେ କଟକରୁ ୬ଟି ପ୍ଲାଜମା ବ୍ରହ୍ମପୁରରେ ପହଞ୍ଚିଛି। ଜିଲ୍ଲାର ୪ଟି କୋଭିଡ୍ ହସ୍ପିଟାଲରେ ଏହି ପ୍ଲାଜମା ଦିଆଯିବ ବୋଲି ଜଣାଯାଇଛି।ସୂଚନାଯୋଗ୍ୟ, କରୋନା ସଂକ୍ରମଣରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତମାନେ ପ୍ଲାଜମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଛନ୍ତି। ଏହା ଦ୍ୱାରା ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ମଧ୍ୟ କରିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ପ୍ଲାଜମା ଥେରାପି ଦ୍ୱାରା ଉତ୍ସାହଜନକ ଫଳାଫଳ ମିଳୁଛି। ତେଣୁ ଗୁରୁତର କରୋନା ଆକ୍ରାନଙ୍କ ଚିକିତ୍ସା ପାଇଁ ଏହା ସହାୟକ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।ଓଡ଼ିଶାରେ ମହାମାରୀ କରୋନା ଦିନକୁ ଦିନ କାୟା ବିସ୍ତାର ଯୋଗୁ ୧୦୦ରୁ ଊର୍ଦ୍ଧ୍ୱ ଜଣଙ୍କ ମୃତ୍ୟୁ ଘଟିସାରିଛି। ଏପରିସ୍ଥିତିରେ କରୋନାରୁ ଗୁରୁତର ଆକ୍ରାନ୍ତଙ୍କୁ ସୁସ୍ଥ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ଲାଜ୍ମା ଥେରାପି ଚିକିତ୍ସା। କଟକ ଏସ୍ସିବି ମେଡିକାଲ ରୁ ପ୍ରଥମ ପର୍ଯ୍ୟାୟରେ ୬ ୟୁନିଟ ପ୍ଲାଜମା ଗଞ୍ଜାମ ଜିଲ୍ଲାକୁ ଆସିଛି । ଶିତଲାପଲ୍ଲୀ ସ୍ଥିତ ଟାଟା କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଗୁରୁତର କରୋନା ରୋଗୀଙ୍କୁ ଏହି ପ୍ଲାଜମା ଦିଆଯିବ। ଏହା ଦ୍ୱାରା ଗଞ୍ଜାମରେ କରୋନା ମୃତ୍ୟୁ ହାରରେ ବ୍ରେକ୍ ଲଗାଯାଇ ପାରିବ ବୋଲି ଜିଲ୍ଲାପାଳ କହିଛନ୍ତି। ସେହିପରି ଯେଉଁ ସୁସ୍ଥ ରୋଗୀ ପ୍ଲାଜମା ଦେବାକୁ ଇଚ୍ଛା କରିବେ ତାଙ୍କୁ କଟକ ନେବା ଓ ଅଣିବା ବ୍ୟବସ୍ଥା ସହ ଖାଇବା, ରହିବାକୁ ଦିଆଯିବ । ବର୍ତ୍ତମାନ କରୋନାରେ ସଂକ୍ରମିତ ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଗଞ୍ଜାମ ଜିଲ୍ଲାର ୪୦୦ ଜଣ ନିଜର ପ୍ଲାଜମା ଦେବାକୁ ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ କହିଛନ୍ତି । ଏମ୍କେସିଜି ରକ୍ତ ଭଣ୍ଡାରରେ ଖୁବ୍ଶୀଘ୍ର ପ୍ଲାଜମା ସଂଗ୍ରହ ମେଶିନ ଉପଲବ୍ଧ ହେବ ବୋଲି ଏମ୍କେସିଜି ମେଡିକାଲ କଲେଜ ଅଧ୍ୟକ୍ଷା ଡା. ଦିପ୍ତିମୟୀ ତ୍ରିପାଠୀ ସୂଚନା ଦେଇଛନ୍ତି। ଏମ୍କେସିଜିରେ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର, ସହକାରୀ ଅଧିକ୍ଷକ ଡା. କିରଣ କୁମାର ପଟ୍ଟନାୟକ, କୋଭିଡ୍ ହସ୍ପିଟାଲ ନୋଡାଲ ଅଧିକାରୀ ଡା. ଉମାଶଙ୍କର ମିଶ୍ର, ଏମ୍କେସିଜି ପ୍ରଶାସନିକ ଅଧିକାରୀ ସଚିଦାନନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।


